ଶ୍ୟାମଲାଲ ବାବୁ ଓ ତାଙ୍କ ପତ୍ନୀ ଯଶୋଦା ଦେବୀ ସବୁ ବର୍ଷ ପରି ଏ ବର୍ଷ ବି କାର୍ତ୍ତିକ ପୂର୍ଣ୍ଣିମାର ପୂର୍ବ ଦିନରୁ ପ୍ରସାଦ ପାଇଁ ସବୁ ପ୍ରସ୍ତୁତି କରିସାରିଲେଣି।ଖାଲି ଯାହା ଅଧ ରାତିରୁ ବ୍ରାହ୍ମଣ ଆସିବ ରୋଷେଇ କରିବ। ଶ୍ୟାମଲାଲ ବାବୁ ବର୍ଷର ଏଇ ଗୋଟିଏ ଦିନ ନିଜ ଉପାର୍ଜିତ ଅର୍ଥରୁ ସଞ୍ଚିତ ସବୁ ଅର୍ଥ ପ୍ରସାଦ ବଣ୍ଟନରେ ଖର୍ଚ୍ଚ କରନ୍ତି। ସହରର ସବୁ ଗରିବଙ୍କ ପାଇଁ ହାତ ଖୋଲା କରି ଦେଇଥାନ୍ତି।ଖାଲି ସେତିକି ନୁହେଁ ନିଜେ ମଧ୍ୟ ଜଗନ୍ନାଥ ମନ୍ଦିର ତୋଳାଇଛନ୍ତି। ସ୍ୱାମୀ ସ୍ତ୍ରୀ ଦୁହେଁ ଓଡ଼ିଆ ନ ହୋଇ ମଧ୍ୟ ଜଗା ପ୍ରେମରେ ଏମିତି ବିହ୍ୱଳ ଯେ ,ଯିଏ ଦେଖିବ ସେ ଆଶ୍ଚର୍ଯ୍ୟ ହେବ।
ପାଞ୍ଚ ବର୍ଷ ପୂର୍ବେ ଶ୍ୟାମଲାଲ ବାବୁଙ୍କର ଟ୍ରାନ୍ସଫର ହେଇଥିଲା ଭୁବନେଶ୍ୱରକୁ । ଦକ୍ଷିଣ ଭାରତୀୟ ଶ୍ୟାମଲାଲ ବାବୁ ପ୍ରଥମ କରି ଓଡ଼ିଶା ମାଟିରେ ପାଦ ରଖିଥିଲେ। ସାଙ୍ଗରେ ତାଙ୍କ ସହଧର୍ମିଣୀ ଯଶୋଦା ଦେବୀ ଓ ଗୋଟିଏ ବୋଲି ଝିଅ ମୀରା। ପ୍ରଥମେ ପ୍ରଥମେ ଓଡ଼ିଆ ଭାଷା ବୁଝିବା ମଧ୍ୟ କଷ୍ଟକର ହୋଇପଡିଥିଲା।ହେବା ବି ସ୍ବଭାବିକ।ପଡୋଶୀ ଅନୁସୟା ମ୍ୟାଡାମଙ୍କ ସହ ଯଶୋଦା ଦେବୀଙ୍କର ଭଲ ଭାବଦୋସ୍ତି।ଅନୁସୟା ଦେବୀ ନିଷ୍ଠାର ସହ ସବୁ ଓଷା ବ୍ରତ ପାଳନ କରନ୍ତି।ସେହି ସମୟରେ ପଡିଲା କାର୍ତ୍ତିକ ପୂର୍ଣ୍ଣିମା।ପଞ୍ଚୁକ ପାଞ୍ଚ ଦିନରେ ଚଉରା ମୂଳେ ମୂରୁଜ କାଟିବା ଠାରୁ ଆରମ୍ଭ କରି ହବିଷ କରିବା ସବୁ ଦେଖୁଥିଲେ ଯଶୋଦା ଦେବୀ।ଅନୁସୟା ଦେବୀଙ୍କ ଠାରୁ ଆମ ଇଷ୍ଟ ଦେବତାଙ୍କ ମାହାତ୍ମ୍ୟ ଶୁଣି ମନ କଲେ ଟିକେ ପୁରୀ ଯାଇ ଜଗା ଦର୍ଶନ କରିବାକୁ। କାର୍ତ୍ତିକ ପୂର୍ଣ୍ଣିମା ଦିନ ବାହାରିଲେ ପୁରୀ।ଏତେ ବଡ଼ ଦିନ ଯେତେବେଳେ ଭିଡ଼ ତ ରହିବ।ଜଗା ଦର୍ଶନ କଲାବେଳେ ହାତରୁ ଖସିଗଲେ ଯଶୋଦା ଦେବୀ ଓ ଝିଅ ମୀରା।କ’ଣ କରିବେ ଶ୍ୟାମଲାଲ ବାବୁ। ସବୁକିଛି ଅନ୍ଧାର ଦେଖାଗଲା ।ଜଗାକୁ ଭଲକରି ଆଉ ଦେଖି ବି ନାହାନ୍ତି।ଚାରିଆଡେ ଖୋଜିଲେ କୋଉଠି ବି ନ ପାଇ ହତାଶ ହେଇ ପୁଣି ଆସିଲେ ସେଇ ଜଗା ପାଖକୁ।ଓଡ଼ିଶା ଆସିବା ମାତ୍ର ଦୁଇ ମାସ ହୋଇଥାଏ ।ପୁଣି ପୁରୀ ଆସିଛନ୍ତି ପ୍ରଥମ କରି । ସ୍ତ୍ରୀ ଝିଅଙ୍କୁ ଏବେ ଖୋଜିବେ କୋଉଠି?ଲଥ୍ କରି ବସିପଡିଲେ ମୁଣ୍ଡରେ ହାତ ଦେଇ।ଜଣେ ବ୍ରାହ୍ମଣ ଆସି ପଚାରିଲେ କ’ଣ ହୋଇଛି ବୋଲି? ସେ ଓଡ଼ିଆ ଧିରେ ଧିରେ ବୁଝିଗଲେ ସିନା କହିପାରୁନାହାନ୍ତି।ଖାଲି ଇଂରାଜୀ ରେ କହିଲେ,” ମାଇଁ ୱ।ଇଫ ଆଣ୍ଡ ଡଟର ।”ବ୍ରାହ୍ମଣ ଜଣକ ବୁଝିପାରି କହିଲେ ,”ବ୍ୟସ୍ତ ହୁଅନା ଜଗା କେବେ କାହା ମନରେ କଷ୍ଟ ଦେଇ ତା ଦୁଆରୁ ଫେରାଏନା। ସେମାନେ ମିଳିଯିବେ। ଆଚ୍ଛା ମିଳିଗଲେ ତମେ କ’ଣ ଦବ ଜଗାକୁ?” ମୋର ସବୁ କିଛି ଦାନ କରିଦେବି ଏଇଠି।” କହିଲେ ଶ୍ୟାମଲାଲ ବାବୁ। ବ୍ରାହ୍ମଣ ହସି କହିଲେ,”ଆମ ରାଜ୍ୟରେ ବହୁତ ଦୁଃଖିରଙ୍କି ଅଛନ୍ତି ତାକୁ କିଛି ଖାଇବା ଦେଲେ ଜଗା ଖୁସି ହେବ”ଏତିକି କହି କୁଆଡେ ଉଭାନ ହେଇଗଲେ ବ୍ରାହ୍ମଣ ଜଣକ।ଏଣେ ଯଶୋଦା ଦେବୀ ଓ ଝିଅ ମୀରା ଆସି ପହଞ୍ଚିଯାଇ ତାମିଲ ଭାଷାରେ କହିଲେ,”ଆରେ ତମେ କେତେବେଳେ ଚାଲିଆସିଲ ଆମକୁ ଛାଡି।ଜାଣିଛ ତମ ସହ ଯୋଉ ବ୍ରାହ୍ମଣ କଥା ହେଉଥିଲେ ସେ ଯାଇ ମୋ ହାତ ଧରି ମତେ ଡାକି ଆଣିଲେ ।କହିଲେ ତମେ କାଳେ ଖୋଜୁଛ ଆମକୁ।”ଶ୍ୟାମଲାଲ ବାବୁ ଆଶ୍ଚର୍ଯ୍ୟ ହୋଇ ପଚାରିଲେ,”ଯିଏ ମୋ ସହ କଥା ହେଉଥିଲେ? “ଯଶୋଦା ଦେବୀ କହିଲେ, “ହଁ,ସେଇ କଳା ହେଇ ବଡ ପେଟ ଥିବା ବ୍ରାହ୍ମଣ ଜଣଙ୍କ।ସେ ମୋ ହାତ ଧରି ଆସିବା ବେଳେ ମତେ ଲାଗୁଥିଲା ଯେମିତି ସ୍ୱୟଂ ଜଗନ୍ନାଥ ଆସୁଛନ୍ତି।କି ମହ ମହ ବାସ୍ନା । ” ଯଶୋଦା ଦେବୀ ଜାଣିପାରୁନଥିଲେ ବି ଶ୍ୟାମଲାଲ ବାବୁ ଜାଣିସାରିଥାନ୍ତି ଇଏ ସ୍ୱୟଂ ଜଗନ୍ନାଥ।ହାତ ଆପେ ଯୋଡ଼ି ହେଇଯାଇଥାଏ ଆଉ ଆଖିରୁ ଝରୁଥାଏ ଭାବର ଲୁହ।
ଭାବର ଲୁହ
