ରଜ ଦୋଳି କଟମଟ

ଫୁର୍ ହେଲା ଖରା ତେଜ
ଆସିଛି ଆଷାଢ଼ ରଜ ମଉଜ
ରଜ ମଉଜ ଲୋ
ହେବା ଆସ ସଜବାଜ ।
ପାଚିଲା ପଣସ ଆମ୍ବ
ଘରେ ଘରେ ପିଠା ଚକୁଳି ପୋଡ଼
ଚକୁଳି ପୋଡ଼ ଲୋ
ମିଶିଥାଏ ଛେନା ଗୁଡ଼ ।
ରଜ ଦୋଳି କଟ ମଟ
ମୋ ଭାଇ ମୁଣ୍ଡରେ ସୁନା ମୁକୁଟ
ସୁନା ମୁକୁଟ ଲୋ
ଭଉଣୀ ଚାହିଁଛି ବାଟ ।
ପାନ ଗୁଆ ଖିଲିକାତି
ପାନ ଭାଙ୍ଗି ଦେବ ଆଈ ବୁଢୀଟି
ଆଈ ବୁଢୀଟି ଲୋ
ନାଲି ପଡ଼ିଯିବ ପାଟି ।
ହେବ ନାହିଁ ରନ୍ଧା ବଢା
ଖାଲି ପାଦେ ଝିଅ ଚାଲିବା ମନା
ଚାଲିବା ମନା ଲୋ
ଝୁଲିବ ଝିଅ ଝୁଲଣା ।
ରଜପର୍ବ ତିନିଦିନ
କୁମାରୀ ମାନଙ୍କ ମନ ଆନନ୍ଦ
ମନ ଆନନ୍ଦ ଲୋ
ମୁହଁ ଦିଶେ ରୂପା ଚାନ୍ଦ ।
ନାଲି ଟୁକୁ ଟୁକୁ ପାଦ
ଅଳତା କୁଙ୍କୁମ କଜ୍ଜ୍ୱଳ ଯୋଗ
କଜ୍ଜ୍ୱଳ ଯୋଗ ଲୋ
ଭରେ ରଙ୍ଗ ଅନୁରାଗ ।
ପତର କଠଉ ମାଡ଼ି
ଝିଅମନ ଉଠେ ହସି କୁରୁଳି
ହସି କୁରୁଳି ଲୋ
ପୁଚି ରଜ ଦୋଳି ଖେଳି ।
ଆକାଶେ ଉଡିବ ଗୁଡ଼ି
ବହୁଚୋରୀ ଡୁ ଡୁ ଖେଳ ବାଗୁଡ଼ି
ଖେଳ ବାଗୁଡ଼ି ଲୋ
ତାସ ଲୁଡୁ ପଶା ପାଲି ।
ରଜ ସଙ୍କରାନ୍ତି ଦିନ
ପୂଜା ହେବ ହଳ ଲଙ୍ଗଳମାନ
ଲଙ୍ଘଳମାନ ଲୋ
କାମ କରିବା ବାରଣ ।
ତୃତୀୟ ଚତୁର୍ଥ ଦିନ
ଭୂମି ଦହନ ମା ବସୁଧା ସ୍ନାନ
ବସୁଧା ସ୍ନାନ ଲୋ
ଘନେ ଘନ କୃଷି କର୍ମ ।
ରଜ ଆନନ୍ଦ ଉତ୍ସାହ
ଭରିଦିଏ ମନେ ନୂଆ ଆଗ୍ରହ
ନୂଆ ଆଗ୍ରହ ଲୋ
ଫୁଲି ଉଠେ ମନ ଦେହ ।

Leave a Comment

Your email address will not be published. Required fields are marked *