ବୋଉ,
ମୁଣ୍ଡିଆ ମାରୁଛି। ବାପା ଙ୍କୁ ବି ଜଣାଇଦେବୁ।ତୋର ଚିଠି ପାଇଲି। କିଛି କ୍ଷଣ ସ୍ଥାଣୁ ହୋଇ ଡାକ ପିଅନ ଆଗରେ ଠିଆ ହେଲି,ଭାବିପାରିଲିନି କଣ ଅଛି। ଆଜିର ଏଇ ୱାଟସ୍ଆପ ସମୟରେ ତୋର ହାତ ଲେଖା ଚିଠି ଟି ପାଇ ଦୁଇ ଥର ସାଉଁଳି ନେଲି ମୋର ଦୁଇ ଗାଲରେ। ମନେହେଲା ଯେମିତି ତୋର ପଣତ କାନିଟା ଛୁଇଁ ଯାଉଛି ମୋର ସମଗ୍ର ଶରୀର ଆଉ ମୋର ଥକି ଯାଇଥିବା ଦେହ ଓ ମନକୁ।ଲାଗିଲା ଯେମିତି ତୁ ପୋଛିଦେଉଛୁ ସ୍କୁଲ କିମ୍ବା କଲେଜ ରୁ ଫେରିବା ବେଳର ଘର୍ମାକ୍ତ ମୁହଁଟିକୁ ମୋର। ତୋ ହାତ ତିଆରି ଆଚାର,ଘିଅ ବଘରାର ବାସ୍ନା ରେ ଭରିଥିଲା ଚିଠିଟି।ତୋ ପୂଜାଘର କର୍ପୁର ଆଳତୀ ର ମହକ ବି ମହମହ ହୋଇ ମହକୁ ଥିଲା ସେଇ ଚିଠିରେ।ସେଇ ସୁଗନ୍ଧ ମୋର ପାଣ୍ଡୁର ଦିଶୁଥିବା ମୁହଁଟିକୁ ଉଜ୍ଵଳ କରିଦେଲା । କିଛି ମୁହୂର୍ତ୍ତ ପାଇଁ ମୋର ପଞ୍ଚେନ୍ଦ୍ରିୟ ବିଭୋରିତ ହୋଇଗଲେ ସେଇ ସ୍ନେହମୟୀ ପ୍ରାଣଉଦ୍ଦୀପକ ବାସରେ।
ବୋଉଲୋ, ମୁଁ ଜାଣିଛି, ବାପା ମୋ ବିବାହ ର ପ୍ରଥମବର୍ଷ ର ପୁନିଅ ଭାର ଦେଇ ଫେରିବା ବେଳକୁ ମୁଁ କାନ୍ଦିପକାଇଥିଲି,
ବାପାଙ୍କ ଆଖି ବି ଛଳଛଳେଇ ଯାଇଥିଲା।ଡାକି ଆସିଥିଲେ ମୋତେ — କିନ୍ତୁ ଘରେ ଦୋଳ ପୂର୍ଣ୍ଣିମା ରେ ଦୋଳ ଗୋବିନ୍ଦ ଆସିବେ ଭିଡ଼ହେବ, ବୋହୂ ନରହିଲେ ହେବନି ଅତଏବ ମୋର ତାଙ୍କ ସହିତ ଯିବା ସମ୍ଭବ ନୁହେଁ ଉତ୍ତର ଶୁଣି ସେ ଫେରିଥିଲେ।ତାଙ୍କଯିବା ପରେ ଆଣିଥିବା ଭାରବାବଦର ଅଭିଯୋଗ ଗୁଡ଼ାକ ମଧ୍ୟ ଅତ୍ୟନ୍ତ ଶ୍ରୁତିକଟୁ ହୋଇଥିଲା। ଆଉ ତା ଉପରକୁ ଏସବୁକୁ ନେଇ ଆଙ୍କର ନୀରବତା ମଧ୍ୟ ବହୁତ ବାଧିଥିଲା।ସହିନପାରି ଫୋନ ରେ ତୋ ସହିତ କଥା ହେଇ ମୋର ବୈବାହିକ ଜୀବନ ର ଅଭିଯୋଗ ଗୁଡ଼ା ବାଢୁବାଢୁ ମୁଁ କାନ୍ଦକାନ୍ଦ ହୋଇଯାଇଥିଲି। ବୋଉ, ସେଦିନ ଫୋନ ରେ ତୋର ନୀରବତା ଟା ବି ମୋତେ ବହୁତ ବାଧିଥିଲା। କିନ୍ତୁ ପରେ ତୋ ହୃଦୟ ସିନ୍ଧୁକ ରେ ସାଇତା ମାତୃତ୍ୱ, ତୁ ଯେତେବେଳେ ଅଜାଡ଼ି ଦେଲୁ ତୋର ହାତଲେଖା ଚିଠିଟିଏ ଦେଇ, ମୋ ମନର ସମସ୍ତ କୋହ ଜୁଆର ହୋଇ ଉଛୁଳି ପଡ଼ିଥିଲା ମୋ ଆଖି ବାଟ ଦେଇ।
ଅଭିମାନ ର ବନ୍ଧ ଟା ବି ଭାଙ୍ଗିଗଲା ସେଇ ଜୁଆର ର ପ୍ରବାହ ରେ।
ବୋଉ ତୁ ଲେଖିଥିଲୁ–
ସଂସାର ଭିତରେ ଘର କରିଥିଲେ ପଥର ପଡ଼ିଲେ ସହି। ବୋଉ ମୁଁ ବୁଝିଛି,ତୋର ସର୍ବଂସହା ମୂର୍ତ୍ତି କୁ, ମୁଁ ହେତୁ
ହେଲା ଦିନରୁ ଦେଖି ବଡ଼ ହୋଇଛି।ତୁ ଲେଖିଛୁ ଝିଅ ଦୁଇ କୁଳକୁ ହିତା ନ ହେଲେ ପିତା। କିନ୍ତୁ ତୁ ହିଁ କହିଲୁ ସହିବା ଗୁଣ ଟି ମହତ୍ତ ମହୀ ରେ ଯଦି ଠିକ, ତେବେ ଅନ୍ୟାୟ, ଅତ୍ୟାଚାର, ଅସମ୍ମାନ ଇତ୍ୟାଦି କୁ ପିଠି ଦେଖାଇ ସ୍ୱାଭିମାନ ର ସହିତ ବଞ୍ଚି ହେବ କି? ତୁ ଲେଖିଥିଲୁ ଝିଅରେ ସଂସାର ପେଡ଼ି ରେ ଚନ୍ଦନ ପରି ଘୋରି ହେଲେ ଯାଇଁ ମହକିତ ହେବ ମୋର ସଂସାର। କିନ୍ତୁ କହିଲୁ ବୋଉ ମୁଁ ଚନ୍ଦନ କାଠ ଆଉ ସଂସାର ଯଦି ଚନ୍ଦନ ପେଡ଼ି ତେବେ ପେଡ଼ି ବି ସେହିଭଳି ସୁଦୃଢ଼ ତଥା ଉପଯୁକ୍ତ ହେବା କଥାନା ।ତୋର ମନେ ଅଛି ,ଥରେ ବାପା ଗୋଟିଏ ଚନ୍ଦନ ପେଡ଼ି ଆଣିଦେଇଥିଲେ ଯେ ତୁ ଅଭିଯୋଗ କରି କହିଥିଲୁ—–ଚିକଣିଆ ପେଡ଼ିଟା ,ଚନ୍ଦନ ଜମାରୁ ଘୋରି ହେଉନି।
ଠିକ ସେହିଭଳି ବୋଉ, ମୋର ସଂସାର ଟା ଚିକଣିଆ ପଥର ପରି ମୋ କାବୁରୁ ବାହାର ହୋଇଯାଉଛି।ଯେଉଁଥିରେ ମୁଁ ଟିକେ ପିଠିଘଷି,ମୋର ଅନ୍ତଃକରଣ ରେ ଥିବା ବାସ୍ନା ରେ ମହକିତ କରିପାରନ୍ତି ଏଇ ସଂସାର କୁ। ଶୁଷ୍କ ପଡ଼ି ଯାଉଛି ମୋର ପୃଷ୍ଠ ଭୂମି ଶ୍ରଦ୍ଧା, ସ୍ନେହ ଓ ସମ୍ମାନ ର ଜଳବିନା।ତୁ ଲେଖିଥିଲୁ ଝଙ୍କାଳିଆ ସୁଦୃଢ଼ ଗଛଟିଏ ହୋଇ ସାହାରା ଦେବି ଛାୟା ପ୍ରଦାନ କରିବି ଏଇ ମୋର ସଂସାର ରୂପୀ ପରିବାର କୁ। କିନ୍ତୁ ଗଛଟିଏ ଗୋଟିଏ ସ୍ଥାନରୁ ଆସି ଆଉ ଗୋଟିଏ ସ୍ଥାନରେ ପୋତା ହେଲେ,ତାକୁ ସୁରକ୍ଷା ଦେବା,ଏଇକାର୍ଯ୍ୟ ତ ମାଳୀର ନା।ତାଛଡ଼ା ସିମେଣ୍ଟ ଭୂଇଁରେ ବିନା ଜଳ, ମାଟି,ପାଣି,ପବନ ଓ ଆଲୋକରେ ତାର ବୃଦ୍ଧି ସମ୍ଭବକି?
ତୁ ଓ ବାପା ମୋତେ ଶିକ୍ଷିତ କରାଇଛ, କିନ୍ତୁ ତୁ ଚିଠି ରେ ମୋତେ ବୁଝାଇବା କୁ ଯାଇ ଲେଖିଥିଲୁ ଶିକ୍ଷା ମଣିଷକୁ ମହତ୍ କରେ।ଖାଲି ଚାକିରୀ କିମ୍ବା ପଇସା ରୋଜଗାର ପାଇଁ ନାରୀ କେବଳ ଶିକ୍ଷା ପ୍ରାପ୍ତି କରେ ନାହିଁ ବରଞ୍ଚ ତାର ଘର ସଂସାର କୁ,ତାର ପରିବାରକୁ ବାଟ ଦେଖାଇବା ପାଇଁ ସେ ସାଜେ ଆଲୋକ ବର୍ତ୍ତିକା, ଯାହା ତାକୁ ଶିକ୍ଷା ଦ୍ଵାରାହିଁ ପ୍ରାପ୍ତ ହୋଇଥାଏ।ବୋଉ,ଆଲୋକତ ଅଛି,କିନ୍ତୁ ଜୀବନ ରାସ୍ତାରେ ଅନେକ ଖାଇ,ରାସ୍ତା ପାରହେବି କିପରି ?ତଥାପି ଶୈଶବରୁ ନେଇ ଶାଶୁଘରକୁ ପଠାଇବା ପର୍ଯ୍ୟନ୍ତ ତୋଠାରୁ ପ୍ରାପ୍ତ ସାଂସାରିକ ଶିକ୍ଷା ଓ ପୋଥିଗତ ଶିକ୍ଷାକୁ ନେଇ ଆଜି ସଂସାରପଥ ର ସେଇ ଖାଇକୁ ଭରିବାକୁ ଚେଷ୍ଟା କରୁଛି। ଜାଣେନା କେବେ ସଫଳ ହେବି।ତୁ ଲେଖିଥିଲୁ ସୂର୍ଯ୍ୟ ନହେଲେନାହିଁ ଦୀପଟିଏ ହୋଇ ଜଳି ପରିବାର ର ଅନ୍ଧାରକୁ ଦୂର କରିବୁ। କିନ୍ତୁ କହିଲୁ ବୋଉ ମୁଁ କଣ ସେଇ ରୁଖାଦୀପ ଟିଏ ଯେଉଁଥିରେ ସଳିତା ନାହିଁ କି ଘିଅ ନାହିଁ। ଆଉଯଦି ସଳିତା ଘିଅ ସବୁ ଅଛି କିନ୍ତୁ ତାର ଗୁଣବତ୍ତା ଠିକ୍ ନାହିଁ ତେବେ ତାହା ଦୀପ କୁ ପ୍ରଜ୍ଵଳିତ ହେବାରେ ସାହାଯ୍ୟ କରିବ କି?
ବୋଉ ତୋର ମନେଅଛି ମୋ ସାଙ୍ଗ ସଜନୀକୁ। ସେଇଯୁ, କୁଞ୍ଚୁକୁଞ୍ଚିଆ ବାଳ ହୋଇ ଝିଅଟି ଯିଏ ପ୍ରାୟ ମୁଁ କଲେଜରୁ ଫେରିବା ବେଳେ ଲିଫ୍ଟ ମାଗି ମୋସହିତ ସ୍କୁଟିରେ ଫେରେ।ସେ ବହୁଦିନ ପରେ କେଉଁଠୁ ମୋ ନମ୍ବର ପାଇ ଏବେ ମୋ ସହିତ ସମ୍ପର୍କରେ ଆସିଛି। ମେସେଜ ଦିଆନିଆ ରେ ଜାଣିବାକୁ ପାଇଲି ସେ ଜମାରୁ ବିବାହ ନକରିଵାର ନିଷ୍ପତ୍ତି ନେଇଛି।
ତୁ ଜାଣିଛୁ ବୋଉ, ନମିତା—ଯିଏ ମୋର ଉପର କ୍ଲାସ ରେ ପଢ଼ୁଥିଲା କାଲି ଏକ ସାଥୀ ଠାରୁ ମେସେଜ ପାଇଲି ବୈବାହିକ ଜୀଵନରେ ବିଫଳତା ଯୋଗୁଁ ଆତ୍ମହତ୍ୟା କରିଦେଲା।
ଛାଡ଼ ଏପରି କିଛି ଲେଖି ତୋ ମନଟିକୁ ଆଉ ଉଦାସ କରେଇବିନି।ବୋଉ! ତୁ ଡରିଗଲୁ କି।କାଳେ ମୁଁ ବି…….ଉହୁଁ… ନା ବୋଉ ତୋର ରକ୍ତ ମୋ ଦେହରେ,ବାପାଙ୍କର ସ୍ୱାଭିମାନ ମୋର ନିଃଶ୍ବାସପ୍ରଶ୍ୱାସ ରେ ପ୍ରବାହିତ।ତୋର ତେଜରେ ତେଜୀୟାନ,ସୂର୍ଯ୍ୟସମ ପ୍ରତିଭାତ ତୋର ଏଇ ଏକମାତ୍ର କନ୍ୟା କିଛିସମୟ ପାଇଁ କଳାବାଦଲର ଉହାଡ଼ରେ ଲୁଚିଯାଇପାରେ କିନ୍ତୁ ଦିନେନାଦିନେ ତାକୁ ଠେଲି ବାହାରକୁ ଆସିବ ଏ ବିଶ୍ୱାସ ତୋ ଝିଅ ଭାବେମୋର ଅଛି।
ବୋଉ! ଚିଠି ଲେଖା ଏଇଠି ରଖୁଛି।ଶାଶୁ କାଶିବାର ଶବ୍ଦ ଶୁଣାଯାଉଛି।ତାଙ୍କର ଔଷଧ ର ସମୟ ହେଲାଣି।ତୁମେମାନେ ଭଲରେ ରୁହ ଏହାମୋର ଈଶ୍ୱର ଙ୍କ ନିକଟରେ ପ୍ରାର୍ଥନା।
ତୋର ଝିଅ ପ୍ରତିପଦକ୍ଷେପ ରେ ସଫଳ ହେବ।ଏଇ ବିଶ୍ୱାସ ର ସହିତ ତୁମ ଦୁହିଁଙ୍କର ଆଶୀର୍ବାଦ କାମନା କରି ରହୁଛି।
ଇତି ତୋର
ଆଦର ର
ଚାନ୍ଦ
ବୋଉ କୁ ଲେଉଟ ଚିଠି
