ଶୀତୁଆ ସଞ୍ଜ

ଥରି ଉଠୁଥିବା ଓଠ ଧାରେ ବାଜେ
ନବ ଶୀତ ସାହାନାଇ,
କମ୍ପି ଉଠେ ସତେ ଉଷ୍ମ ସହରଟା
ସଞ୍ଜ ମାରୁଥାଏ ହାଇ।

ରାଜପଥ ଧାର ବଉଳ ଫୁଲରୁ
ଭାସିଆସେ ମନ୍ଦମନ୍ଦ,
ନାସାନ୍ଧ୍ରକୁ ଛୁଇଁ କରେ ରୋମାଂଚିତ
ମିଠା ସ୍ମୃତିର ସୁଗନ୍ଧ।

ଶୀତ ପ୍ରଭଞ୍ଜନ ଅଣ୍ଡାଳି ପକାଏ
ପାଦରୁ ପଞ୍ଜରା ଯାଏଁ,
ପୁରାତନ କିଛି ପୃଷ୍ଠା ଖୋଲିଗଲେ
ଅନ୍ତର ଚହଲି ଯାଏ।

ଦେହ ଖୋଜେ ତାତି ନିଦ ଖୋଜେ ରାତି
ସଞ୍ଜ ଖୋଜେ କିଛି ନିଆଁ
ଚକ୍ରବାଳ ଖୋଜେ ସ୍ଥାୟୀ ଠିକଣାଟେ
ବାଟ ଓଗାଳେ କୁହୁଡ଼ି ଧୂଆଁ।

ଜଡ଼ରୁ ଜୀବନ ଧୂଳିରୁ ଗଗନ
ଆଳସ୍ୟେ ଆସକ୍ତ ହୋଇ,
ଶେଯରୁ ସପନ ଆରକ୍ଷିତ ହୁଏ
ଉଷ୍ମ ନିଦ୍ରା ଟିକେ ପାଇଁ।

ସବୁ ଶୀତ ସଞ୍ଜ ଜଳିଯାଏ ନାହିଁ
ଶୁଖିଲା ପତର ପରି,
ଚା’ର ତତଲା ଧୂଆଁ କୁଣ୍ଡଳୀରେ
ପାଏ ତା ଜୀବନ ଫେରି।

ସେଇ ହିମ ସଞ୍ଜ ଉଷ୍ମ ପଥ ଧାରେ
ଜୀବନ ମୁରୁକି ହସେ,
କେଜାଣି କାହିଁକି ଦିବାଲୋକ ତେଜି
ଅନ୍ଧାର ଆବୋରି ବସେ।

Leave a Comment

Your email address will not be published. Required fields are marked *