ଶାସ୍ତ୍ରୀ ସାର୍ ଙ୍କ ଡାଏରୀ ଭବିଷ୍ୟ ଦର୍ଶନ -୧

ଶାସ୍ତ୍ରୀ ସାର୍ ଙ୍କ ଡାଏରୀ

(ଭବିଷ୍ୟ ଦର୍ଶନ -୧)

ମୋ ନାଁ ରବି ନାରାୟଣ ଶାସ୍ତ୍ରୀ ଏହି ଜଙ୍ଗଲରେ କାମ କରୁଥିବା ଜଣେ ଫରେଷ୍ଟ ଗାର୍ଡ । ଏବେ ମୁଁ ଆପଣଙ୍କୁ ଯାହା ସବୁ କହିବାକୁ ଯାଉଛି ସେଇଟା କୌଣସି କାହାଣୀ ନୁହଁ, ବରଂ ଏକ ଯାତ୍ରା । ଏଇ ଯାତ୍ରା ରେ ଆପଣ ଭେଟିବେ କିଛି ଲୁଚି ରହିଥିବା ସତ୍ୟ କୁ ଯିଏ କି ତର୍କ ଆଉ ବିଶ୍ଵାସ ର ଚଦର ତଳେ ଘୋଡେଇ ହେଇ ଅପେକ୍ଷା କରିଥାଏ ଜୀବନ ର ।

07 ଜୁଲାଇ 2022

“ସାର, ଏଇ କିଛି ଦିନ ହେଲା ଯେଉଁ ଆମ ଗାଁରେ ଫସଲ ଗୁଡାକ ଚୋରୀ ହଉଛି, ସେ ସବୁ ର ରହସ୍ୟ ଆଜି ଆମକୁ ଜଣା ପଡିଗଲା”

“ହଁ, ଆଜ୍ଞା । ଆମେ ଏବେ ଆମ ଆଖିରେ ଦେଖି ଆସିଲୁ । ବଡ ଭୟ ଭୟ ଲାଗୁଛି”

“ ହଁ ସାର, ଏମାନେ ଚୋର, କି ମାଓବାଦୀ ନୁହନ୍ତି । ଏମାନେ ଭାଲୁ, ବାରହା ଭଳିଆ ବଣ ଜନ୍ତୁ ବି ନୁହଁ”

ମୋର ଏମାନଙ୍କ କଥା ଉପରେ ଜମା ରୁ ଧ୍ୟାନ ନଥାଏ । କାରଣ ମୁଁ ବ୍ୟସ୍ତ ଥାଏ ମୋ ରାତ୍ରି ଭୋଜନ କୁ ଉପଭୋଗ କରିବାରେ । କିନ୍ତୁ ଯେବେ ସାବୁ ଭାଇ କହିଲେ ଯେ ଏମାନେ ମାଓବାଦୀ ନୁହନ୍ତି, ଚୋର ନୁହନ୍ତି, କି କୌଣସି ବନ୍ୟଜନ୍ତୁ ନୁହନ୍ତି ସେତେବେଳେ ମୁଁ ଧରି ଥିବା ରୁଟି ଖଣ୍ଡିକ ମୋ ପାଟି ଭିତରେ ଗୁଞ୍ଜିଦେଇ ସାବୁ ଭାଇ ଆଡକୁ ଚାହିଁଲି ଆଉ ପଚାରିଲି, “ଆଚ୍ଛା! ତାହେଲେ କଣ ସେଇଟା?” ।

“ଭୂ, ଭୁତ”

“ଚୁପ ବେ, କହିଲା କଣ ନା ଭୁତ । ନାଇଁ ସାର, ଚିରୁଗୁଣୀ ସେଇଟା”

“ଅବେ ଦେଖିନୁ କେଡେ ବଡ ବଡ ଆଖି ତା’ର । ଆଜ୍ଞା ସେଇଟା ଡାହାଣୀ ଟା”

ଚାଲନ୍ତୁ, ଏ କାହାଣୀ କୁ ଆରମ୍ଭରୁ ଆରମ୍ଭ କରିବା ।
କିଛି ଦିନ ପୂର୍ବେ ଏ ଜଙ୍ଗଲର ଉତ୍ତର ଦିଗରେ ଥିବା ଝରଣା କୂଳରେ ବସବାସ କରୁଥିବା ଆଦିବାସୀ ମାନେ ମୋ ପାଖକୁ ଏକ ଅଭିଯୋଗ ନେଇ ଆସିଲେ ଯେ, ସେମାନଙ୍କ ପଦର ରୁ ଫସଲ ଚୋରୀ ହଉଛି । ଯଦିଓ ଏହା ମୋ କାମ ନୁହେଁ, ତଥାପି ଏ ଆଦିବାସୀ ଲୋକ ମାନଙ୍କ ପାଇଁ ମୁଁ ଥିଲି ସର୍ବେସର୍ବା । ତେଣୁ ମୁଁ ମୋ ସ୍କୁଆର୍ଡ ପିଲା ଙ୍କୁ ଏ ସବୁ ବିଷୟରେ ଯାଞ୍ଚ କରିବାକୁ କହିଲି । ସେମାନେ ଯାଞ୍ଚ କରିବା ପରେ ଯାହା ସବୁ ପାଇଲେ ।  ସେ ସବୁ ଆସି ମୋତେ ଏବେ ଜଣେଇଲେ । ହେଲେ ମୁଁ ଜାଣି ନଥିଲି ଯେ ମୋ ସ୍କୁଆର୍ଡ ଟିମ ରେ ପିଲା ମାନେ ଏତେ ଅନ୍ଧ ବିଶ୍ଵାସୀ ବୋଲି । ଯାହାକୁ ସେମାନେ ଦେଖିଲେ ତାକୁ ଭୁତ, ପ୍ରେତ କେଜାଣି କଣ କଣ ସବୁ ଭାବି ମୋ ଆଗରେ ଉପସ୍ଥାପନ କଲେ ।

କାରୋନା ର ପ୍ରକୋପ ରେ ସାରା ଦୁନିଆ ଘରେ ବନ୍ଦ ଥିଲା ବେଳେ ଏକ ବିଚିତ୍ର ଘଟଣା ଘଟିଥିଲା ଆମ ଏଇ ଜଙ୍ଗଲ ରେ । ଦିନେ ଖୁବ ଜୋର ରେ ବିଜୁଳି ସାଙ୍ଗକୁ ଏକ ଅଦିନିଆ ବର୍ଷା ହେଲା । ଚଡକ ମାରିବା ପର ଠାରୁ ଝରଣା ପାଖ ପାହାଡ ର ଏକ ଗୁମ୍ଫା ରୁ ସବୁ ରାତିରେ ଏଥର ଏକ ବିଚିତ୍ର ପ୍ରକାର ଲାଲ ଆଉ ସୁନେଲି ଆଲୁଅ ଦେଖିବାକୁ ମିଳିଲା । ଏଥିରେ ବିଚିତ୍ର ଘଟଣା ଏଇଟା ଯେ, ସେ ଆଲୁଅ କେବଳ ଦୂର ରୁ ହିଁ ଦେଖା ଯାଏ ପାଖକୁ ଗଲେ ଦେଖାଯାଏ ନାହିଁ । ମୋ ସ୍କୁଆର୍ଡ ପିଲାଙ୍କ କହିବା ଅନୁସାରେ, ସେ ଭୁତ ମାନେ ରାତି ହେଲେ ଆସନ୍ତି ଆଉ ସବୁ ଫସଲ ରୁ କିଛି କିଛି ଗୋଟିଏ ମୁଣି ରେ ଭର୍ତି କରି ଚାଲି ଯାନ୍ତି ସେଇ ଲାଲ ସୁନେଲି ଆଲୁଅ ଦେଖା ଯାଉଥିବା ଗୁମ୍ଫା ଭିତରକୁ ।

ରାତି ହେଲେ ମୁଁ ଅନେକ ଥର ଯାଇଛି ସେ ଗୁମ୍ଫା ଭିତର କୁ । ମୋତେ କେବେ କିଛି ମିଳିନି, ବୋଧେ ସେଥିପାଇଁ ସେ ଗୁମ୍ଫା ଭିତରକୁ ଯିବାକୁ ମୋର ସାହସ ବଢିଗଲା । ଜହ୍ନ ଆଲୁଅ ପଡିଥାଏ ବାହାରେ, ମୋ ସ୍କୁଆର୍ଡ ପିଲାଙ୍କୁ ସାଙ୍ଗରେ ନେଇ ବାହାରି ଗଲି ସେଇ ଗୁମ୍ଫା ଆଡକୁ । ସେମାନଙ୍କ ଭିତରୁ କେହିବି ମୋ ସାଙ୍ଗରେ ସେ ଗୁମ୍ଫା ଭିତରକୁ ଯିବାକୁ ଇଛା କଲେ ନହିଁ କାରଣ ସେମାନଙ୍କୁ ମତ ଅନୁସାରେ ଏଇଠି ଭୁତମାନେ ରୁହନ୍ତି । ହେଲେ ମୁଁ ଭୁତ ପ୍ରେତ ଙ୍କୁ ବିଶ୍ଵାସ କରେ ନହିଁ, କାରଣ ବିଶ୍ଵାସ କରିବାପାଇଁ ପ୍ରକୃତ ତର୍କ ମୋତେ ମିଳେ ନାହିଁ ।

ସ୍କୁଆର୍ଡ ପିଲା ଙ୍କୁ ସେ ଗୁମ୍ଫା ବାହାରେ ଠିଆ କରେଇ ଦେଇ କହିଲି, “ହେ ମୋ ବୀର ବନ କ୍ଷୁଦ୍ର ଦଳ ର ଯବାନ ଗଣ । ତୁମେ ମାନେ ଏଇଠି ଠିଆ ହେଇଥାଅ, ଯଦି ମୁଁ ମରିଯାଏ ତେବେ ସକାଳ ହେଲେ ମୋ ଶବ ଏ ଗୁମ୍ଫା ଭିତରୁ ବାହାର କରି ଅଫିସ ରେ ଦେଇଦବ । ଅଲାଜୁକ ଶଳେ” । ଏତିକି କହି ମୋ କାନ୍ଧ ରେ ପଡିଥିବା ପଇତା ସୂତା କୁ ଧରି ସେମାନଙ୍କୁ କହିଲି, “ଆଉ ଯଦି ସକାଳ ପୂର୍ବରୁ ତୁମ ଭିତରୁ କେହି ବି ଏ ଜାଗା ଛାଡି ଯିବ ତାହେଲେ ତାକୁ ଗ୍ରାମ ଦେବତୀଙ୍କ ରାଣ ଲାଗିବ” । ଏତିକି କହି ମୁଁ ଟର୍ଚ୍ଚ ଜଳେଇଲି ଆଉ ସେ ଗୁମ୍ଫା ଭିତରକୁ ଧୀରେ ଧୀରେ କରି ପ୍ରବେଶ କରିବା ଆରମ୍ବ କଲି ।

ଗୁମ୍ଫା ର ଯେତିକି ଭିତରକୁ ଭିତରକୁ ଯାଉଥାଏ ଭୁତ ପ୍ରେତ ଙ୍କ ପ୍ରତି ଥିବା ମୋ ଚିନ୍ତାଧାରା ସେତିକି ଗଭୀର ହେଇ ଚାଲିଥାଏ । ଅବଶ୍ୟ ମୁଁ ଏ ସବୁ ଉପରେ ଏତେ ବିଶ୍ଵାସ କରେନାହିଁ ତଥାପି, ଲୋକ ଙ୍କ ମୁହଁ ରୁ ଏସବୁ ବିଷୟରେ କାହାଣୀ  ଶୁଣି ଶୁଣି ମୋ ମୁଣ୍ଡ ରେ ମଧ୍ୟ କିଛିନା କିଛି କଚରା ଭର୍ତ୍ତି ହେଇ ସରିଲାଣି । ଏବେ ମୁଁ ଭୁତ ପ୍ରେତ ଙ୍କୁ ଯେତେ ଅବିଶ୍ଵାସ କଲେ ବି ଏମିତି କା ପରିସ୍ଥିତି ରେ କେଉଁଠି ନା କେଉଁଠି ଭୟ ଆସି ହିଁ ଯାଏ । କିନ୍ତୁ ତା ସାଙ୍ଗକୁ ମୋ ମନ ରେ ଏ ଯୁକ୍ତି ବି ଚାଲିଥିଲା ଯେ, ଆଲୋକ କେବଳ ଶରୀର ଉପରେ ପଡିଲେ ହିଁ ଆମେ ତାକୁ ଦେଖି ପାରୁ ହେଲେ ଆତ୍ମା କୁ ତ ଆଲୋକ ବି ଛୁଇଁ ପାରିବନି ବୋଲି ଭଗବତ ଗୀତା ରେ କୁହା ହେଇଛି । ତାହେଲେ ଯାହାର ଶରୀର ହିଁ ନାହିଁ, ତାକୁ ଭଲା ଦେଖିବା କେମିତି ? ଯଦି କାହାର ଅନିଷ୍ଟ କରିବା କିମ୍ବା ମଙ୍ଗଳ କରିବା ଏ ସବୁ ମସ୍ତିସ୍କ ଦ୍ଵାରା ନିର୍ଦ୍ଧାରଣ କରାଯାଏ, ତାହେଲେ ଯେବେ ଆତ୍ମା ତା ଶରୀର କୁ ଛାଡିଦିଏ ସେତେବେଳେ ସିଏ ଅନ୍ୟ କାହାର ଅନିଷ୍ଟ କରିବା କଥା ଭାବିବା କେମିତି ?

ଏତେ ସବୁ ଭାବି ଭାବି ସେଇ ଗୁମ୍ଫା ଭିତର ର ଅନ୍ଧାର ରେ ପ୍ରାୟ ୫୦ ମିଟର ଭିତରକୁ ଗଲାପରେ ଦେଖିବାକୁ ମିଳିଲା ସେହି ଲାଲ ଆଉ ସୁନେଲି ରଙ୍ଗର ଆଲୁଅ ଯାହା ଗୁମ୍ଫା ଦୂରରୁ ଆମକୁ ଦେଖାଯାଉଥିଲା । ମୁଁ ସେଇ ଆଲୋକ ଆଡକୁ ଧୀରେ ଧୀରେ ଗତି କରୁଥାଏ, ହଠାତ ମୋ ସାମ୍ନା ରେ ପ୍ରକଟ ହେଲା ସାମାନ୍ୟ ଅପେକ୍ଷା ଆଉ ଟିକେ ବଡ ବଡ ଆଖି ବିଶିଷ୍ଟ ଚାରି ଫୁଟିଆ ଗୋଟିଏ ଜୀବ, ଯାହାର ଶରୀର ଅପେକ୍ଷା ମୁଣ୍ଡ ଟି ଅଧିକ ବଡ । ତା ଦେହରେ ମଧ୍ୟ ଆମରି ଭଳିଆ ଦୁଇଟି ହାତ ଆଉ ଦୁଇଟି ଗୋଡ ଥିଲା ହେଲେ ତା ହାତର ଅଙ୍ଗୁଳି ଗୁଡିକ ଆମ ଠାରୁ ଅଧିକ ଲମ୍ବା ଲମ୍ବା ଥିଲା । ତା’ର କାନ ଦୁଇଟି ତା’ର ମୁଣ୍ଡ ସହିତ ମିଶି ଯାଇଥିଲା, ଆଉ ପାଟି ଟି ନାକ ଅପେକ୍ଷା ଖୁବ ଛୋଟ ଥିଲା । ତା ଦେହ ର କୌଣସି ଅଙ୍ଗରେ ଚୁଟି ନଥିଲା । ତା ଦେହରେ ମଧ୍ୟ ଏକ ଭିନ୍ନ ପ୍ରକାର ର ପୋଷାକ ଥିଲା ହେଲେ ତା ଦେହ ର ସମସ୍ତ ଭାଗ ଢାଙ୍କି ହଉ ନଥିଲା । ତା ଦେହ ର ରଙ୍ଗ ସାମାନ୍ୟ ଲାଲ ଦେଖା ଯାଉଥିଲା ।
ସେ ଜୀବ ଟି ଅବିକଳ ସେହିଭଳି ହିଁ ଦେଖା ଯାଉଥିଲା, ଯେମିତି ମୋ ସ୍କୁଆର୍ଡ ଟିମ ର ପିଲାମାନେ ମୋ ଆଗରେ ବର୍ଣନା କରିଥିଲେ । ହେଲେ ସିଏ ମୋତେ କୌଣସି ବି ଦୃଷ୍ଟି ରୁ ଭୁତ, ଡାହାଣୀ, ପିଶାଚ କିମ୍ବା ଅନ୍ୟ କିଛି ଅନ୍ଧ ବିଶ୍ଵାସ ର ପାତ୍ର ଭଳିଆ ଲାଗିଲା ନହିଁ । କାରଣ ସିଏ ମୋତେ ଦେଖୁ ଦେଖୁ ତା ପକେଟ ରୁ ଗୋଟିଏ ରିମୋର୍ଟ ବାହାର କରି ଏକ ସୁଇଚ କୁ ଦବେଇଲା । ଯାହା ଫଳରେ ଏକ କାଚ ର ହେଲମେଟ ଅଚାନକ ତା ମୁଣ୍ଡ କୁ ସୁରକ୍ଷା ଦେବାକୁ ଯାଇ ତିଆରି ହେଇଗଲା ।

ତାକୁ ଦେଖିଲା ପରେ ମୁଁ ନିଶ୍ଚିତ ହେଲି ଯେ, ଇଏ ଏକ ପରଗ୍ରହି ଅର୍ଥାତ ଏଲିୟନ ଅଟେ । ସିଏ ଏଇ ଜଙ୍ଗଲ କୁ କେମିତି ଆସିଲା ମୁଁ ଜାଣି ନଥିଲି ହେଲେ, ଏତିକି ନିଶ୍ଚୟ ଭାବୁଥିଲି ଯେ ସେଦିନ ଯେଉଁ ଚଡକ ମାରିଲା ବୋଧେ ସେଥିପାଇଁ ଏ ପରଗ୍ରହି ଏ ଜଙ୍ଗଲ ରେ ବୁଲୁଛି ।

ସେ ଯାହା ବି ହଉ ଏ ଯାଏଁ ମୁଁ ଜାଣିନି ଯେ, ଏଇ ପରଗ୍ରହି ଟା ବନ୍ଧୁତା ପ୍ରିୟ ନା କ୍ଷତିକାରକ । ସିଏ ମୋ ଭାଷା ବୁଝି ପାରିବ କି ନହିଁ । ଏବେ ସିଏ ମୋ ଉପରେ କୌଣସି ଆକ୍ରମଣ କରିବନି ତ । ମୁଁ ଏତିକି ଭାବୁଥାଏ, ସେ ପରଗ୍ରହି ଜଣଙ୍କ ତା ହେଲମେଟ ର କୌଣସି ସୁଇଚ କୁ ଦବେଇ ଦେଲା, ଫଳରେ ତା ହେଲମେଟ ରୁ ପଣି ଭଳିଆ କିଛି ପିଚିକ୍ କିନା ବାହାରି ମୋ ସର୍ଟ ଉପରେ ପଡିଲା । ମୁଁ ଜାଣିନି ସେଇଟା କଣ ଥିଲା, ହେଲେ ଏସିଡ ତ ନଥିଲା ନିଶ୍ଚୟ । ସେ ଦ୍ରବଣ ଟି ମୋ ସର୍ଟ ଉପରେ ପଡିବା ପରେ ସେଇଠୁ ଏକ ଅଜବ ପ୍ରକାର ଗନ୍ଧ ସୃଷ୍ଟି ହେଲା । ସେଇ ଗନ୍ଧ ମୋ ନାକ ଭିତରେ ପଶିବା ର କିଛି କ୍ଷଣ ଭିତରେ ମୋ ଆଖି ବନ୍ଦ ହେଇଗଲା ।

କ୍ରମଶଃ ….

Leave a Comment

Your email address will not be published. Required fields are marked *