ଚିଠି ମୋର୍ ଟିକି ଚଢ଼େଇ
ଫୁର୍ କିନା ଦେଲି ଉଡ଼େଇ !!
ଚିଠି ମୋର ଆସିଲାନି ଆସିବାର ଥିଲା
ଚିଠି ମୋର ଡାକ ଘରୁ ଚୋରି ହେଇଗଲା !!
ଗୀତର ଏହି ପଙ୍କ୍ତି ଗୁଡ଼ିକ ଯେତେବେଳେ କେହି ଗୁଣୁଗୁଣାଏ କିମ୍ବା ମେଳା ମହୋତ୍ସବରେ ବାଜି ଉଠେ ସେତେବେଳେ କେମିତି ଗୋଟେ ନିଜର ନିଜର ଲାଗେ ଆଉ ନିଜେ ମଧ୍ୟ ଗୁଣଗୁଣେଇବାକୁ ଇଚ୍ଛାହୁଏ | ମନରେ ଯେମିତି ଏକ ଅଲଗା ପ୍ରକାର ଶିହରଣ ଖେଳିଯାଏ ଆଉ ମନରେ ଭରିଦିଏ କେତେ ଆଶା ଆକାଂକ୍ଷା | କିନ୍ତୁ ଆଜି ଯେମିତି ସବୁ କିଛି ମଳିନ ହୋଇପଡ଼ିଛି ସେ ପ୍ରକାରର ନା ଅଛି ଉନ୍ମାଦନା ଅଛି ନା ଅଛି ଆକର୍ଷଣ ସବୁ କିଛି ଯେମିତି ଲହଡ଼ିରେ ଧୋଇଯାଇଛି |
ଆଜି କାହିଁ ମନ ଟିକେ ବ୍ୟସ୍ତ ବିବ୍ରତ ହୋଇଉଠିଛି କେଉଁ ଏକ ଅଜଣା ଆଉ ଘଟଣା ମନକୁ ବିଚଳିତ କରିପକଉଥିଲା ଖୁସିକୁ | ଯେମିତି ଲାଗୁଥିଲା ବିନା ବିଜୁଳିରେ ବରଷା ହେବ | ଶୋଇବା ଘରକୁ ଦୌଡ଼ିଗଲା ଖୁସି | ବହୁତ ଖୋଜାଖୋଜି କରିବା ପରେ , ତାର ପୁରୁଣା ହ୍ୟାଣ୍ଡ୍ ବ୍ୟାଗଟିକୁ ବାହାର କଲା ,ବ୍ୟାଗଟିକୁ ଖୋଲୁ ଖୋଲୁ ନିଜର ହାତଲେଖା କେତୋଟି ଡାୟରୀ ଏବଂ କିଛି ଲଫାପା ପାଇଲା | ସବୁକୁ ଖେଳାଇବାକୁ ଲାଗିଲା ଏବଂ ଲଫାପା ଗୁଡ଼ିକୁ ଖୋଲିବାକୁ ଲାଗିଲା |ବହୁ ସମୟ ଖୋଜା ଖୋଜି କରିବା ପରେ ନଜର ପଡ଼ିଲା ଧଲା ରଂଗର ଲଫାପା ଉପରେ ଖୋଲି ଦେଖେ ତ ସଂଜୀବର ହାତ ଲେଖା ଚିଠି | ଚିଠିଟି ଆସିଛି ଅଥଚ ତାକୁ ଏପର୍ଯ୍ୟନ୍ତ କେହି ବି ଟିକେ ହେଲେ ଜଣାଇ ନାହାନ୍ତି ! ବିରକ୍ତି ଓ କ୍ରୋଧରେ ରେଖାଦିଦିଙ୍କୁ ଡାକ ଛାଡ଼ିଲା ,”ଦିଦି… ଦିଦି ….”!
ଏ ଲଫାପା କେବେଠୁ ଆସିଲାଣି ,ଆଉ ମୋତେ କାହିଁକି କହିନଥିଲ ?
-ନାଇଁରେ ସେ…..
-କଣ ନାଇଁ ନାଇଁ ….?କୁହ କ’ଣ ଲୁଚଉଛ ସତ କୁହ !
-ସେମିତି କିଛି ନାହିଁ ,ଭୁଲି ଯାଇଥିଲି !!
ଏତିକିରେ ରେଖାଦିଦି ସହ ଯୁକ୍ତି କରିବା ବନ୍ଦକରି ଲଫାପାଟିକୁ ଖୋଲିଲା ଏବଂ
ଅତି ଆଗ୍ରହର ସହ ପଢ଼ିବାକୁଲାଗିଲା | ଏମିତି ଲାଗୁଥିଲା ଯେମିତି ଟାଙ୍ଗରା ଭୂମି ପାଣି ଟୋପେ ପାଇଁ ଅପେକ୍ଷା କରିଥିଲା | ଠିକ୍ ସେହିପରି ଖୁସି ମନରେ ଯେମିତି ଖୁସିର ସୀମା ନଥାଏ….ବିଳମ୍ବ ନ କରି ଲଫାପା ଖୋଲି ପଢ଼ିବାକୁ ଲାଗିଲା …..
ପ୍ରିୟର ପାଗଲି 💓
ପାଗଲି କହୁଚି ବୋଲି ରାଗିବନି , ତୁମେ ତ ଜାଣିଛ ମୁଁ ତୁମକୁ ସଦାବେଳେ ପାଗଳ କୁହେ ଆଉ ତୁମେ ସବୁଥର ମୋତେ ପ୍ରତିରୋଦ୍ଧ କରି କୁହ ମୁଁ କଣ ପାଗଳ ଭଳି ଦେଖା ଯାଉଛି ,ମୋତେ କାହିଁ ପାଗଳ କହୁଚ ,ମୋତେ ପାଗଲି ଡାକୁନ !ସେତିକି କହି ଥମଥମ ହୋଇ ଆଖିରୁ ଦୁଇଟୋପା ଲୁହ ଝରେଇଦିଅ ,ତୁମର ମନା କରିବା ସତ୍ତ୍ୱେ ମୁଁ ସବୁବେଳେ ତୁମକୁ ବହୁତ ଚିଡ଼ାଏ | କିନ୍ତୁ ଆଜି କାଇଁ ସେଇ ନାମରେ ଡାକିବାକୁ ଭାରି ଇଚ୍ଛା ହେଉଛି ,ମୁଁ ଜାଣିଛି ତୁମକୁ ମୋ ପାଗଲି ଡାକ ଶୁଭିବ ନାହିଁ ,ତଥାପି ଆଜି ଡାକିବାକୁ ଭାରି ଇଚ୍ଛା ହେଉଛି | ଆଶା କରୁଛି ଭଲରେ ଥିବ | ବହୁଦିନ ହେଲା ତୁମେ ମୋତେ ଦେଖା କରିଛ ନା ମୋ ଚିଠିର ଉତ୍ତର କିଛି ଦେଉଛ ,ତୁମର ଏ ପ୍ରକାର ପରିବର୍ତ୍ତନର କାରଣ କ’ଣ ହୋଇଥାଇ ପାରେ ମୁଁ ଜାଣେନା କିନ୍ତୁ ତୁମେ ଆସିବ ବୋଲି କାହିଁ କେତେ ଦିନୁ ତୁମ ଫେରିବା ବାଟକୁ ଚାତକ ପରି ଚାହିଁ ରହିଛି ,କିନ୍ତୁ ତୁମେ ଆସିବାର କିଛି ନାଁ ହିଁ ଧରୁନ | କ’ଣ ହେଇଛି ଜମା ତ ବୁଝିପାରୁନି କିନ୍ତୁ ବୁଝିବାକୁ ବହୁତ ଚେଷ୍ଟା କରୁଛି କିନ୍ତୁ ବାରମ୍ବାର ଅଡ଼ୁଆ ସୂତାର ଖିଅ ଭିତରେ ଛନ୍ଦି ହେଇ ଯାଉଛି | ବହୁତ ଚେଷ୍ଟା କରିଲିଣି ମାତ୍ର କିଛି ବୁଝାପଡ଼ୁନି | ତୁମେ କଣ ମୋ ଉପରେ ଅଭିମାନ କରିଛ ନା ମୋତେ ଦେଖା କରିବନି ବୋଲି ଶପଥ ନେଇଛ | ସତରେ କ’ଣ ମୋ ଉପରେ ଅଭିମାନ କରିଛ ନା ରାଗିଛ | ମୁଁ ଜାଣେ ତୁମେ ମୋ ଉପରେ କେବେ ରାଗିପାରିବନି କାହିଁକିନା ତୁମେ ତ ସେହି ଯିଏ ମୋର ପ୍ରତିଟି କ୍ରୋଧ ରାଗ ଋଷାକୁ ଶାନ୍ତ କରିଦେଇ ମୋତେ ହସେଇବାର ପ୍ରମୁଖ ଭୂମିକା ଗ୍ରହଣ କରୁଥିଲ | ତୁମ କଥା ଭାବି ମୁଁ ନିଜକୁ ଆୟତ୍ତ କରେ ଆଉ ତୁମେ ମୋ ଉପରେ ରାଗିଥିବ ସେ କଥା ମୁଁ ବିଶ୍ୱାସ କେବେ ବି କରିପାରିବିନି | ତୁମକୁ ନେଇ ମୁଁ କେତେ ସ୍ୱପ୍ନ ଦେଖିଛି ,ତୁମ ସହ ଜୀବନର ଚଲାବାଟକୁ ସାଥୀ ହୋଇ ଚାଲିବାର ସ୍ୱପ୍ନ ଦେଖି ସାରିଛି | ଆମେ ସାଥୀ ହୋଇ ଚାଲିଯିବା ବହୁ ଦୂରକୁ ଆଉ ଆମକୁ ବିରୋଧ କରିବାକୁ କେହି ନଥିବେ | ଆମେ ଆମର ଏକ ନୂଆ ଜୀବନ ଆରମ୍ଭ କରିବା | ସେ ସାଇ ମନ୍ଦିରକୁ ବହୁଦିନ ହେଳା ମୁଁ ବି ଯାଇନି ତୁମର ମନେ ଅଛି ସେଦିନର ସଂଧ୍ୟା ଆରତୀ କଥା ,ଆଳତୀ ସରିବାର ବହୁ ସମୟ ପର୍ଯ୍ୟନ୍ତ ଆମେ କଥା ହୋଇଥିଲେ ଜୀବନର ଅମଡ଼ା ବାଟକୁ ସାଥୀହୋଇ ଚାଲିବାର ବିଶ୍ୱାସ ଓ ଭରସା ତୁମେ ଦେଇଥିଲ ,ଆଜିବି ମୋର ବିଶ୍ୱାସ କେବେ ଭାଙ୍ଗିବନି ମୁଁ ଜାଣିଛି କିନ୍ତୁ ତୁମର ଏ ବିଳମ୍ବ ମନରେ କାହିଁ ଶଙ୍କା ସୃଷ୍ଟି କରୁଛି | ହଁ ତୁମେ ଜାଣିନଥିବ ତୁମ ପାଇଁ ମୁଁ କେତେ କବିତା ଲେଖିଛି ତୁମେ ଆସିଲେ ମୁଁ ନିଶ୍ଚୟ ତୁମକୁ ପଢ଼ି ଶୁଣେଇବି | ମନ ଦେଇ ଶୁଣିବ ହେଲା କହିବ କେମିତି ହେଇଛି | ହଁ ଆଉ ଗୋଟେ କଥା ତମେ ସବୁବେଳେ କହୁଥିଲ ନା ,”ମୋତେ ତୁମ କାହାଣୀରେ ନାୟିକା ଭାବରେ ଚିତ୍ରଣ କର |” ସେ ସବୁ କଥା ମୁଁ ଆଜି ଯାଏଁ ଭୁଲିନି |ତୁମର ସେଇ ସବୁ ଛୋଟ ଦୁଷ୍ଟାମି ଆଉ ନଖରାମି କୁ ନେଇ କାହାଣୀଟିଏ ଆରମ୍ଭ ମଧ୍ୟ କରିଛି ,କିନ୍ତୁଏଥିରେ କେବଳ ତୁମକୁ ଚରିତ୍ରକୁ ଚିତ୍ରଣ କରିନାହିଁ, ସଂପୂର୍ଣ ତୁମକୁ ହିଁ ନେଇ ପରିକଳ୍ପନା କରିଛି ,ଆଉ ତୁମକୁ ହିଁ ନାୟିକା ଭାବରେ ସଂପୂର୍ଣ ଚିତ୍ରିତ କରିଛି | ତୁମ ମନରେ ପ୍ରଶ୍ନ ଆସୁଥିବ ଯଦି ନାୟିକା ଭାବେ ତୁମକୁ ଚିତ୍ରିତ କରିଛି ତାହେଲେ ନାୟକ କିଏ ? କିନ୍ତୁ ସେ ସବୁକୁ ଏବେ କିଛି ବି କହିବିନି ,ତୁମ ପାଇଁ ସପ୍ରାଇଜ୍ ରହିଲା ତୁମେ ଆସିବା ପରେ ନିଜେ କହିବ | ଭାବୁଛି ତୁମେ ଆସିବା ପୂର୍ବରୁ ଶେଷ କରି ତୁମକୁ ଉପହାର ଦେବି | ହେଲେ ତୁମର କିନ୍ତୁ କିଛି ଖବର ନାଇଁ ,କେବେ ଆସିବ ସେ ପ୍ରତୀକ୍ଷାରେ ମୁଁ ଆଉ କିଛି ଭାବିପାରୁ ନାହିଁ | ସତରେ କଣ ମୋ ଉପରେ ଅଭିମାନ କରିଛ ନା ମୋତେ ଭୁଲିଗଲଣି ,ନା ନ ଆସିବାର ଆଉ କିଛି କାରଣ ରହିଛି………
ତୁମକୁ ବହୁତ ଖୋଜିଛି ହେଲେ ତୁମର କୌଣସି ସଠିକ୍ ଖବର ପାଇପାରିନାହିଁ | ତୁମ ଘରକୁ ବହୁ ବାହାନା ନେଇ ଯାଇଛି କେବଳ ତୁମ ସହ ଟିକେ ଦେଖା କରିବାକୁ କିନ୍ତୁ ସେ ସୁଯୋଗ କେବେ ପାଇପାରିନାହିଁ | ତୁମ ଠାରେ କଣ ପରିବର୍ତ୍ତନ ଘଟିଲା ମୁଁ ଜାଣେନା ଏମିତି ହଠାତ କିଛି ନଜଣାଇ ଦୂରେଇଗଲ | ଯେଉଁଠି ବି ଥାଅ ନା କାହିଁକି ଖୁସିରେ ଥାଅ | ସବୁଦିନ ପାଇଁ ମୋ ଦରଜା ତୁମକୁ ସ୍ୱାଗତ ଅପେକ୍ଷାରେ ରହିଥିବ | ଆଉ କଣ କହିବି ବାସ୍ ଖୁସିରେ ଥାଉ ,ଯଦି କେବେ ଜୀବନେ ମୋର ଆବଶ୍ୟକତା ପଡ଼େ ବାସ ଥରୁଟିଏ ମୋତେ ଖୋଜିବ |
!!ଇତି!!
ତୁମର ….💓💓
ଚିଠିଟିକୁ ପଢ଼ି ସାରିବା ପରେ କାନ୍ଥକୁ ଆଉଜି ବସି ପଡ଼ିଲା ଖୁସି ,ଛାତି ତଳର କୋହ ସବୁ ଆଖିର ଦରିଆରେ ବୋହିଚାଲିଥାନ୍ତି |ଯେମିତି କିଛି କହିବାକୁ ଭାଷା ହିଁ ନଥିଲା ………😥….!!