ମୁଁ ଯେ ଜହ୍ନ

କବି କବିତାରେ ହୁଏ ମୁଁ ଜୀବନ୍ତ
ସାଜି କାହା ପ୍ରିୟତମା,
କେତେ କେତେ ଛନ୍ଦ ଅଲଙ୍କାରେ ମୁଁ ଯେ
ନାହିଁ ଯାହାର ଉପମା ।।

ସାଜନ୍ତି ପାଗଳ ପ୍ରେମିକ ପ୍ରବର
ଦେଖି ମୋର ରୂପକାନ୍ତି,
କାହା ପାଇଁ ପ୍ରୀତି କାହା ପାଇଁ ତୃପ୍ତି
କାହା ପାଇଁ ମୁଁ ଯେ ସ୍ମୃତି ।।

ମୋ ଶୀତଳ ଛୁଆଁ କରାଏ କିମିଆ
ସବୁ ଲେଖକର ମନ,
ଉଠଇ ଚଞ୍ଚଳ ଦେଖି ମୋ ମଣ୍ଡଳ
ପ୍ରତି ଲେଖନୀର ମୁନ ।।

କୁଆଁରୀ ପାଇଁ ମୁଁ କଳ୍ପିତ କୁମାର
କଳଙ୍କିତ ମୋର ଶୋଭା,
ତଥାପି ତୁଳନା ନାହିଁ ମୋ କଳନା
କିଏ ମୋର ସରି ଅବା ?

ଝରକା ଫାଙ୍କର ଅନାମିକା ନାୟିକା
ଲୁଚି ମୋତେ ଦେଖ କାଇଁ,
ନୁହେଁ ମୁଁ ଉର୍ବଶୀ ଅବା ଚିତ୍ରଲେଖା
ମୁଁ ଯେ ଖାଲି ତୁମ ପାଇଁ ।।

Leave a Comment

Your email address will not be published. Required fields are marked *