ମୁଁ ନୂଆ ନୂଆ ଭୁବନେଶ୍ବରକୁ ଟ୍ରାନ୍ସଫର ହୋଇ ଆସିଥାଏ। ଭୁବନେଶ୍ୱର ସହରରେ ସ୍ୱଳ୍ପ ଦରମାରେ ଘରଟିଏ ଖୋଜିବା କାଠିକର ପାଠ। ତଥାପି ମୁଁ ମୋର ପାରୁ ପର୍ଯ୍ୟନ୍ତ ଉଦ୍ୟମ ଜାରି ରଖିଥାଏ। ବହୁତ ଖୋଜାଖୋଜି ପରେ ଗୋଟିଏ ଲେଡିଜ୍ ହଷ୍ଟେଲରେ ରହି ଅଫିସ ଯିବା ଆସିବା କଲି। ଅଫିସ୍ ରୁ ଫେରିବା ସମୟର ଠିକ୍ ଠିକଣା ନ ଥାଏ ।କେବେ କେବେ ଅଧିକ ରାତି ହୋଇଗଲେ ହଷ୍ଟେଲ ଗେଟ୍ ବନ୍ଦ ହୋଇଯାଏ।ମତେ ବହୁତ କାକୁତି ମିନତି ହେବାକୁ ପଡ଼େ ହଷ୍ଟେଲ ୱ।ର୍ଡେନ୍ ଙ୍କ ସାମ୍ନାରେ।ତା ପରେ ଯାଇ ମୋ ପାଇଁ ହଷ୍ଟେଲ ଗେଟ୍ ଖୋଲା ହୁଏ। ମୁଁ ମୋର ଏ ଦୁଃଖ କଥା ମୋ ବସ୍ ଙ୍କୁ ଜଣାଇଲି। ସେ ମୋତେ ମୋ ପରି ଟ୍ରାନ୍ସଫର ହୋଇ ଆସିଥିବା ଜଣେ ଷ୍ଟାଫ୍ କୀର୍ତ୍ତି ମହାପାତ୍ରଙ୍କ ସହ ପରିଚୟ କରାଇ ତାଙ୍କ ସହ ରୁମ୍ ସେୟାର କରିବାର ପ୍ରସ୍ତାବ ଦେଲେ। ମତେ କଥାଟି ଖୁବ୍ ଭଲ ଲାଗିଲା। କୀର୍ତ୍ତି ମଧ୍ୟ ଏ ପ୍ରସ୍ତାବରେ ରାଜି ହେଲେ। ଧିରେ ଧିରେ ଆମ ଦୁଇ ଜଣଙ୍କ ମଧ୍ୟରେ ଖୁବ୍ ଭଲ ବନ୍ଧୁତା ହୋଇ ଯାଇଥାଏ। ଅଫିସ୍ ରେ ବି ଆମ ବନ୍ଧୁତାର ଚର୍ଚ୍ଚା ହୁଏ।ଆମେ ସେସବୁ ଶୁଣି ଖୁବ୍ ହସୁ ଆଉ ଥଟ୍ଟାରେ ଉଡାଇ ଦେଉ। ମତେ କୀର୍ତ୍ତି ର ସବୁ ଗୁଣ ଖୁବ୍ ଭଲ ଲାଗେ ଖାଲି ତା’ର ଅନେକ ପ୍ରେମିକ ରଖିବା ଗୁଣ ଟା ଭଲ ଲାଗେନା। ଅବଶ୍ୟ ଦେଖିବାକୁ ସେ ଖୁବ୍ ସୁନ୍ଦର।ସୁନ୍ଦରୀ ତରୁଣୀ ମାନଙ୍କ ମଧ୍ୟରେ ସେ ବି ଜଣେ ବୋଲି ଗଣା ହେବାରେ କୈ।ଣସି ସଙ୍କୋଚ ନାହିଁ। ସୁନ୍ଦର ଚେହେରା ସାଙ୍ଗକୁ ମିଠା ମିଠା କଥା କହି ଅନ୍ୟ ର ମନ ଜିଣିବାରେ ସେ ଖୁବ୍ ଧୂରନ୍ଧର। ବହୁତ୍ ମେଳାପି ମଧ୍ୟ। ଭଗବାନ ଦେଇଥିବା ଏଇ ସୁନ୍ଦର ଗୁଣର ସେ ଯେ ଅପବ୍ୟବହାର କରେ ଏକଥା କହିଲେ ଅତ୍ୟୁକ୍ତି ହେବ ନାହିଁ।
ପ୍ରେମ ସମସ୍ତ ସମ୍ପର୍କର ଉର୍ଦ୍ଧ୍ବରେ ।ଦୁଇଟି ସ୍ୱଚ୍ଛ ହୃଦୟର ମିଳନ ହିଁ ପ୍ରେମ। ପ୍ରେମ ଶାଶ୍ଵତ ଓ ଚିରନ୍ତନ।ହେଲେ ପ୍ରେମ ନାମକ ଏଇ ଅଢେଇ ଅକ୍ଷରକୁ ବୁଝି ପାରିନଥିଲା କୀର୍ତ୍ତି। ତାର ଏପରି ଗୁଣକୁ ମୁଁ ଆଦୈ। ଭଲ ନ ପାଉଥିଲେ ବି ତାକୁ ବୁଝାଇବାରେ ଅସଫଳ ଥିଲି।ଯେ କେହି ଏହାର ନାମ ଈର୍ଷା ଦେଇପାରେ ହେଲେ ମୁଁ ଇର୍ଷା କରୁ ନଥିଲି ମୁଁ ଖାଲି ତା ମାୟାଜାଲରେ ଫସି ରହିଥିବା ନିରୀହ ମନଗୁଡିକୁ ମୁକ୍ତ କରିବାକୁ ଚାହୁଁଥିଲି। ଅବଶ୍ୟ କୀର୍ତ୍ତି କାହାକୁ ବିବାହ କରିବାକୁ କଥା ଦେଇ ଠକି ଦେଇନି। ହେଲେ ତାର ମେଳାପି ଗୁଣ ଯୋଗୁଁ ସମସ୍ତେ ତା ଆଡକୁ ଆକୃଷ୍ଟ ହୋଇ ମନେ ମନେ ପ୍ରେମ ସଞ୍ଚାର କରନ୍ତି। ଆଉ କୀର୍ତ୍ତି ତା’ର ଫାଇଦା ଉଠାଇ ନିଜ କାମ ହାସଲ କରେ। ‘ଗୋଟିଏ ଫୁଲ ଅନେକ ଭଅଁର’ କଥାଟି ତା ପାଖେ ପ୍ରଯୁଜ୍ୟ ହୋଇପାରେ।ଏଇ ଭଅଁର ମାନଙ୍କ ମଧ୍ୟରେ ଆମ ହ୍ୟାଣ୍ଡସମ ବସ୍ ବି ଗଣା ହୁଅନ୍ତି।
ଗୋଟିଏ ଶୀତ ସନ୍ଧ୍ୟାରେ ଆମେ ସଂପି ପାଇଁ ମାର୍କେଟ ଯାଇଥିଲୁ।ସେଇଠି ଆମର ଦେଖା ହୋଇଥିଲା ଆକାଶ ସହ। କହିବାକୁ ଗଲେ ମୁଁ ଟିକେ ଟିକେ ଶୁଣି ଥିଲି ହେଲେ ଦେଖି ନ ଥିଲି। ଆମ ବସ୍ ଙ୍କ ସାଙ୍ଗ ଆକାଶ। କୀର୍ତ୍ତି ସହ ସଂପର୍କଟା ବୁଝା ପଡୁନଥିଲା। କିନ୍ତୁ ମୁଁ ଏତିକି ବୁଝି ପାରୁ ଥିଲି ଯେ ଇଏ ବି ଫସି ସାରିଛି। ଧୀରେ ଧୀରେ ପ୍ରତି ଶୀତ ସନ୍ଧ୍ୟା ଆମର ହେବାକୁ ଲାଗିଲା। ସାଙ୍ଗ ହୋଇ ବୁଲିବା ,ଖାଇବା ଇତ୍ୟାଦି ନିତିଦିନିଆ ହୋଇଯାଇଥିଲା। ‘ଆପଣ’ରୁ ‘ତୁମେ’କୁ ପ୍ରମୋଶନ୍ ହେବାକୁ ବେଶୀଦିନ ଲାଗି ନ ଥିଲା। କୀର୍ତ୍ତି ଯାହା ବି କରେ ମତେ ସାଙ୍ଗରେ ନେଇ କରେ।ହେଲେ ମୁଁ ବୁଝେଇ ପାରୁ ନ ଥାଏ ଯେ ସେ ଯାହା କରୁଛି ଭୁଲ୍ ବୋଲି। ବହୁତ ଥର ଚେଷ୍ଟା କରିଛି ଆକାଶକୁ ଜଣାଇବାକୁ ହେଲେ ସୁଯୋଗ ପାଉ ନ ଥିଲି।
ଦିନେ କୀର୍ତ୍ତି ଅସୁସ୍ଥ ଥିବା କାରଣରୁ ମତେ ଏକା ମାର୍କେଟ ଯିବାର ଥାଏ । ହଠାତ୍ ମୋର ଆକାଶ ସହ ଦେଖା ହୋଇଗଲା। ଆକାଶଙ୍କୁ ଭିଡ ଭିତରୁ ଟାଣି ନେଇ ଏକ ଫାଙ୍କା ସ୍ଥାନକୁ ଯାଇ ବୁଝାଇଲି ଯେ କୀର୍ତ୍ତି ସହ ବନ୍ଧୁତାରେ ରୁହ ହେଲେ ବିବାହର ସ୍ୱପ୍ନ ଦେଖ ନାହିଁ। ମୁଁ ଭଲ ଭାବେ ଜାଣେ ସେ କେବେ ହେଲେ ତମକୁ ବିବାହ କରିବ ନାହିଁ। ତୁମ ପରି ତା’ର ଅନେକ ପ୍ରେମିକ ଅଛନ୍ତି। ଗୋଟିଏ ନିଃଶ୍ୱାସରେ ଘୋଷିଥିବା ଡାଇଲଗ୍ ପରି ସବୁ କହିଗଲି। ଆକାଶ କିଛି ନ କହି ସେ ସ୍ଥାନ ଛାଡି ଚାଲିଗଲେ। ମୁଁ ଭାବିଲି ବୁଝି ପାରିଲେ। ହେଲେ ପରଦିନ ଫଳ ହେଲା ଓଲଟା । ମୁଁ କହିଥିବା ସେଇ କଥା କେଇ ପଦ ଆମ ଦୁହିଁଙ୍କ ମଧ୍ୟରେ ଝଡ ସୃଷ୍ଟି କଲା। ମୁଁ ମୋ ଭୁଲ୍ ବୁଝିପାରି ତା ଠାରୁ ଓ ଆକାଶ ଠାରୁ ଦୂରେଇ ଗଲି।
*****************************************
ଏକ ବର୍ଷ ପରେ ଦୁହିଁଙ୍କ ବାହାଘରର ନିମନ୍ତ୍ରଣ କାର୍ଡ ପାଇଥିଲି। ମୁଁ ଖୁବ୍ ଖୁସି ହୋଇଥିଲି । କୀର୍ତ୍ତି ଓ ମୋ ଭିତରର ଝଡ ଟିକେ ଥମି ଯାଇଥିଲେ ବି ପୂର୍ବ ପରି ଆପଣାପଣ ନ ଥିଲା। ତେଣୁ ମୁଁ ସ୍ଥିର କରିଥିଲି କାହାର ବି ବାହାଘରରେ ଯୋଗ ଦେବିନି। ହେଲେ ଆକାଶଙ୍କର ଅନୁରୋଧ ଟାଳି ନ ପାରି ତାଙ୍କ ବାହାଘରକୁ ଯାଇଥିଲି।ବାହାଘର ପରଦିନ ଆକାଶ ଆସିଥିଲେ ମତେ ଛାଡ଼ିବାକୁ। ମୁଁ ବସ୍ କୁ ଅପେକ୍ଷା କରିଥାଏ ଆଉ ସେ ମଧ୍ୟ ବସ୍ ରେ ବସେଇସାରି ଯିବାକୁ କହିଲେ । ମୁଁ ହସି ହସି କହିଲି ,”ଶେଷରେ ଏଥର ଫଗୁଣରେ ହାତକୁ ଦି ହାତ ହେଲ। ଯାହା ହେଉ’ଏଥର ଫଗୁଣେ ବାଜିବ ବାଜା ‘ ଗୀତକୁ ସାର୍ଥକ କଲ।” ସେ ସାମାନ୍ୟ ହସି କହିଲେ,” ହଁ ଗଲା ବର୍ଷ ଫଗୁଣରେ ବାଟବଣା ହେଇଥିଲି। କୀର୍ତ୍ତିଙ୍କ ଅସଲ ଚେହେରା ମୋ ସାମ୍ନାକୁ ଆସୁ ଆସୁ ବର୍ଷଟେ ଲାଗିଗଲା।ଏଥର ଠିକ୍ ବାଟ ଧରିଛି ବୋଲି ଭାବୁଛି।ଦେଖାଯାଉ ଜୀବନର ମୋଡ଼ ମତେ କ’ଣ ପ୍ରମାଣ ଦଉଛି।”ଆକାଶଙ୍କ କଥା ଶୁଣି ମତେ ଭଲ ବି ଲାଗିଲା ଆଉ ଖରାପ। ଭଲ ଏଥିପାଇଁ ସେ ନିଜ ବେଳ ଥାଉ ଥାଉ ବୁଝିପାରିଲେ। ଖରାପ ଏଥିପାଇଁ ମୋ ସାଙ୍ଗ ଯାହାକୁ ମୁଁ ବହୁତ ଭଲ ପାଉଥିଲି ସେ ଆଜି କାହା ଆଖିରେ ଘୃଣାର ପାତ୍ର। ଏତିକି ବେଳେ ମୋ ବସ୍ ଆସିଗଲା। । ତାଙ୍କୁ ବିଦାୟ ଦେଲା ବେଳେ ଭାବୁଥିଲି ,”ସତରେ କ’ଣ ନାରୀ ମାୟା ନାରାୟଣଙ୍କୁ ଅଗୋଚର!!!!”