ଆଜି ତା’ କାନେ କିଛି କହିବାକୁ ଚାହୁଁଛି । କୁହୁଡିର ଚାଦର ତଳେ ଲୁଚିଥିବା ମନର ଭାବନାକୁ ଚିଠିରେ ଉତାରି ବାକୁ ଇଚ୍ଛା ହେଉଛି । ମୁଁ ତାକୁ ଈର୍ଷା କରେ । ଅଭିମାନର ରଙ୍ଗ ଦେଇ ତା’ର ଚିତ୍ର ଆଙ୍କେ ମନ କାନଭାସରେ । କାରଣ ପରଅପର ସଭିଙ୍କ ପାଇଁ ସେ ଇନ୍ଦ୍ରଧନୁ ସାଜିଲା ବେଳେ ମୋ ପାଇଁ ସବୁବେଳେ ଉତ୍ତପ୍ତ ରୈାଦ୍ର ଦଗ୍ଧ ମରୁ । ସ୍ରୋତସ୍ବିନୀ ଜୀବନରେ ସେ ଧୀର, ସ୍ଥିର ଆଉ ତରତର ହେଇ ପ୍ରବାହିତ ହେଉଛି ତା’ ବେଗରେ । ମୁଁ ମେଞ୍ଚେ ଭାବନାକୁ ଜାକି ଝୁଣ୍ଟିପଡେ ମନର ଏରୁଣ୍ଡି ବନ୍ଧରେ ହେଲେ ସେ ନ ଥକି ଚାଲୁଥାଏ ଅବିରତ । ପ୍ରତି ମୁହୂର୍ତ୍ତରେ ତା’ ପାଦଗୁଡିକ ଶଦ୍ଦ କରୁଥାନ୍ତି, ହେଲେ ମୁଁ ଅବଶ ଶରୀରକୁ ନେଇ ପଡି ରହିଥାଏ ଘରର କେଉଁ ଅନ୍ଧାରିଆ କୋଣେ । ଜୀବନର ପୃଷ୍ଠା ପରେ ପୃଷ୍ଠାରେ ଲେଖି ଚାଲିଛି ନିଜ ସ୍ମୃତି, କିଛି ଅନୁଭୂତି ଓ କିଛି ହୃଦୟ ବିଦାରକ କାହାଣୀ । କିନ୍ତୁ ସେ ଧାବମାନ ଆଉ ଏକ ନୂତନ ଇତିହାସ ଲେଖିବାକୁ ।
ତା’ର ଚକା ଭଉଁରୀ ଖେଳରେ ମୁଁ ଛନ୍ଦି ହେଇଛି ଅଡୁଆ ସୂତା ସଦୃଶ୍ୟ । ସତେ ଯେମିତି ସେ ପରିଧି ଭିତରେ ମୁଁ ଫସିଯାଇ ଅଣନିଃଶ୍ବାସୀ ହେଇ ଯାଉଛି । ହାତଗୋଡ ଯେତେ ଛାଟିପିଟି ହେଉଛି ତା’ ଭଉଁରୀ ଭିତରୁ ମୁକୁଳିବା ସେତେ ଅସମ୍ଭବ ହେଇ ପଡୁଛି । ଯେତେ ଥର ମୁକ୍ତ ବିହଙ୍ଗ ସାଜି ଉଡ଼ିବାକୁ ଚେଷ୍ଟା କରୁଛି, ସେତେଥର ମୋତେ କ୍ଷତାକ୍ତ କରି ଜୀଅନ୍ତା ଶବ କରି ଛାଡି ଦେଉଛି ସେ । ଆଖିର ଲୁହ ଆଖିରେ ଶୁଖି ଯାଉଛି । ଅର୍ନ୍ତଆତ୍ମା ର ବିଳାପ ଶଦ୍ଦଶୂନ୍ୟ ହେଇ ପବନରେ ଭାସି ଯାଉଛି । ତଥାପି ତା’ର ଲାଞ୍ଛନା ଲଦି ଦେବା ବନ୍ଦ ହେଉ ନାହିଁ । ଧୀରେ ଧୀରେ ମୋର ଦମ୍ଭ ଓ ଧୈର୍ଯ୍ୟ କମି କମି ଯାଉଛି । ଧୀରେ ଧୀରେ ଜୀବନ ଦୀପର ଆୟୁଷ ସରି ସରି ଯାଉଛି । ହେଲେ ସେ ଆଣି ଏମିତି ଏକ ଦୋଛକିରେ ନିଶ୍ବ କରି ଛିଡ଼ା କରିଦେଇଛି ଯେଉଁଠି ପଛକୁ ବୁଲି ଦେଖିଲେ କିଛି ମିଠା ସ୍ମୃତି ସହ ଅନ୍ତହୀନ ପ୍ରତିକ୍ଷା । ଆଉ ଆଗକୁ ଦେଖିଲେ ଦିଶୁଛି କେବଳ ଅନ୍ତହୀନ ଯନ୍ତ୍ରଣା ସହ ସୁଦୀର୍ଘ ଅଜ୍ଞାତ ଠିକଣା ! ସମସ୍ତେ କହୁଛନ୍ତି ତା’ ଗତି ସହ ତାଳ ଦେଇ ଦେ, ଦେଖିବୁ ସବୁ ଠିକ୍ ହେଇଯିବ । କାହିଁ, ନାହିଁ ତ ! ଦିନ ପରେ ଦିନ । ରାତି ପରେ ରାତି । ଖରା, ବର୍ଷା, ଶୀତ ଯାଇ ବର୍ଷ ପରେ ବର୍ଷ ବିତିଚାଲିଛି । ତଥାପି ଶଦ୍ଦଶୂନ୍ୟ ବିଳାପ ରାତିରେ ଶୁଏଇ ଦେଉନି । ଆଜି ବି ସେ ପଚାରୁଛି ତୋ ଅସ୍ତିତ୍ବର ପରିଚୟ କାଇଁ? ଆଜି ବି ଗୋଟିଏ ପ୍ରଶ୍ନ ମନ ଭିତରୁ ସବୁବେଳେ ଉଙ୍କି ମାରେ ମୋ ଭାଗ୍ୟରେ ସେ ସୁଖ ନାହିଁ ; ନା ତୁ ସେ ସୁଖ ଦେବାକୁ ଚାହୁଁ ନାହୁଁ?
ଯେତେବେଳେ ବୟସ ଥିଲା ମୋତେ ଖାଲି ଧକ୍କା ମାରିଲୁ । ଯେତେଥର ମେରୁଦଣ୍ଡ ସିଧା କରିବାକୁ ଚେଷ୍ଟା କଲି ସେତେଥର ଧକ୍କା ଦେଲୁ । ଶେଷରେ ଚାଲି ଚାଲି ପାଦର ଜୋତା ଛିଣ୍ଡିଗଲା ପଛେ ତୋତେ ଦୟା ଆସି ନଥିଲା । ଯଦି ଅନୁରାଗରଞ୍ଜିତ ସ୍ବପ୍ନଟିଏ ଦେଖି ନଥାନ୍ତି ; ହୁଏତ ଆଜି ଜୀବନର ଏତେ ବାଟ ଆସି ପାରିନଥାନ୍ତି । ସାହସ ଦେଇ ସେ ହାତ ଧରି ବାଟ କଢେଇଲା ବୋଲି ଭାଗ୍ୟ ଟିକେ ସୁଖ ଦେଲା । ଜୀବନର ବୋଧେ ସେତିକି ହିଁ ସୁନ୍ଦର ଓ ଅବିସ୍ମରଣୀୟ ମୁହୁର୍ତ୍ତ ଥିଲା । ହେଲେ ତୁ ଫେରେ ଏମିତି ଚକା ଚକା ଭଉଁରୀ ଖେଳିଲୁ ଯେ ସେ ସ୍ବପ୍ନର ଅନୁରାଗର ବି ଦମ୍ଭ ଭାଙ୍ଗି ପଡିଲା । ତାକୁ ଦେଖି ମୁଁ ପୁଣି ଥରେ ଭାଙ୍ଗି ପଡିଲି ।
ମୋର କିଛି ଭୂଲ ନଥିଲା ସତ ତଥାପି ତୁ ମୋତେ ଦୋଷୀ କରିଦେଲୁ । ଅପରାଧ କିଛି ନଥିଲା ମୋର ତଥାପି ତୁ ମୋତେ ଦଣ୍ଡ ଦେଲୁ । କହନ୍ତି ଅପେକ୍ଷାର ଫଳ ମିଠା ହେଲେ ମୋତେ ତ ଉପେକ୍ଷା ମିଳିଲା । ଯନ୍ତ୍ରଣାକୁ ଛାତିରେ ଲୁଚେଇ, ଅମାନିଆ ଲୁହକୁ ଢ଼ୋକି ଦେଇ ମୁହଁରେ ଚେନାଏ ହସ ବୋଳିଲି ବୋଲି ସମସ୍ତଙ୍କୁ ଲାଗୁଛି ମୋତେ କିଛି ଫରକ ପଡୁନି ! ସମସ୍ତଙ୍କୁ ଲାଗୁଛି ସତେ ଯେମିତି, “ମର୍ଦ କୋ ଦର୍ଦ ନହିଁ ହୋତା”……ହୁଏ ବହୁତ କଷ୍ଟ ହୁଏ, କିନ୍ତୁ ତୁ ବୁଝି ପାରିବୁନି । ସେ କଷ୍ଟ ନା କହି ହୁଏ, ନା ଦେଖେଇ ହୁଏ ନା ସହି ହୁଏ । ବାସ୍ ନିଜ ଭିତରେ ଆବଦ୍ଧ ଥାଏ ।
ମୁଁ କିଛି କହିବା ବୁଝିବା ଆଗରୁ ମୋ ପାଖରୁ ତାକୁ ଛଡେଇ ନେଲୁ ! କଥା ତ ବାସ୍ ଏତିକି ଏତେ ରାତିକୁ ମେଞ୍ଚାଏ ସ୍ବପ୍ନ ରହିଗଲା ବାକି । କଥା ତ ବାସ୍ ଏତିକି ଯେବେ ମୁଁ ଥିଲି ତୁ ସହଯାତ୍ରୀ ହେଲୁ ନାହିଁ । କେବେ ଯଦି ତୁ ଥାଉ ହୁଏତ ମୁଁ ନଥିବି ତୋ ସହଯାତ୍ରୀ ହେବାକୁ ! ଅସହାୟତାର ନୀରବତାରେ, ଶଦ୍ଦଶୂନ୍ୟ ବିପ୍ଲବର ସ୍ବରରେ, ଯନ୍ତ୍ରଣାର ଆତ୍ମଗ୍ଲାନିରେ, ଅଭିମାନର ଛଳଛଳ ଆଖିରେ, ବାନ୍ଧି ପାରନ୍ତି କି ତତେ? ହାତ ଧରି ଅଟକାଇ ପାରନ୍ତି କି ତୋ ଘଣ୍ଟାକଣ୍ଟାର ଟିକ୍ ଟିକ୍ ଶଦ୍ଦକୁ?
ଶେଷ ଇଚ୍ଛା କେବଳ କାଣିଚାଏ ଆଲୋକରେ ପାଇବା ପାଇଁ ମୁଠାଏ ସମ୍ଭାବନା !!
ଇତି,
ଏକ ଅସ୍ପଷ୍ଟ ଅସ୍ତିତ୍ବ