ହଠାତ୍ ନିଦଟା ଭାଙ୍ଗି ଗଲା।
ରାତି ସାରା କାହିଁକି ଆଦୌ ଠିକ୍ ରେ ଶୋଇ ପାରି ନ ଥିଲି ।
ଯେମିତି ବହୁତ ଶୋଷ ଥିଲା ,ଅସ୍ତ ବ୍ୟସ୍ତ ଅବସ୍ଥା, ବିଚଳିତ ଭାବ ,କେବଳ ଆଉ କେବଳ ନିଜକୁ ନିଜେ ସାନ୍ତ୍ଵନା ଦେଉଥିଲି ।
ଯାହା ହେଉ ରାତି ତ ପାହିଗଲା । ଭାରାକ୍ରାନ୍ତ ମନଟା ଅପେକ୍ଷାକୃତ ଭାବରେ ହାଲକା ନ ହେଲେ ବି ଭଲ ଲାଗୁଥିଲା ।କିନ୍ତୁ ବଡିଭୋରରୁ ନିଦ ଛାଡିଗଲା । ଉଠି ନିତ୍ୟ କର୍ମ ସାରି ସକାଳ ବୁଲା ଦେହକୁ ହିତ ନ୍ୟାୟରେ ଆଗକୁ ଚାଲିଲି । ନିତି ଦିନିଆ ଯଦିଓ ନୁହେଁ , ସେଦିନ କିନ୍ତୁ ଆଗକୁ ଆଗକୁ ଚାଲୁଥାଏ ।ଆଗରେ ଦେଖିଲି ହସିହସି ସମସ୍ତଙ୍କୁ ସ୍ବାଗତ କରୁଥିବା ମାଳତୀ ଗଛର ଫୁଲ ଗୁଡିକ ମଥାନତ କରି ଏବଂ ପତ୍ର ଗୁଡ଼ିକ ବିରସ ବଦନରେ ନିରସ ପ୍ରାୟ ଜୁଳୁଜୁଳୁ କରି ଚାହିଁ ରହିଛନ୍ତି। ବୋଧହୁଏ ମୋ ମନର ଭାବ ଜାଣି ମୋତେ ଉପହାସ ଛଳରେ ପତ୍ରସହ ଫୁଲ ଗୁଡିକ ଟିକେ ଏପଟ ସେପଟ ହୋଇ ହଲିଗଲେ ।
ଏଇଠି ଟିକେ କହି ରଖିବି ,ମାଳତୀ ଫୁଲ ମୋର ବହୁତ ପସନ୍ଦ , ଅହେତୁକ ଦୁର୍ବଳତା ତା ପାଖରେ । ସେ ତ ଅନେକ କଥା …
ତଥାପି ଆଗକୁ ପାଦ ବଢେଇ ପହଞ୍ଚିଲି ମାଳତୀ ଗଛ ପାଖରେ । ଖୁବ ଶ୍ରଦ୍ଧା ଆଉ ବିନମ୍ରତାର ସହ ପଚାରିଲି , ମାଆ ତୋର କ’ଣ ହୋଇଛି । ତୁ ଏତେ ଦୁର୍ବଳ ହୋଇ ଯାଇଛୁ ଯେ ! କହଲୋ ମାଆ କିଭଳି ଆଘାତ ପାଇଛୁ ତୁ ,କି କେହି ତୋତେ ଏ ଯନ୍ତ୍ରଣା ସହ୍ୟ ପାଇଁ ବାଧ୍ୟ କରିଛି କି ! ମାଳତୀ ଗଛଟି ପୁନର୍ବାର ମଥା ହଲେଇ ଦୋଷୀର ନାମ କହିବାକୁ କି ପ୍ରତିବାଦର ସ୍ବର ଉଠେଇବା ପାଇଁ ଅକ୍ଷମତା ପ୍ରକାଶ କଲା । ହୃଦୟ ବିଗଳିତ ହୋଇ ଯାଉଥିଲା ମୋର । କିଏ କିଏ ଦେବ ଏ ପ୍ରଶ୍ନର ଉତ୍ତର , ଯଦି ଜୀବନସାରା ମିଶାଣ ଫେଡାଣ ହରଣ ଗୁଣନର ଅଙ୍କ କଷି ନ ଥିବା ଭାଗଶେଷର ଆଶା ନ ରଖିଥିବା ସଦା ପ୍ରସ୍ଫୁଟିତ ନୀରିହ ଜୀବନର ଏମିତି ଶୋଚନୀୟ ପରାଜୟ ବରଣ ହୁଏ ତେବେ ଚଳଚଞ୍ଚଳ ଜଗତ ନିଶ୍ଚିତ ଭାବରେ ଜଡ଼ ପାଲଟି ଯିବ , ସ୍ଥାଣୁ ଅବସ୍ଥା ଆସିଯିବ ସବୁଠି ,ଅହମିକାର ଆଲିସାନ ଭିତରେ ଧୂଳିସାତ ହୋଇଯିବ ସବୁ । ମାପିବାର କ୍ଷମତା ରଖିଥାଏ ସିନା ଦଣ୍ଡିବାର ମାନସିକତା ନ ଥାଏ ତା’ର । ସେଥିପାଇଁ ବୋଧହୁଏ ଏଭଳି ଦଣ୍ଡରେ ଦଣ୍ଡିତ ସେ ।
ମନ ଭିତରେ ବିଦ୍ରୋହାଗ୍ନି ପ୍ରତିକ୍ଷଣ ପ୍ରଜ୍ବଳିତ ହେଉଥାଏ । ସତେ ଯେମିତି ପାଇକ ବିଦ୍ରୋହରେ ଜଗବନ୍ଧୁ ବିଦ୍ୟାଧର ମହାପାତ୍ର ଭ୍ରମରବର ରାଏଙ୍କର ରକ୍ତରେ ଟକମକ ହେଉଥିଲା ଫିରିଙ୍ଗି ଶାସନ ବିରୁଦ୍ଧରେ । ଏମିତି ସମୟରେ ଗଛର ମାଲିକ ଆସି ବଡ଼ ପାଟିରେ ବହେ ଗାଳିଦେଲେ । ହଇଓ ବାବୁ ,କାହିଁକି ଏମିତି ହନ୍ତସନ୍ତ କରୁଛ ! ନିଇତି ରାତି ନ ପାହୁଣୁ ଟଣାଘୋଷରା କରୁଛ , ଟିକେ ଶାନ୍ତିରେ ନିଶ୍ଵାସ ନେଇ ପାରୁନାହିଁ ମୁଁ । ଆଜ୍ଞା ଏ ମାଳତୀ ଗଛଟିର ଏମିତି ଦଶା କିଏ କରିଛି ଆଜ୍ଞା, ଧୀର ସ୍ୱରରେ ପଚାରିଲି । ଧାଇଁ ଆସିଲେ ବ୍ୟକ୍ତି ଜଣକ , ଭଲ ହୋଇଛି ଏଣିକି ଟିକେ ନିସ୍ତାର ମଣିଷ । କାଲି ଭାବୁଥିଲି କାଟିକୁଟି ସଫା କରି ଦେବି ବୋଲି । ସେ ଆପେ ଆପେ ମୋ କାମକୁ ବିରତି ଦେଇ ତା କାମ କରିଦେଲା ।
ମାଲିକ କହିଲେ ଆଜ୍ଞା ତିନି ଭାଇ ଆମେ ,ଆମର ଜାଗା ଭାଗବଣ୍ଟା ହେବା ପାଇଁ ଏଇ ସ୍ଥାନଟି ମଝିଖୁଣ୍ଟ ଭାବେ ଅମିନ କହିଲେ ,ଅର୍ଥାତ ଏଇଠୁ ତିନି ତିନି ଡିସିମିଲ୍ ତିନି ଜଣଙ୍କର ବୋଲି ସଫା ସଫା ଅମିନ କହିଲେ । ଏହି ଦେଖୁନାହାଁନ୍ତି, ବରଗଛ ଭଳି ମାଳତୀ ଗଛଟା ,ମୋ ବୋଉ ଲଗେଇଥିଲା ପରା । କାଲି ବଡ଼ଭାଇ ବହେ ଗାଳି ଦେଇଛି ,ଏଡ଼େ ବଡ଼ ଗଛ ,ପୁଣି ମଝିରେ । ତେଣୁ ଗଛଟି ପ୍ରଥମେ କଟା ହେବ ,ତା’ ପରେ ଯାଇ ଭାଗବଣ୍ଟରା ହେବ । ବୋଉ ତା’ର ସବୁଦିନ କ୍ଷୀର, ଫୁଲ ,ଭୋଗ,ଧୂପ ସହ ଆଣି ଏଇଠି ଘଣ୍ଟାଏ ବିତାଏ । ମୋ ପୁଅଝିଅ ଟିକେ କ୍ଷୀର ପାଉନାହାଁନ୍ତି ,ବେକାରରେ ଗୁଡାଏ ଯାତ୍ରା ଚଲେଇଛି । ନିଇତି ସକାଳୁ ଦୁନିଆଁ ଯାକର ଲୋକ ଏଇଠି ହାତ ବଢେଇ ନେଉଥିବେ ତ ସେ ମନ୍ଦିରର ନନା ବି ଘୋଷଡା ଟଣା କରି ଥାଳିଏ ନେବେ । ଯାହା ହେଉ ଭଲ ହୋଇଛି ,ବାଡିଯାକ ନିମ୍ବ,ପୁଟିଆ ,ବେଲ ,ଆମ୍ବ,ଜାମୁକୋଳି ଲଗେଇ କେବଳ କଳିଝଗଡା ଯାହା ବଢୁଛି । ଏଇ ଦୁଇତିନି ଦିନ ମଧ୍ୟରେ ସବୁ ସଫା ହେବ । ଏ ଆଗ ଯାଇଛି ତ ଭଲ ହୋଇଛି ।
ଯାଅ ବାବୁ ତୁମେ, ମୁଁ ସପ୍ତାହେ ହେଲା ବଡ଼ ଚିନ୍ତାଗ୍ରସ୍ତ ଅଛି । ମୋ ମୁଣ୍ଡକୁ ପିତ୍ତ ଚଢିଗଲେ ମୁଁ କଣ ନାହିଁ କଣ କହିଦେବି । ଯାଅ ,ଯାଅ କହି ଚାଲିଗଲେ ବାବୁ ଜଣକ ।
ସବୁ ସ୍ବପ୍ନକୁ ଯିଏ ନିଇତି ଗଣ୍ଠିକରି ନଈ ପାଣିରେ ଭସେଇ ଦେଇ ନଈକୂଳରୁ ସୁଖର ପସରାକୁ ଗଣ୍ଠିକରି ଘରକୁ ବୋହି ଆଣି ଘର ଅଗଣାରେ ବିଛେଇ ଦିଏ ସେଇ ବୋଉ ଘରର ସମସ୍ତଙ୍କ ଜୀବନ ଯନ୍ତ୍ରଣାର ଅଳନ୍ଧୁ ଗୁଡା ସକାଳୁ ସକାଳୁ ଝାଡୁରେ ପହଁରି ଖାତରେ ପୋତିଦେଇ ନୂତନ ସୁଖର ସୂର୍ଯ୍ୟ କିରଣର ନାଲି ଆଭା ସବୁଆଡେ ବିଞ୍ଚିବାରେ ମଗ୍ନ ତପସ୍ବୀନୀ ବୋଉ ଅଗଣାରେ ଠିଆ ହୋଇ ଏକଲୟରେ ମାଳତୀ ଗଛ ଆଡକୁ ଚାହିଁ ଥିଲେ ସତ , ଅଜାଣତେ ଆଖିରୁ ବହି ଯାଉଥାଏ ଲୁହର ମୁକ୍ତାବିନ୍ଦୁ ସବୁ । ମୋ ଡାକରେ ପ୍ରକୃତିସ୍ଥ ହେଲେ ।
ଏ ମାଆ ! ଏ ଗଛଟି କ’ଣ ଆପଣ ଲଗେଇଥିଲେ କି ?
ହଁ ରେ ବାପ , ବୋହୁ ହୋଇ ଆସିବା ପରେ ଏ ପରା ମୋର ପ୍ରଥମ ସନ୍ତାନ ତା’ପରେ ଏ ତିନି ପୁଅ ଆଉ ଗୋଟିଏ ଝିଅ । ହେଲେ ମୋ ମାଳତୀ ମୋର ମାଆ ,ମୋର ଝିଅ ,ମୋ ଇଷ୍ଟଦେବୀ ,ସବୁ ସେ ମୋର ।ଆଜି ତା ସମ ମୋର ବି ଅବସ୍ଥା । ସେଥିପାଇଁ ମୋ ଦୁର୍ଦ୍ଦଶା ସେ ଦେଖିବା ଆଗରୁ ଚାଲି ଯାଇଛି ଦୁଃଖରେ । ତା ପରେ ମୋ ପାଳି ,ପୁଅ ଏଥିରୁ ଖଣ୍ଡେ ଡାଳ ନିଅ । ସମୁଦ୍ରରେ ବିସର୍ଜନ କରିଦେବ ।ପ୍ରଭୁ ତା ଆତ୍ମାର ସଦଗତି କରିବେ । ହାତେ ଦୁଇହାତର ଖଣ୍ଡେ ଡାଳ ଭାଙ୍ଗି ମୋତେ ବଢେଇ ଦେଲେ ମାଆ ଜଣକ । ତା ପରେ ସେ ଚାଲିଗଲେ, ହାତରେ ଡାଳଟି ଧରି ଚାଲିଲି ଆଗକୁ, ଆଉ ଆଗକୁ ।
ଆଃ,ଜୀବନରେ କେତେ ବା ପାଠ ପଢିଥିବେ ଏହି ମାଆ ଜଣକ ଯେ , ଶାସ୍ତ୍ରଜ୍ଞ ,ବେଦଜ୍ଞଙ୍କ ଭଳି ଅନେକ କିଛି ବକ୍ତବ୍ୟ ଥୋଇଦେଲେ ମୋ ପାଖରେ , ଛାଡିଦେଲେ ଅସମାହିତ ପ୍ରଶ୍ନର ଗଣିତ ବହି । ତାଙ୍କର ସେ ଛଳଛଳ ଆଖି ତଳେ ଲୁହର ବନ୍ୟାକୁ ବାରମ୍ବାର କାନି ପଣତରେ ଶୁଖେଇ ଦେଉଥିଲେ ସେ, ପିଲାମାନଙ୍କ ସଂସାରରେ ବନ୍ୟା ନ ଆସିବା ପାଇଁ । କୃଷି ବିଶେଷଜ୍ଞ ମାନଙ୍କ ଭଳି ବାଡିସାରା ସ୍ନେହ ମମତାର ଖତସାର ପିଡିଆରେ କେତେବେଳେ ଯଶୋମତି ତ କେତେବେଳେ ଦେବୀ ଦେବକୀ ହୋଇ ପିଲାମାନଙ୍କ ପାଇଁ ଫଳଫୁଲର ସମ୍ଭାର ସଜେଇ ରଖିଛନ୍ତି । ଭାବିଲେ ଆଶ୍ଚର୍ଯ୍ୟ ଲାଗେ , ନିଜ ହାତରେ ନିଜେ ଗଢିଥିବା ପୃଥିବୀଟା ଆଜି କେଉଁ ଗ୍ରହର ଅଶୁଭ ଦୃଷ୍ଟିରେ ଛିନଛତ୍ର ,ଧ୍ଵସ୍ତବିଧ୍ଵସ୍ତ । ପଞ୍ଚସଖା ଯୁଗର କବିଙ୍କର ମାଳିକା ବଚନରୁ ବି ଦୁଇଧାଡି ମାଆ କହିଦେଇ ଗଲେ ମୋ ଆଗରେ ।
କଳିଯୁଗ ଏବେ ହୋଇବ ଅନ୍ଧାର
କଳୁଷିତ ହେବ କୂଳ,
କର୍ମ ଏଠି ହୀନ ଧର୍ମ ସଇତାନ
ଅଧର୍ମ ରଚୁଛି ଫଳ ।।
ଭାଗବତର ଅପଢା ବହି ତ ସବୁ ମାଆ , ଯିଏ ଖଟୁଲୀରେ ପୂଜା ପାଇବା କଥା ।
ଆଜି ସେହି ଅପଢା ବହି ଅଦରକାରୀ କାହିଁକି ! କେତେବେଳେ ଯେ ଖଟୁଲୀରୁ ନର୍ଦ୍ଦମାକୁ ଚାଲିଯାଏ ଉଈ,ଋଖିଆଙ୍କ ଖାଦ୍ୟ ପରେ ଆବର୍ଜନା ଭଳି ।
ଧନ୍ୟ ଏ ମାନସିକତା ସାମ୍ପ୍ରତିକ ସମୟର ଅତ୍ୟାଧୁନିକ ବିଚାରହୀନ ଅବିବେକୀ ମାନଙ୍କର ।
କିଛି ଦିନ ପରେ…
ମନ ତ ଥାଏ ,ସେ ମାଆ ଜଣଙ୍କ ପାଖରେ ।
ସେମିତି ଏକ ସକାଳେ ବୁଲିବା ବାହାନା କରି ସେହି ବାଟ ଦେଇ ଗଲି । ମାଆର ସେହି ବାଡି ବଗିଚା, ମାଳତୀ ଗଛ ,ସବୁ ଫାଙ୍କା ଫାଙ୍କା । ଅର୍ଥାତ ସେଠାରେ ନୂଆ ନୂଆ ଘର ହେବା ପାଇଁ ଖୋଳାଖୋଳି ସବୁ ଚାଲିଛି ।
ମନଟା ବଡ଼ ବିଷର୍ଣ୍ଣ ଲାଗୁଥାଏ, ପାଖ ପଡୋଶୀ ଜଣଙ୍କୁ କଥା ଛଳରେ ପଚାରି ଦେଲି ମାଆଙ୍କର କଥା ।ତାଙ୍କ କଥାରୁ ଯାହା ବୁଝିଲି କି
ମାଆ ଏବେ ବୃଦ୍ଧାଶ୍ରମରେ ଅଛନ୍ତି କାଳେ । କାରଣ ତିନି ପୁଅ ମାଆଙ୍କୁ ବୁଝେଇ ଦେଇଛନ୍ତି ,ଏବେ ତ ନୂଆ ଘର କାମ ଚାଲିଛି । କାମ ସରିଲେ ତୁମକୁ ଘରକୁ ନେଇ ଆସିବୁ । ଏ ମାଟି ,ଖୋଳାଖୋଳି, ଘରକାମ ଭିତରେ କାଳେ ଅସୁବିଧା ଭୋଗ କରିବେ ! ମାଆ ବି ବୁଝିଗଲେ ଯେ,ବିନା ପ୍ରତିବାଦରେ ଚାଲିଗଲେ ମାତ୍ର ଦୁଇଖଣ୍ଡ ଲୁଗା ,ଗୋଟିଏ ଫଟୋ ,ନିର୍ମାଲ୍ୟ ଡବାଟିଏ ସହ ।
ନାଁ ଅଛି ମାଆ ,ନାଁ ଅଛି ମାଳତୀ ଗଛ
ଦୂରରୁ କେହି ଯେମିତି ଇଶାରାରେ କହୁଥିଲା ମିଛ ମାୟାରେ, କାହିଁକି ହେଉ ମନ ବାୟାରେ ।