ଦିବସ ଯାକ ପ୍ରଣୟର ନିବେଦନ ପରେ
ଅବସାନ ଘଟେ ସୁଦୀର୍ଘ ପ୍ରତୀକ୍ଷାର।
ଦିଗନ୍ତ ହଂସପୁରେ ଶାୟିତ ସବୁଜ ସୁନ୍ଦରୀର
ଉଛ୍ୱସିତ ପ୍ରେମ ନିବେଦନେ ସମ୍ମୋହିତ ହୋଇ
ବିଶାଳ ଆକାଶ ତାର ବିସ୍ଫାରିତ ବକ୍ଷ ମେଲି
ଦିଗବଳୟେ କରଇ ଆହ୍ୱାନ।
ପ୍ରେମନଦୀ ସାଗରରେ ମିଶେ
ଦୀର୍ଘପଥ ଦିଗନ୍ତରେ ହଜେ।
ଆନନ୍ଦେ ଅଧିରା ହୋଇ ବନାନୀ ସୁନ୍ଦରୀ
ଆକାଶର ବହୁଛାୟା ତଳେ
ମଜ୍ଜିଯାଏ ଭଙ୍ଗିଳ ନୃତ୍ୟରେ,
ପ୍ରିୟତମ ନାଇଦିଏ ନାଲିଆ ଟୋପାଟେ
ଅସ୍ତଗାମୀ ସୂର୍ଯ୍ୟକୁ ଲଗାଇ ଟିପରେ
ଶାୟିତା ସେ ପ୍ରେମିକାର ସୁଉନ୍ନତ୍ତ ସୁଢଳ ସିଂଥିରେ।
ମିଳନର ଏ ଅପୂର୍ବ ମହୋତ୍ସବ ପରେ
ନବବଧୁ ଗଢ଼ିବସେ ତା ସ୍ୱପ୍ନିଳ ସଂସାର
କଳ୍ପନା ନେତ୍ରରେ।
ହୃଦୟେ ଲହଡ଼ି ଭାଙ୍ଗେ ଅସଂଖ୍ୟ ସ୍ପନ୍ଦନ
ଲାଜେଇ ଯାଏ ସେ ଦେଖି ତା ସିନ୍ଥିଭରା ମୁଖ
ନଦୀର ଚହଲା ପାଣିରେ,
ପ୍ରିୟ ତାର ବାନ୍ଧିଦିଏ ଦୃଢ଼ ଆଳିଙ୍ଗନେ
ବିହ୍ଵଳିତ ହୁଏ ସତେ ଆକାଶର ବାସର ଶେଯରେ।
ସୁଖ ପରେ ଦୁଃଖ, ଆଲୋକ ଅନ୍ଧାର
ସବୁକିଛି ଛପା ଯେହ୍ନେ ମୁଦ୍ରାର ଦୁଇ ପାର୍ଶ୍ଵରେ।
ମୁଦ୍ରା ଓଲଟିଲା, ରଙ୍ଗ ବଦଳିଲା
କ୍ଷଣଭଙ୍ଗୁର ଜୀବନର ମୋହଭଙ୍ଗ ହେଲା
ଆକାଶ ଗଳାରେ ଦିଶେ ସ୍ବର୍ଣ୍ଣିମ ଫାଶଟିଏ
ଦିବସର ଆୟୁଷର ଅବସାନ ପରେ,
କାଲରାତ୍ରୀ ଉଭା ହୁଏ ଅନ୍ଧାରୀ ସମ୍ବାଦ ନେଇ
ଅଚାନକ ସମୟ ରଥରେ।
ପୁନରାବୃତ୍ତି ହୁଏନା ସାବିତ୍ରୀ ଉପାଖ୍ୟାନ
ଅଟକିଯାଏ ହସୁଥିବା ଚଞ୍ଚଳ ଜୀବନ
ଭ୍ରୁକ୍ଷେପ ନକରି ଆଜି ସତୀର ବାରଣ
ଯମ ଫାଶେ ପତି ପ୍ରାଣ ହୁଅଇ ହରଣ ।
ଘୋଟିଆସେ ଘୋର ଅନ୍ଧକାର
ଆକାଶର ନୀଳପ୍ରାଣ ହଜିଯିବା ପରେ।
ଲିଭିଯାଏ ସଧବା ମଥାରୁ ଉଜ୍ଜ୍ୱଳ ସିନ୍ଦୁର
ଅସ୍ତ ହୁଏ ସୂର୍ଯ୍ୟ ଯେବେ ଦିଗନ୍ତର କୃଷ୍ଣ ଛାୟା ତଳେ।
ମୁହୂର୍ତ୍ତକ ମଧ୍ୟେ କୁହୁଡ଼ିର ଶ୍ୱେତଶାଢ଼ୀଟିଏ
ମାଡ଼ିଆସେ ଢାଙ୍କିବାକୁ ବନାନୀର ତନୁ ଅତି ସଯତ୍ନରେ
ଆକସ୍ମିକ ବୈଧବ୍ୟକୁ ସହି ପାରେନା ସତୀ
ଆତ୍ମାହୁତି ଦେଇବସେ ନିଶିଥର ନଦୀଗର୍ଭେ
ବିରହ ବିଧୁର ଆକୁଳ ଅନ୍ତରେ। ।
ସଭିଙ୍କ ଅଗୋଚରେ ସତେ କେଇକ୍ଷଣେ ଘଟିଯାଏ
ମିଳନ ଓ ବିଛେଦର ଏ ମର୍ମସ୍ପର୍ଶୀ ଦୃଶ୍ୟ
କାଳର କୃଷ୍ଣାବରଣେ ଲୁଚିଯାଏ
ଜୀବନର ମୋହାସକ୍ତ ରଙ୍ଗ
କାହାଣୀ ସହିତ ଉପସଂହାର ହୁଏ
ନାୟକ ନାୟିକାଙ୍କ ଜୀବନ୍ତ ସତ୍ତାର
ପ୍ରକୃତି କୋଳରେ ସୃଷ୍ଟି ହୋଇ ଅନ୍ତ ହୁଏ
ଭିନ୍ନ ଏକ ପ୍ରେମ ଉପାଖ୍ୟାନ।