ରଜଗୀତ

ଜୟ ପ୍ରଭୁ ଜଗନ୍ନାଥ,
ତୁମ ପାଦତଳେ କୋଟି ପ୍ରଣତି,
କୋଟି ପ୍ରଣତି ହେ
କୋଟି ଓଡ଼ିଆଙ୍କ ନାଥ l
ଆସିଛି ରଜ ପରବ,
କୁଆଁରୀ ଝିଅଙ୍କ ଗେଲ ଗରବ,
ଗେଲ ଗରବ ସେ
ହସି ହସି ଦିନ ଯିବ l
ନଈରେ କୋଚିଆ ଗାତ,
ଦୁହିତା ଜନମ ଦୁଇକୁଳକୁ
ଦୁଇ କୁଳକୁ ଲୋ
ଦୁଇ କୁଳ ପାଇଁ ହିତ l
ନଈକୁ ଫିଙ୍ଗିଲି ଗିଲ,
ଭୁଲି ହେବ ନାହିଁ ଏ ସାଙ୍ଗ ମେଳ,
ଏ ସାଙ୍ଗ ମେଳ ଲୋ
ଝୁରି ଝୁରି ଯିବ କାଳ l
ଦୁଇ କାନେ ମୋ ଝୁମୁକା,
ପରଦେଶୀପ୍ରୀତି ଦୁଇଦିନିଆ,
ଦୁଇ ଦିନିଆ ଲୋ
ଚାଲିବାକୁ ହେବ ଏକା l
ଦୋଳି ଝୁଲେ ଧିରେ ଧିରେ,
ଜୀବନ ନାଟକ ଅତି କରୁଣ,
ଅତି କରୁଣ ଲୋ
ଭାବି ଭାବି ଦିନ ସରେ l
ଆମ୍ବ ତୋଟା ଥଣ୍ଡା ଛାଇ,
ଜୀବନ ତ ଏକ ଦୁଃଖ ସାଗର
ଦୁଃଖ ସାଗର ଲୋ
ହସି ହସି ଯିବା ଡେଇଁ l
ପଣସ ଗଛର ଅଠା,
ଜୀବନ ଶଯ୍ୟାରେ ଗୋଲାପ କଣ୍ଟା,
ଗୋଲାପ କଣ୍ଟାଲୋ
ପଦେ ପଦେ ରକ୍ତଛିଟା l
ପୋଖରୀରେ ନୀଳକଇଁ,
ଆଜିର ଭାବ ତ କାଲିକୁ ନାହିଁ,
କାଲିକୁ ନାହିଁଲୋ
ସୁଖ ଦୁଃଖ ଖରା ଛାଇ l
ମେହେନ୍ଦି ଦୁଇ ହାତରେ
ଟିପା ଚନ୍ଦନ ତ ଅତି ସୁନ୍ଦରେ
ଅତି ସୁନ୍ଦରେ ଲୋ
ଶୋଭୁଅଛି କପାଳରେ l

Leave a Comment

Your email address will not be published. Required fields are marked *