ଆନି ଆଉ ମୁଁ ପିଲାବେଳୁ ସାଙ୍ଗ। ମାଇନର ସ୍କୁଲରୁ ଆରମ୍ଭ କରି ରେଭେନ୍ସାରେ ପିଜି କରିବା ଯାଏ ଆମର ବନ୍ଧୁତା। ତା ମୋ ବନ୍ଧୁତା ଏତେ ନିବିଡ ଯେ ଲୋକେ ବନ୍ଧୁତାର ଶ୍ରେଷ୍ଠ ଉଦାହରଣ ଦବାକୁ ଯାଇ ଆମ ନାଁ ନିଅନ୍ତି।ଏବେ ସେ ବାହା ହେଇ ତା ସ୍ୱାମୀ ସହ ଗୁଜୁରାଟରେ ଆଉ ମୁଁ ଏଇ ଓଡ଼ିଶାରେ। ସ୍ୱାମୀ,ଶାଶୁ, ଶ୍ୱଶୁର,ସାନ ନଣନ୍ଦ ଆଉ ମୋ ଚାକିରୀକୁ ନେଇ ମୋ ସଂସାର।ମୋର ଏଇ ବ୍ୟସ୍ତ ବହୁଳ ଜୀବନରେ ମତେ କୋଉ ଥରେ ଅଧେ ସମୟ ମିଳେ ଆନିକୁ ଫୋନ୍ ଲଗେଇ କଥା ହେବାକୁ। ହେଲେ ସେ ପ୍ରାୟ ସମୟ ମତେ ଫୋନ୍ କରେ।ଏଥର ଜାନୁଆରୀରେ ସିଏ ଆସିଥିଲା ତା ଘରକୁ । ପାଖାପାଖି ଗୋଟିଏ ମାସ ରହିଲା । ବାରମ୍ବାର ମତେ ଡାକିଲା ତ ଘରକୁ ହେଲେ ମତେ ଗୋଟିଏ ଦିନ ବି ସମୟ ମିଳି ନଥିଲା।ଭାବିଥିଲି ସେ ଗୁଜୁରାଟ ଫେରିଯିବାର ଦିନ ମୁଁ ନିଶ୍ଚୟ ଯିବି।ସେ ଯେହେତୁ ସନ୍ଧ୍ୟା ବେଳକୁ ବାହାରିବ ତେଣୁ ମୁଁ ସକାଳୁ ଯିବି ବୋଲି ଭାବିଥିଲି। ସେଥିପାଇଁ ମୁଁ ଆଗରୁ ପ୍ରସ୍ତୁତ ହେଇ ସାରିଥାଏ। ସକାଳୁ ଉଠି ଶୀଘ୍ର ରୋଷେଇ ସାରି ଘରୁ ବାହାରିଯିବି ବୋଲି ଭାବିଲା ବେଳକୁ ଶାଶୁ ଆସି କହିଗଲେ,”ଆଜି ତୋ ବଡ ନଣନ୍ଦ ଆଉ ନଣନ୍ଦେଇ ଆସିବେ ,ତୁ ତୋ ସାଙ୍ଗ ସହ ଆଉ କେବେ ଦେଖା କରିଦେବୁ। ଏମିତିରେ ବି ସେ ସାଙ୍ଗ ହେବା ବୟସ ଆଉ ତୋର ଅଛି ନା ଏବେ ଶାଶୁଘରର ବୋହୂ ହେଲୁଣି ପରା।” ମୁଁ ଚୁପଚାପ୍ ସବୁ ଶୁଣୁଥାଏ ଆଉ ଭାବୁଥାଏ ଦୀର୍ଘ ଛ ବର୍ଷ ପରେ ଆମର ଟିକିଏ ଦେଖାହେଇଥାନ୍ତା ସେଇଟା ବି ଭଗବାନ ଚାହିଁଲେନି। ମନକୁ ମାରି ରୋଷେଇରେ ଲାଗିପଡିଲି। ତିନି ଚାରି ପ୍ରକାରର ରୋଷେଇ କରି ଅପେକ୍ଷା କଲି ନଣନ୍ଦ ଓ ନଣନ୍ଦେଇଙ୍କୁ। ଦିନ ଦୁଇଟା ହେଲାଣି ସେମାନେ ଆସିନାହାନ୍ତି କାହିଁକି ବୋଲି ଭାବି ତାଙ୍କୁ ଫୋନ୍ କଲି।ସେପଟୁ ନଣନ୍ଦ କହିଲେ,”ଭାଉଜ ୟାଙ୍କ ପିଲାଦିନର ସାଙ୍ଗ ଦେଖାହେଲେ ତ ତାଙ୍କ ଘରକୁ ଜିଦି କରି ଡାକି ଆଣିଛନ୍ତି। ଆମେ ଏଇଠି ଲଞ୍ଚ କରି ଯିବୁ । ଆମକୁ ଅପେକ୍ଷା ନକରି ଖାଇଦିଅ। ବୋଉକୁ ବି ଟିକେ ଜଣେଇଦେବ।” ଫୋନ୍ ରଖି ମୁଁ ଥପ୍ କିନା ବସିପଡ଼ିଲି। ଘଣ୍ଟାକୁ ଚାହିଁ ଭାବୁଥାଏ ଏବେ ଚାହିଁଲେ ବି ଆଉ ଯାଇ ହବନି କାରଣ ଆନୀ ଘର ମୋ ଶାଶୁ ଘରଠାରୁ ଦୁଇ ତିନି ଘଣ୍ଟାର ବାଟ। ପାଖରେ ଥୁଆ ହେଇଥାଏ ମୋ ବାହାଘର ବେଳେ ଆନୀ ଉପହାର ସ୍ୱରୂପ ଦେଇଥିବା ଦୁଇଟି ମାଟି କଣ୍ଢେଇ। ଆଖି ଛଳଛଳ ହୋଇ ଯାଉଥାଏ ତାକୁ ଦେଖି। ସକାଳେ ଆନୀ କହିଥିବା ଦୁଇପଦ କଥା ମନେ ପଡିଯାଉଥାଏ,”ଦେଖ୍ ମୋ ପାଇଁ ନହେଲା ନାହିଁ ମୋ ଝିଅ ପାଇଁ ତ ଆସେ, ତାକୁ ବି ଦେଖିବାକୁ କ’ଣ ତୋର ମନ ହଉନି।”କଣ୍ଢେଇ ଦୁଇଟି ଧରି ଖୁବ୍ କାନ୍ଦିଲି। ଏତିକି ବେଳେ ଆନୀ ତରଫରୁ ଗୋଟିଏ ମେସେଜ ଆସିଲା।” ଦେଖା କରିପାରିଲୁନି ବୋଲି ମନ କଷ୍ଟ କରିବୁନି।ଝିଅଟିଏ ବାହା ହେବା ପରେ ସବୁ କିଛି ବଦଳିଯାଏ। ମୁଁ ଜାଣେ ତୋର ସେମିତି କିଛି ପରିସ୍ଥିତି ଆସିଥିବ। ଦେଖା ନ ହେଲେ ବି ତୋ ସାଙ୍ଗ ସବୁବେଳେ ତୋ ପାଖେ ପାଖେ ଅଛି।” ତା ମେସେଜ ଦେଖି ଆପେ ଆପେ ମୋ ଓଠରେ ହସଟିଏ ବୁଣି ହେଇଗଲା।
ମାଟି କଣ୍ଢେଇ
