ଆଷାଢ଼ ଆସିବ ମା’ ମାଟି ପାଇବ
ପ୍ରିୟ ମେଘର ପରଶ,
ରଜସ୍ଵଳା ପୃଥ୍ବୀ ହେବ ଫଳବନ୍ତା
ସଭିଙ୍କ ମନ ହରଷ। ।୦।
ପ୍ରଜନନ ପାଇଁ ମାଆଟି ଯେପରି
ନେଇଥାଏ ଯେ ବିଶ୍ରାମ,
ରଜପର୍ବ ଅଟେ ମାଆ ମାଟି ପାଇଁ
ତା’ର ଏକ ଅନୁକ୍ରମ। ।୧।
କୁମାରୀଙ୍କ ପାଇଁ ଏହି ପର୍ବ ଦିଏ
ମାତୃତ୍ଵର ପ୍ରଶିକ୍ଷଣ,
ଆଚାର ସଂହିତା ଶିଖାଏ ତାହାଙ୍କୁ
ଦୃଢ କରେ ସ୍ତ୍ରୀ ଜୀବନ। ।୨।
ରଜ ପୂର୍ବଦିନ ଶେଷ ହୋଇଯାଏ
କଟା, ବଟା, ସବୁ କାମ,
ପହିଲି ରଜରେ କୁମାରୀ ମାନେ ଯେ
ଭ୍ରମଣ କରନ୍ତି ଗ୍ରାମ। ।୩।
ମାଟିର କର୍ଷଣ ବନ୍ଦ କରି ଚାଷୀ
ମାଆକୁ ସମ୍ମାନ ଦିଏ,
ରଜ ଶେଷ ଯାଏ ମଜା ମଉଜରେ
ଦିନ ତା’ର କଟିଥାଏ। ।୪।
ପୋଡ଼ ପିଠା ସାଥେ ରଜ ଦୋଳି ଖେଳ
ତିନି ଦିନ ଯାଏ ଚାଲେ,
ଚତୁର୍ଥ ଦିନରେ ବସୁମତୀ ସ୍ନାନ
ହୁଏ ନାରୀଙ୍କର ମେଳେ। ।୫।
ସନ୍ତୋଷ କୁମାର ପଣ୍ଡା
ରଜ ମଉଜ
