ବାକି କଥା

” ତୁମେ ଆଉ ତୁମେ ହୋଇ ନାହଁ ”

ଏଇ କିଛି ଦିନର ପରିଚୟ ଭିତରେ
ଜଣେ କଣ ଏତେ ନିଜର ହୋଇପାରେ
ଜଣେ କଣ ଏମିତି ବାୟୁ ଭଳି ମିଶିପାରେ
ସେ ନିଶ୍ଵାସ ନେଉଥିବା ସର୍ବବ୍ୟାପୀ ପବନରେ । ।
.
.
କାହା ସୁପ୍ତ ଆକାକ୍ଷାଂକୁ କିଏ ଜଣେ
ଅପେକ୍ଷା କରିବା ଶିଖେଇ ଦେଇଯାଏ
ଅପେକ୍ଷାରୁ ଉପେକ୍ଷା ଭିତରର କିଛି ପାଦ
ରକ୍ତାକ୍ତ ହୋଇ ମଧ୍ୟ ଆଗକୁ ବଢି ଯାଏ ॥
.
.
ଜଣେ ସେଠି ନଥିଲେ ଅନ୍ୟଜଣେ
ତାକୁ ଅନୁଭବିପାରେ ଆପଣାର ଭାବ ନେଇ
ଜଣେ ଚୁପ୍ ଥିଲେ ବି ଅନ୍ୟଜଣେ
ତାକୁ ଅନବରତ ଶୁଣି ପାରେ ଆତ୍ମୀୟଟେ ହୋଇ ।।।
.
.
ସେ ସମ୍ପର୍କରେ
ନା ଅଛି ଅଭିମାନ ନା ଅଛି ଅଭିଯୋଗ
ଦୁହେଁ ଖୁବ୍ ନୀରବ
ଗଛରୁ ପତ୍ରଟିଏ ଖସିଲେ ବି
ସେ ଆସିଛି ଭାବି ,
ଝରକା ଆଡେ ହଳେ ଆଖି ବୁଲି ଆସେ
ଦୁହିଁଙ୍କର ଆଶା ସବୁ ମେଘ ସାଜି
ନୀଳଆକାଶରେ ପରସ୍ପରର ଅନ୍ୱେଷଣରେ
ଭେଟ ହେଲେ ଝରି ପଡିବେ ବର୍ଷା ହୋଇ ।।।।
.
.
ଧେତ୍ ! ଏବେ ବି ଭାବୁଛ ସେ କିଏ ?
.
.
ହଁ, ଠିକ୍ ଭାବିଛ ସେ ତୁମେ
ତୁମେ ଆଉ ତୁମେ ହୋଇନାହଁ
ମିଶିସାରିଛ ମୋ ଦେହରେ ରକ୍ତ ସାଜି
ମୋ ଆନମନା ପଣରେ ଆବେଗ ସାଜି
ଏଇତ , ମୋ ଭାବନାରେ କେଉଁଠି ଲୁଚିଛ
ସାରାରାତି ଅନିଦ୍ରା କରି ତୁମେ କବିତା ହୋଇ ଝରୁଛ
ମୋ ଭିତରେ ଥିବା ମୁଁ ଟା ନିହାତି ଅଚେତନ
ତୁମେ ସାଜିଲଣି ଏବେ ମୋ ହୃଦ ସ୍ପନ୍ଦନ ।।।

1 thought on “ବାକି କଥା”

Leave a Comment

Your email address will not be published. Required fields are marked *