ଭିନ୍ନ ଏକ ରଜ

ରଜର ରଙ୍ଗରେ ରଙ୍ଗୀନ୍ ସାଜି
ରଙ୍ଗ ବେରଙ୍ଗର ପୋଷାକ ପିନ୍ଧି,
ଏଠି ସଭିଏଁ ମସଗୁଲ୍ ରଜ ପାଳିବାରେ ।
ଆଉ ସେପଟେ ସେ,
ସେପଟେ ସେ ମସଗୁଲ୍
ନିତି ସକାଳର ଦିନଚର୍ଯ୍ୟା ସାରି
ବାହାରିଯିବାକୁ ନିଜ କର୍ମ କ୍ଷେତ୍ରରେ ।

ମଥାରେ ଭଳି କି ଭଳି କୁଙ୍କୁମ ଟିପା
ଅତି ଯତନରେ ଗଭୀର ସାଜସଜ୍ଜା ହୋଇ,
ଏଠି ସଭିଏଁ ଗାଉଥିଲେ ରଜଗୀତ ।
ଆଉ ସେପଟେ ସେ,
ସେପଟେ ସେ ଆଙ୍କିଥିଲା
ଭିନ୍ନ ଭିନ୍ନ ଆକୃତିର ବୁହା ଝାଳ ଟୋପା
କପାଳ ଉପରେ, ହୋଇ କର୍ମ ବ୍ୟସ୍ତ ।

ନାନା ରକମର ପିଠପଣା ସଙ୍ଗେ
ଗାଢ଼ ବାସ୍ନାର ଅତରେ ଗାଧୋଇ,
ଏଠି ସଭିଏଁ ନାଚୁଥିଲେ ହସକୁ ଫୁଟାଇ ।
ଆଉ ସେପଟେ ସେ,
ସେପଟେ ସେ ଲଢ଼ୁଥିଲା ପେଟ ଭୋକ ମାରି
ନିଗିଡ଼ା ଝାଳର ବାସ ପାନ କରି ।

ସେମାନଙ୍କ ରଜ ବରଷକୁ ଥରେ
ପିଠା ମିଠା ନାଚ ଗୀତକୁ ଧରି,
ଦୋଳିର ପସରା ହସର ଆସର
ସାଙ୍ଗ ସାଥି ମିତ ସଙ୍ଗାତକୁ ଛୁଇଁ ।
ହେଲେ ସେ ତ !
ସେ ତ ବରଷସାରା ପାଳୁଛି
ଭିନ୍ନ ଏକ ରଜ, ସବୁ ଖୁସି ଜାଳି
କର୍ତ୍ତବ୍ୟକୁ ନେଇ ।

Leave a Comment

Your email address will not be published. Required fields are marked *