ରଜ

ରଜ ଆସ ଟିପି ଟିପିଟିପି
ବରଷା ଟୋପାରେ,
ଭିଜାଅ  ଏ ତନୁ ମନ
ରଜ ମଉଜରେ l
ରଜ ଆସ ଆମ୍ବ ତୋଟା
ଦୋଳିରେ ଦୋଳିରେ,
ହଜି ଯାଆନ୍ତୁ ସଭିଏଁ
ଗୀତରେ ଗୀତରେ l
ରଜ ଆସ କୁଆଁରୀଙ୍କ
ମେହେନ୍ଦୀ ରଙ୍ଗରେ,
ସାଙ୍ଗ ସାଥୀ ମେଳେ କାଳ
କଟୁ ଆନନ୍ଦରେ l
ରଜ ଆସ ମିଠା ପାନ
ମଧୁରେ ମଧୁରେ,
ଲାଲିମା ବିରାଜୁ ଆଜି
ଅଧରେ ଅଧରେ l
ରଜ ଆସ ନବୀନାଙ୍କ
ଅଳତା ଗାରରେ,
ବସୁମତୀ ଶୋଭୁ ତାଙ୍କ
ପଦ ଯୁଗଳରେ l
ରଜ ଆସlମାଆ ହାତ
ପୋଡ଼ ପିଠା ପରେ,
ସଭିଙ୍କ ପେଟ ପୁରାଇ
ଦିଅ ହରଷରେ l
ରଜ ଆସ ପଣସରେ
ପକ୍ୱ ରସାଳରେ,
ଧରଣୀ ମହକୁ ତାଙ୍କ
ମିଠା ମହକରେ l
ରଜ ଆସ ଯୁବକଙ୍କ
ବାଗୁଡ଼ି ଖେଳରେ,
ହସି ଉଠୁ ପଲ୍ଲୀ ପୁର
ଖୁସିରେ ଖୁସିରେl
ରଜ ଆସ ଆଈମା’ର
ପାକୁଆ ପାଟିରେ,
ପାନ ଖାଇ ହସୁଥାଉ
ମନ ମଉଜରେ l
ରଜ ଆସ ଚାଷୀ ଭାଇ
ଲଙ୍ଗଳ ମୁନରେ,
ମାଟି ତା ମହକ ବୁଣୁ
ପହିଲି ବର୍ଷାରେ l
ରଜ ତୁମେ ଶ୍ରେଷ୍ଠ ଅଟ
ପରବ ମଧ୍ୟରେ,
ଚାରି ଦିନ କଟିଯାଏ
ଖୁସିରେ ଖୁସିରେ l
ପହିଲି ରଜ ରୂପେ
ପ୍ରଥମ ଦିନରେ,
ସଂକ୍ରାନ୍ତି ରୂପରେ ଆସ
ଦ୍ଵିତୀୟ ଦିନରେ l
ଭୂମି ଦହନ ରୂପେ
ତୃତୀୟ ଦିନରେ,
ବସୁମତୀ ସ୍ନାନ ରୂପେ
ଚତୁର୍ଥ ଦିନରେ l
ନାରୀଏଁ ସଜ ହୁଅନ୍ତି
ପ୍ରଥା ଅନୁସାରେ,
କୃଷକ ହୁଅନ୍ତି ତୋଷ
ଵିଲୋକି ମେଦୂରେ l
ମାଆ ଭଉଣୀ ଲଭନ୍ତି
ବିଶ୍ରାମ ବିଧିରେ,
ରୋଷେଇ କାର୍ଯ୍ୟ କରନ୍ତି
ପୁରୁଷ ଅଚିରେ l
ତୁମର ପାଳନ ଵିଧି
ଆମ ସଂସ୍କୃତିରେ,
ମହମହ ବାସୁଥାଏ
ସାଦରେ ସାଦରେ l
ଆମ ପରମ୍ପରା ଅଟେ
ଅତୁଳ ବିଶ୍ୱରେ,
ଆମ ରୀତିନୀତି ଗାଥା
କିଏ ଭୁଲିପାରେ l
ଆତ୍ମୀୟ ସ୍ୱଜନ ବନ୍ଧୁ
ବାନ୍ଧବ ମେଳରେ,
ରଜ ପରବ ମନାଉ
ଆନ୍ତରିକତାରେ l
ପ୍ରତି ବର୍ଷ ଆସ ତୁମେ
ହର୍ଷ ଉଲ୍ଲାସରେ,
ପ୍ରତିଟି ଓଡ଼ିଆ ପ୍ରାଣ
ଭରୁ ସନ୍ତୋଷରେ l

Leave a Comment

Your email address will not be published. Required fields are marked *