ଫୁଲେଇ ଜହ୍ନ…

ଧୀରେ ଲୁଚି ଗଲେ ସବିତା
ଚାନ୍ଦ ଆସିଲା ଉଇଁ,
ଶୀତଳ ଶୁଭ୍ର କିରଣେ
ହସି ଉଠିଲା ଭୂଇଁ ।

ଫୁଲେଇ ଜହ୍ନ ଆକାଶରେ
ହସୁଛି ଖିଲି ଖିଲି,
ଚାହିଁ ବସିଛି ନୀଳ କଇଁ
ତାକୁ ପାଖୁଡା ମେଲି ।

କେତେ ଦୂରେ ତାର ପ୍ରିୟ
ଆଶା ଅସୁମାରୀ,
ପଲକ ପଡେନି ତାର
ଝରେ ସୁଧା ବାରି ।

ଚକୋର ଚକୋରୀ ଆଜି
ପ୍ରେମା ନନ୍ଦେ ରତ ,
ନାଚୁଛନ୍ତି କି ଆନନ୍ଦେ
ହୋଇ ସୁଶୋଭିତ ।

ମା କୋଳେ ଶିଶୁ ଦେଖେ
ପୂର୍ଣ୍ଣିମା ର ଚାନ୍ଦ,
ପ୍ରେମିକ ରସିକ ବର
ଆହା କି ଆନନ୍ଦ ।

ପ୍ରିୟ କୁହେ ପ୍ରିୟା ତୁମେ
ପୂର୍ଣ୍ଣିମା ର ଚାନ୍ଦ,
ଚାନ୍ଦ ଦେଖି ହସୁଥାଏ
ଜଳରେ କୁମୁଦ ।

ଜଳଦ କୋଳେ ଚନ୍ଦ୍ରମା
ଲୁଚ କାଳି ଖେଳେ,
କେତେ ବେଳେ ହସୁଥାଏ
ରହି ତାରା ମେଳେ ।

ଫୁଲେଇ ଜହ୍ନ କୁ ଦେଖି
ସାଗରେ ଜୁଆର ,
ସତେକି ଭସେଇ ନେବ
ନୀଳ ପାରାବାର ।

କେବେ ପୁଣି ହଜିଯାଏ
ଉଆଁସ ପକ୍ଷରେ,
ଫୁଲେଇ ଜହ୍ନ ଆସେ
ପୁଣି ଧୀରେ ଧୀରେ ।

Leave a Comment

Your email address will not be published. Required fields are marked *