ରଜ ଆସିଛି

ରଜ ଆସିଛି
ମେଘର ସ୍ୟାହିରେ ଆକାଶ ଛାତିରେ
ମନୋହରୀ ଚିତ୍ର ଆଙ୍କି,
ଆଶ୍ୱାସନା ଭରା ସମାଚାର ନେଇ
ଦୁଃଖକୁ ସାମାନ୍ୟ ଢାଙ୍କି।

ରଜ ଆସିଛି
ଅଳତାରେ ବୋଳା ପାଦରେ ପାଉଁଜି
ନାଚି ଝମ ଝମ କରି,
ଜୀବନରେ ଭରି ମେହେନ୍ଦୀର ରଙ୍ଗ
ତାମ୍ବୁଳେ ସୁବାସ ଭରି।

ରଜ ଆସିଛି
ମାଟିମନସ୍କ ସେ ଆକାଶକୁ ଡାକି
ସୁରୁଜକୁ ଢାଙ୍କି ଦେଇ,
ମାଟି ଆଜି ପ୍ରିୟ ମିଳନ ପିଆସୀ
ଓଦା ସରସର ହୋଇ।

ରଜ ଆସିଛି
କବରୀରେ ଭରି ସପନର ମଲ୍ଲୀ
ଖୁସିର କୁଙ୍କୁମ ଟିପା,
ଦୋଳି ଖେଳେ ବସି ଖିଆଲି ଖେଳାଳି
ଭୁଲି ଗଲା କଥା ବ୍ୟଥା।

ରଜ ଆସିଛି
ଚାଷୀର ପିଠିରେ ପଖିଆଟେ ହୋଇ
ସୁନାର ସପନ ଧରି,
ନବ ସମ୍ଭାବନାର ସମ୍ବାଦ ସାଥିରେ
ଆଶାର ଆଲୋକ ଭରି।

ରଜ ଆସିଛି
ରସନାରେ ଭରି ସ୍ୱାଦର ସମ୍ଭାର
ପିଠା ମିଠାର ବାସ୍ନାରେ,
ସୁଖ ଟିକେ ଆସି ଉଲସାଇ ଦିଏ
ଦୁଃଖ କଳାମେଘ ତଳେ।

ରଜ ଆସିଛି
ମାଟିର ବାସ୍ନାରେ ଚେତନାକୁ ଛୁଇଁ
ଜଗାଇ ଉମଙ୍ଗ ପ୍ରାଣେ,
ଜୀବନର ଦୋଳି ଆନନ୍ଦ ତରଙ୍ଗେ
ଉଡ଼େ ଦୂର ଗଗନରେ।

ରଜ ଆସିଛି
ଓଡ଼ିଶାର ମହା ଗଣପର୍ବ ହୋଇ
ଇନ୍ଦ୍ରଧନୁ ଝଲକରେ,
ମୌସୁମୀର ନବ ଉପହାର ସାଥେ
ଧରାକୁ ପ୍ଲାବିତ କରେ।

Leave a Comment

Your email address will not be published. Required fields are marked *