ମୀରା ଆଉ ମୁଁ ଗୋଟିଏ ଶ୍ରେଣୀରେ ପାଠ ପଢୁଥିଲୁ ।ଏକା ସାଙ୍ଗରେ ଖାଇବା,ଖେଳିବା ,ପାଠ ପଢିବା ଏମିତିକି ଘରକୁ ଫେରିବା ବାଟରେ ତା ଘରେ ତାକୁ ସୁରକ୍ଷିତ ଛାଡ଼ିବା ଦାୟିତ୍ଵ ବି ମୋର ଥିଲା । ସେତେବେଳେ ମୁଁ ବି ନିଜକୁ ବଡିଗାର୍ଡ ଭାବି ଗର୍ବ କରେ । ଏମିତି ଦିନେ ସ୍କୁଲରେ ଖେଳ ପଡିଆରେ ବସିଥାଉ , ମୁଁ ପଚାରୁ ପଚାରୁ ପଚାରିଦେଲି ,”ତୁ ଖାଲି ମୋ ସାଙ୍ଗ ନା ଆଉ କିଛି”?
ସେ କହିଲା,”ଆଉ କିଛି ମାନେ ?”
“ମାନେ ତୁ ମତେ ପ୍ରେମ କରୁ?”ମୁଁ ଥଙ୍ଗ ଥଙ୍ଗ ହେଇ ପଚାରିଲି।
ମୁହଁ ମୋଡ଼ି ମୀରା କହିଲା,” ଧେତ୍ ଏଇଟା କ’ଣ ପ୍ରେମ ବୟସ ,ପାଠ ପଢ଼ାରେ ମନ ଦେ ଆଗକୁ ପରୀକ୍ଷା।”
*************
ସକାଳୁ ଜଲ୍ଦି ଉଠି ଗାଈ ଗୁହାଳ କାମ ଠାରୁ ଆରମ୍ଭ କରି ନାତି ନାତୁଣୀଙ୍କୁ ଗାଧୋଇ ଦେବା ,ଖୋଇଦେବା ,ବୋହୂକୁ ରୋଷେଇରେ ସାହାଯ୍ୟ କରିବା , ମୋର ମଧୁମେହ, ଉଚ୍ଚ ରକ୍ତଚାପ ରୋଗ ପାଇଁ ମୋ ପାଖେ ପାଖେ ରହି ମୋ କଥା ବୁଝିବା ଯାଏ ସବୁ ଗୋଟି ଗୋଟି କରି ଠିକ୍ ଭାବେ କରନ୍ତି ମୀରା। କେବେ ଥକିବାର କି ଅଭିମାନ କରିବାର ମୁଁ ଦେଖିନି। ସେଦିନ ବହୁତ ଜିଦି କରିବାରୁ ଦୁହେଁ ଯାଇଥିଲୁ ପାଖରେ ଥିବା ଗୋଟିଏ ପାର୍କକୁ ଚାଲିବା ପାଇଁ। ଚାଲି ଚାଲି ଥକି ପଡି ଗୋଟିଏ ଚେୟାର ରେ ବସିରହିଲୁ ।ସବୁ ପ୍ରେମୀ ଯୁଗଳଙ୍କୁ ଦେଖି ମୁଁ ବି ଟିକେ ତା କାନ୍ଧରେ ହାତ ପକେଇଦେଲି । ମୋ ହାତଟାକୁ କରେଣ୍ଟ ମାରିଲା ପରି ଛାଟିଦେଇ କହିଲା,”ସତୁରୀ ବର୍ଷ ହେଲାଣି ଆହୁରି ତମର ପ୍ରେମ କରିବାକୁ ମନ ହଉଛି ।ଏଇଟା କ’ଣ ପ୍ରେମ କରିବା ବୟସ?”
ମୁଁ ଆଶ୍ଚର୍ଯ୍ୟ ହୋଇ ପଚାରିଲି ,”ତାହେଲେ ପ୍ରେମର ବୟସ କେବେ?”
ପ୍ରେମ ଓ ବୟସ
