ବାଟବଣା ଫଗୁଣ

“ଦେଖ୍ ତ, ସେ ଆସିଲେଣି?” ମାନୀ ଦିଦି ନିଜ ଶାଢ଼ୀକୁ ସଜେଇ ଏଣେତେଣେ ଚାହୁଁ ଚାହୁଁ ବେବିକୁ ପଚାରିଲା l “ତୁ ଏତେ ତର ତର କାହିଁ ହେଉଛୁ ଯେ, ସେ ଆସିଲେ ମୁଁ କହିବିନି l ଜାଣିଛୁ, ତୁ ଆଜି ଯେମିତି ସଜେଇ ହେଇ ଆସିଛୁ ନା କେହି ବି ତୋତେ ଚାହିଁ ରହିବେ l ସେ ତ ପାଗଳ ହୋଇଯିବେ ଦିଦି l” ବେବି ମାନୀ ଦିଦିର ଗାଲକୁ ଚିପି ଦେଇ ସ୍ନେହଭରା ଆଖିଦୁଇଟାକୁ ନଚେଇ କହିଲା l

“ଆରେ, ରହ ତ, ସେ ଆସିଲାଣି ପରା l” ଦିଦି ହଡ଼ବଡ଼ ହୋଇ ବେବି ହାତକୁ ଧିରେକି ଛଡ଼େଇଇ ନିଜକୁ ସାବଧାନ କରି ଛିଡ଼ାହୋଇରହିଲେ l ଆଖି ପିଛୁଳାକେ ସେ ଆସି ପାଖାପାଖି ହୋଇଗଲେଣି l ବେବି ବି ଉତ୍ସାହର ସହିତ ମାନୀ ଦିଦିକୁ ଚାହିଁରହିଛି ଆଉ ସେ ବି ଲାଜରେ ଯେମିତି ଝାଉଁଳି ଗଲେଣି l ସମସ୍ତେ ତାଙ୍କୁ ଦେଖି କରତାଳି ମାରୁଛନ୍ତି ଆଉ ସେ ବି ସମସ୍ତଙ୍କୁ ହସି ହସି ଶୁଭେଚ୍ଛା ଜଣେଇ ଜଣକ ପରେ ଜଣକୁ ନମସ୍କାର କରି ଆଗକୁ ବଢୁଛନ୍ତି l ବହୁତଦିନ ପରେ ଗାଁକୁ ଆସିଛନ୍ତି ସେ, ସହରରେ ବଡ଼ ଚାକିରୀ ପାଇଲା ଦିନରୁ ଗାଁକୁ ଆସିନଥିଲେ l ଆଉ ଦିଦି ସେଇଦିନୁ ଠାକୁରଙ୍କୁ ନିଈତି ମୁଣ୍ଡିଆ ମାରୁଛି ତାଙ୍କର ଭଲ ମନାସୀ l ସେ ଯେତେବେଳେ ସାଙ୍ଗ ହୋଇ ପଢୁଥିଲେ ଦିଦି ଲୁଚି ଛପି ତାଙ୍କୁ ବହୁତ ସାହାଯ୍ୟ କରିଛି ଆଉ ଭଲବି ପାଇଛି l ଆଉ ସେ ବି ତ ଦିଦିକୁ ଖୁବ ଭଲପାଆନ୍ତି ବୋଲି କହିଛନ୍ତି l କେତେ ସାରା ସ୍ବପ୍ନ ଦେଖାଇଛନ୍ତି ଦିଦିକୁ l ଦିଦି ବି ଭଲ ପଢୁଥିଲା, ହେଲେ ସେ ନିଜେ ନ ପଢ଼ି ଗାଁ ପିଲାଙ୍କୁ ଟିଉସନ୍ କରିବାରେ ଲାଗିପଡ଼ିଲା l ସେଥିରୁ ତ କିଛି ଭାଗ ଏଇ ବାବୁଙ୍କ ଖର୍ଚ୍ଚ ପାଇଁ ମାସକୁ ମାସ ପଠାଏ, ସମସ୍ତଙ୍କ ଅଜାଣତରେ l ହେଲେ ଏଇ କେତେଟା ବର୍ଷ ସେ ବାହାରେ ରହିଗଲେ ଓ ପଢ଼ା ପଢ଼ିରେ ବ୍ୟସ୍ତ ହୋଇଗଲେ ବୋଲି ଦିଦି ସହ ଟିକେ ଭଲକରି କଥା ହୋଇପାରନ୍ତିନି l ଇଏ ସିନା ଟିକେ ମିଛି ମିଛିକା ଅଭିମାନ କରେ, ହେଲେ ତାଙ୍କୁ ବହୁତ ଭଲପାଏ l ସେଥିପାଇଁ ତ କେତେ କେତେ ବାହାଘର ପ୍ରସ୍ତାବକୁ ଭାଙ୍ଗିଦେଇଛି, ୟାଙ୍କ ଅପେକ୍ଷାରେ l ସେ ଯେମିତି ଦିଦିର ଫଗୁଣ ପରି ଆଉ ଦିଦି ବି ସେ ଫଗୁଣର ଫଗୁପରି l ତାକୁ ଯଦି କାହା ଦେହରେ ମାରିବୁ ସେ ରଙ୍ଗରେ ଭିଜେଇହେବ ଯଦି ନୁହେଁ ତାହାଲେ ଏମିତି ଫଗୁଣକୁ ଅପେକ୍ଷା କରି କରି ନିଜକୁ ବୁଝାଇ ରଖୁଥିବ l

ସେ ପାଖକୁ ଆସିଗଲେଣି ପୁରା ପାଖକୁ l ଦିଦିର ଛାତି ଧକ ଧକ ଶବ୍ଦ ଏତେ ଜୋରରେ ହେଉଛି ଯେ ବେବିକୁ ବି ଶୁଭୁଛି l ହେଲେ ସେ ତ ବାସ୍ ଦୂରରୁ ଅଣଦେଖା କଲାଭଳି ଚାଲିଗଲେ l ଦିଦି ଆଖିବୁଜି ତାଙ୍କ ଉପସ୍ଥିତିକୁ ଅନୁଭବ କରିବାର ଭାବନାରେ ବୁଡ଼ିଯାଇଥିଲା, ହେଲେ ସେ ତ କିଛି ବାହାନା କରି ଚାଲିଗଲେ l ସମସ୍ତେ ଧିରେ ଧିରେ ନିଜ ନିଜ ଜାଗାକୁ ଚାଲିଗଲେଣି, ହେଲେ ଦିଦି ଲୁହ ଢ଼ଳ ଢ଼ଳଳ ଆଖିରେ ବେବିର ହାତକୁ ଜୋରରେ ଧରି ଥର ଥର ହୋଇ ଛିଡ଼ା ହୋଇଛି l ଲୋକେ କଥା ହେଉଛନ୍ତି ଆହାଃ, କି ସୁନ୍ଦର ଯୋଡ଼ି l ଆଜିକାଲି ପିଲାମାନେ ପାଠଶାଠ ପଢ଼ି ନିଜ ନିଜ ଜୀବନସାଥି ବି ବାଛିଦେଉଛନ୍ତି, ବାପା ମା’ଙ୍କ ମୁଣ୍ଡରୁ ଗୋଟେ ବଡ଼ ବୋଝ ହାଲକା କରିଦେଉଛନ୍ତି l ଦିଦି ଏସବୁ ଶୁଣି ନିଜର କୋହକୁ ବାନ୍ଧି ରଖିପାରିଲାନି, ଚିପୁଡ଼ି ହୋଇ କାନ୍ଦି ଉଠିଲା l

ପଛପାଖୁ କାହାର ଶବ୍ଦ ଆସିଲା, “ତୁମେ ଶାଢ଼ୀରେ ବହୁତ୍ ସୁନ୍ଦର୍ ଦେଖାଯାଉଛ l କ୍ଷମା କରିବ ମୁଁ ବାସ୍ ଦୂରରୁ ସେତେବେଳୁ ତୁମକୁ ହିଁ ଦେଖୁଥିଲି, ତୁମର ହସ ହସ ମୁହଁଟା ଉଦାସ ଦେଖାଗଲା ସେଥିପାଇଁ କହିଦେଲି l” ସେ ଏତେକ କହି ଚାଲିଗଲେ l ବେବିକୁ ସେ କିଛି ପଚାରିବା ପୂର୍ବରୁ ସେ କହିଲା, “ସେ କିଏ କେଜାଣି?” ମାନୀ ଦିଦି ପଛକୁ ଫେରି ଚାହିଁଲା ବେଳକୁ ଦେଖିଲା, ସେ ତ ଦିବାକର l ଆଉ ଏକ ଫଗୁଣ, ଯେ କି ମାନୀଦିଦିର ଫଗୁରେ ଭିଜିବା ପାଇଁ କାହିଁ କେଉଁଦିନୁ ଜଗିବସିଛି, ହେଲେ ମାନିଦିଦି ଏଇ ବାଟବଣା ଫଗୁଣର ଅପେକ୍ଷାରେ ସବୁ ଖୁସିକୁ ଜାଳିଦେଇଛି l ଇଏ…. ଇଏ ତ ଲୋକଙ୍କ କରତାଳି ଭିତରେ ମାନୀଦିଦିକୁ ଦେଖି ବି ନଦେଖିଲା ଭଳି ବାଟବଣା ହୋଇ ଚାଲିଯାଇଛି l ମାନୀଦିଦି ବି କାନ୍ଦ କାନ୍ଦ ମୁହଁରେ ତାଙ୍କ ପଛେ ପଛେ ଧାଇଁଲେ l ବେବି କିଛି ବୁଝିବା ବେଳକୁ ଦୁହେଁ ଯେମିତି ଦୁହିଁଙ୍କ ବାହୁରେ କାନ୍ଦିବାକୁ ଲାଗୁଥିଲେ l

Leave a Comment

Your email address will not be published. Required fields are marked *