ମେଞ୍ଚାଏ ସ୍ଵପ୍ନର ବାଲିଘର
ଆଶାର ଅସରା ପାଣିଝର।
ତା ଭିତରେ ପଡ଼ି ଉବୁଟୁବୁ ହୁଏ
ସଂଜ୍ଞା ଖୋଜି ଧନ୍ଦି ହେଉଥିବା
ଏଇ ଅଭିମାନୀ ପ୍ରଗଳ୍ଭ ସଂସାର।
କେବେ ଧୂଳିଝଡ଼ରେ ପୋତି ହୋଇଯାଏ
ସାଇତା ଯୋଜନାର ଅନେକ ଅଧାଗଢ଼ା ଶିଳାନ୍ୟାସ ମାନ
କେବେ ଉଡ଼ିଯାଏ ସଜଡ଼ା ସମୃଦ୍ଧିର ଧ୍ଵଜା
ନିୟତିର ଉଜୁଡ଼ା ତୋଫାନରେ ଭାଙ୍ଗିଦେଇ ଅଧାଭିଜା ମନ।
ଯନ୍ତ୍ରଣାର ବତୁରା ଆର୍ଦ୍ରତାରେ ଖୁବ୍ ଲାଭ ହୁଏ
ବାଲିଘରରେ ଭରିଦିଏ ଯଥେଷ୍ଟ ସ୍ଥିରତା,
ଅଭିମାନ ଓ ଅପମାନ ଏକା ଭଳି ଲାଗନ୍ତି
ଯେବେ ଦୁଃଖ ମାନେ ଡେରା ପକାନ୍ତି ଅଗଣା ମଝିରେ
ଯେତେ ସବୁ ମଧୁରତା ଲାଗେ ଭାରି ପିତା।
ତଥାପି ଜୀବନର ବେଳାଭୂମି ଖାଲି ପଡ଼େ ନାହିଁ
ହେଉ ପଛେ ଲୁଣା ବାୟୁ, ନିଶ୍ୱାସରେ ଭରିଦିଏ ପ୍ରାଣ।
ସ୍ଵପ୍ନ ମାନେ ଭିଡ଼ ଜମାନ୍ତି ସମ୍ଭାବନାର ଲହଡ଼ି ଆଗରେ
କେବେ କିଛି ମିଳିଯାଏ କେବେ ପୁଣି ଦିଶେ ସବୁ ଶୂନ୍ୟ,
ଗଢ଼ା ହୁଏ ଭଙ୍ଗା ହୁଏ କେତେ ଘର ରାଶି ରାଶି ସ୍ୱପ୍ନର ବାଲିରେ
ସେଇ ଘରଟାକୁ ଜଗି ରହିବାର ନାମ ବୋଧହୁଏ ଜୀବନ।