ଆଜିକାଲି ଦୁନିଆରେ ପ୍ରେମ ସମ୍ପର୍କର ମାନ
ଦେହ ଭୋଗ ଅଭିଳାଷ
ପ୍ରେମ ନାମେ ଦେହ ନିଲାମ ହୁଅଇ
ଭାଗ୍ୟକୁ ଦେଇ ଦୋଷ ।
ଅଢେଇ ଦିନିଆ ପ୍ରେମ ଆକର୍ଷଣ ଦେଖ
କେବଳ କେଇଟା ଦିନ
ଦେହ ପାଇଁ ପ୍ରେମ କଳଙ୍କ ସାଜଇ
ମିଛେ ରାତି ହୁଏ ବଦନାମ ।
ଶାଶ୍ଵତ ପ୍ରେମ ନାମେ ଭୋଗ ବିଳାସ
ଅଭିଶପ୍ତ ହେଲାଣି ଦେଖ
ବିଷାକ୍ତ ହେଲାଣି ମନର ଭାବନା
ହିଂସ୍ର ହେଲାଣି ଭୋକ ।
ପ୍ରେମ ବଜାରରେ କିଣା ବିକା ଚାଲେ
କଅଁଳ ଦେହର ମାଂସ
ଗ୍ରାହକ ଆସନ୍ତି ମନଭରି ଉପଭୋଗ ପାଇଁ
ଧରି ଅଭିନୟ ମୁଖା ବେଶ ।
କାମ ସରିଗଲା ପରେ ଅପରିଚିତା ହୁଏ
ରହେନି ଚିହ୍ନ ବର୍ଣ୍ଣ ଅବଶେଷ
ଜୀବନ ସାରା ବୋଝ ମୁଣ୍ଡେଇ ଚାଲଇ
ଶୁଣି ନିନ୍ଦା ଅପବାଦ ଅଶେଷ ।
ସମୟ ସହ ତାଳ ଦେଇ ବଦଳି ଚାଲିଛି
ଆଧୁନିକତାର ରୂପରେଖ
ବନ୍ଧା ପଡେ ପ୍ରକୃତ ଭଲପାଇବା ସବୁଠି
ଛାଡ଼ିଦେଇ କାଳିମା ଛାପ ।
ଯୁବପିଢି ଆଜିର ପଥହରା ହୁଅନ୍ତି
ଜୀବନ ସର୍ବନାଶ କରେ ପାପ
ଜାଣି ଜାଣି ନିଜକୁ ଜଳାଞ୍ଜଳି ଦିଅନ୍ତି
ପରେ କରୁଥାନ୍ତି ପଶ୍ଚାତାପ ।
ପ୍ରେମ କଳଙ୍କ
