ବିସ୍ତୀର୍ଣ୍ଣ ଦିଗବଳୟେ ପଶ୍ଚିମା ଆସନେ
ସୂର୍ଯ୍ୟ ଶୋଇ ଯାଏ ଲମ୍ବା ମସିଣା ଟେ ପାରି;
ଛମ୍ ଛମ୍ ପାଉଁଜି ର ସୁରେ ଘୋଟିଆସେ,
ଏଇ ରାତିର ଆକାଶ! ଛାୟାପଥ ରେ ତନୁକୁ ବିସ୍ତାରି।।
ଚା’ ଦୋକାନ ରେ ପଡ଼ିଥିବା ସେ ଦଦରା ସିଂହାସନ,
ବସିଥାନ୍ତି ତହିଁରେ କେତେ ମାନ୍ୟ ଗଣ୍ୟ ବ୍ୟକ୍ତି;
ରାଜା ଆସନ୍ତି, ମନ୍ତ୍ରୀ ବି ଆସନ୍ତି!
ସିଗାରେଟ ଆଉ କୋଇଲା ଚୂଲା ର ଧୂଆଁ ରେ ଜମାଣିଆ ଦରବାର।।
ଆନତ ଇନ୍ଦ୍ରଧନୁ ରେ ଅନାଗତ ଅଷ୍ଟମ ରଂଗ ଲାଗେ,
ଆକାଶ ଗଙ୍ଗା ରୁ ଖସି ଚାଲେ ଗୋଟେ ପରେ ଗୋଟେ ଉଲ୍କା;
ଯୋଡି ହେଇ ଯାଏ କେତେ ଯୋଡ଼ା ନିଷ୍ପ୍ରଭ କର,
କୋରଡ ର ମୋତି ବନ୍ଦ ହେଇଯାଏ କିଛି ମାଗିବାକୁ;
ରାତିର ଆକାଶ ତଳେ ଆଶ୍ରୟ ନେଇଛନ୍ତି କେତେ ଯେ ନିର୍ବାସିତ,
ଏଇତ ସଦନ, ହଁ! ଏଇ ଯେ ପର୍ଣ୍ଣ କୁଟୀର ବନବାସ ର।।
ମାଟି ଉପରେ ମୁଠାଏ କାଚଗୁଲି ଆଉ କେଇ ଜଣ ଅବୋଧ ଶିଶୁ,
କିଏ କ’ଣ କରୁଛି ଅବା କହୁଛି କ’ଣ!
ସବୁତ’ ସଂଜ୍ଞା ହରେଇ ଥିବା ପରାଜିତ ସୈନିକ,
ନାଲି, ହଳଦୀ ପାଣି ଭିତରେ ସନ୍ତରଣ କରୁଥିବା ମାଛ;
ସକାଳୁ ସଂଞ୍ଜ ସେଇ ପାଣିରେ ଢଳ ଢଳ,
ରାତିର ଆକାଶ ରେ ଜହ୍ନ ଆସୁ କି ତାରା ଭାସୁ,
ସେମାନେ ବି ଗୋଟେ ଗୋଟେ ଜହ୍ନ;
ଅବଶ୍ୟ ସେ ଜହ୍ନ ଆଉ ୟାଙ୍କ ଭିତରେ ପାର୍ଥକ୍ୟ ଏତିକି,
ଆଲୋକ ନିଅନ୍ତି ଜଣଙ୍କ ଠାରୁ ଆଉ,
ଅନ୍ଧାର କରନ୍ତି ଆଉ କାହା ଦୂଆର ।।
ମଶାଣି ରେ ଜଳୁଥିବା ସେ ଯୁଇ ନିଆଁ,
ଆଃ! କି ପରମ ତୃପ୍ତି ର ଚରମ ସ୍ଵାଦ ମୋକ୍ଷ ପ୍ରାପ୍ତିର;
ଯନ୍ତ୍ର ଯୁଗରେ ମନ୍ତ୍ର ଚାଳିତ କାଠ ପିତୁଳା ଗୋଟାଏ ଗୋଟାଏ,
କାହା ପାଇଁ ଦୂରେ ଥାଉ ନିଜ ପାଇଁ ବି ସମୟ ନଥାଏ,
ଅନ୍ତତଃ, ଏଇ ଶେଷ ମୁହୂର୍ତ୍ତରେ ନିଜକୁ ନିଜେ ଭୋଗି ନେବେ,
ଚଢିନେବେ ନିଜ ବହିର୍ଭୁତ ଗୋଟିଏ ପାହାଚ;
କିନ୍ତୁ ! ଶେଷ ସମୟ ବି ଯେ ମେସିନ ରେ ଛନ୍ଦା,
ବିଦ୍ୟୁତ ସୁଇଚ ରେ ସବୁ ଆପେ ଆପେ ମିଳାଇ ଯାଏ!
କ୍ଷଣକେ ପାଉଁଶ ଗଦା, ଆଉ ଧୂଆଁ ବିହୀନ ଏ ରାତିର ଆକାଶ।।