ଫଗୁଣର ପହିଲି କିରଣ

ଚାଲ କିଛି ଉଷ୍ମତାର କଅଁଳ ଆଞ୍ଚରେ
ସେକିଦେବା ଅତୀତର ଅବସାଦ ଯେତେ,
ସାଉଁଟିବା ପଡିଥିବା ଭଙ୍ଗା ସ୍ୱପ୍ନସବୁ
ନୂଆ କିଛି ରଙ୍ଗ ବୋଳି ଜୀବନର ହାତେ।

ଚାଲ ବସି ସଜାଡ଼ିବା ଦରଭଙ୍ଗା ମନ
ପ୍ରେମ କଳା ଚାତୁରୀରେ ପ୍ରାଣବନ୍ତ କରି,
ପୁଷ୍ପିତ କରିବା ଆସ ସବୁ ଓଠ ଧାର
ହସର ବଉଳ ଯେହ୍ନେ ପଡୁଥିବ ଝରି।

ଚାଲ ଅଧା କବିତାକୁ ଆଉଥରେ ମେଲି
ବାକି କିଛି ଧାଡ଼ି ଯୋଡ଼ି କରିବା ପୂର୍ଣାଙ୍ଗ,
ଜିଭତଳେ ଲୁଚିଥିବା ଅପ୍ରକାଶ୍ୟ କଥା
ମନ ଖୋଲି କହିବାକୁ ନହେବା ଅମଙ୍ଗ।

ଚାଲ ଛିନ୍ନ ସମ୍ପର୍କର ସୁତାଖିଅ ଯେତେ
ଯୋଡ଼ିଦେବା ପ୍ରେମସିକ୍ତ ଅଫିଟା ଗଣ୍ଠିରେ,
ବାଜେ ଯେତେ ଛନ୍ଦା ଛନ୍ଦି ଅଡ଼ୁଆ ଅଳନ୍ଧୁ
ଝାଡ଼ିଦେଇ ବିଶ୍ରାମିବା ମୃଦୁ ଆଶ୍ୱସ୍ତିରେ।

ଚାଲ ଶୁଦ୍ଧ ବିବେକର ମଳୟ ସୁବାସେ
ଭରିଦେବା ଚେତନାର ଗଭୀରତା ଯାଏଁ,
ପ୍ରୀତିର ସବୁଜିମାରେ ସ୍ୱମଣ୍ଡିତ ହୋଇ
ଛୁଇଁଯିବା ମିତ୍ରଠାରୁ ଚିରଶତ୍ରୁ ଯାଏଁ।

ଚାଲ ଏଇ ଫଗୁଣର ପହିଲି କିରଣେ
ବସନ୍ତର ମଧୁ ରାଗେ ପ୍ରାଣ ଫୁଙ୍କିଦେବା,
ଉଦାସୀ ଆକାଶ ତଳୁ କୁହୁଡ଼ି ହଟାଇ
ନୀଳ ରଙ୍ଗେ ଶୂନ୍ୟସ୍ଥାନ ସବୁ ଭରିଦେବା।

1 thought on “ଫଗୁଣର ପହିଲି କିରଣ”

  1. ଶିବ ଚରଣ ମହାପାତ୍ର

    ସବୁଥର ପରି ଅନନ୍ୟ ସୃଷ୍ଟି, ପ୍ରଣାମ କବି🙏❣️

Leave a Comment

Your email address will not be published. Required fields are marked *