ଭାବ ଭକ୍ତି

ତୁମେ ନିର୍ଦ୍ଦେଶକ ପଥ ପ୍ରଦର୍ଶକ
ଜୀବନ ଚଲା ବାଟର
ହାତ ଧରି ମୋତେ ରାହା ଦେଖାଉଛ
ତମସା କରୁଛ ଦୂର ।।

ଯେତେ ବଖାଣିଲେ ଅନୁଭୁତି ମୋର
ଅସରା ପେଡିକୁ ଖୋଲି
ଅନୁଭବେ ତୁମେ ସେତେ ଆସୁଥାଅ
ଓଠରେ ହସକୁ ବୋଳି ।।

ଯେତେ ଜାବୁଡ଼ିଲେ ଅଦେଖା ଲୁହକୁ
ଆଖି ମାନେ ନାହିଁ ବୋଲ
ତୁମ ଶ୍ରୀମୁଖକୁ ଦର୍ଶନ ମାତ୍ରକେ
କରେ ସିଏ କଲବଲ ।।

ଯେତେ ଥର ଭାବେ ଗାଳି ଦେବି ନାହିଁ
ତୁଣ୍ଡ ଶୁଣେ ନାହିଁ କଥା
ଅଜ୍ଞାନୀ ପଣରେ ଭର୍ତ୍ସନା କରେ ମୁଁ
ଧିକ ମୋର ଅବୋଧତା ।।

ଯେତେ ଭାବୁଥାଏ ମାଗିବାକୁ କିଛି
ମାୟା ଫାନ୍ଦେ ଯାଏ ଫସି
ମାଗିଦେବି କାଳେ କୁବେର ସମ୍ପତ୍ତି
ଲୋଭକୁ କରଇ ବଶୀ ।।

ଯେତେ ଅହମିକା ମୋ ମନ ଭିତରେ
ତୋଳିଛନ୍ତି ଅଟ୍ଟାଳିକା
ଭଗ୍ନ କର ତାକୁ ତୁମ ଶ୍ରୀପୟରେ
ଆରତେ ପକାଏ ଡକା ।।

ଯେତେ ଦିନ ଥିବି ଏ ଭବ ସାଗରେ
ତୁମ ନାମେ ମଜ୍ଜି ଥିବି
ଆୟୁଷ ସଳିତା ସରିଗଲା ପରେ
ମୁକତି ପଥେ ଗମିବି ।।

Leave a Comment

Your email address will not be published. Required fields are marked *