ଶେଷ ସୂର୍ଯ୍ୟାସ୍ତ

“ଆଜି ଗାଁ ଡ୍ରାମା କେତେ ସୁନ୍ଦର ଥିଲା ନା ରାଧା l” ମୁରଲୀ ସାଇକେଲକୁ ଧକ୍କା ଦେଇ ଦେଇ ଧଇଁ ସଇଁ ହୋଇ ଚଲାଉ ଚଲାଉ ପଚାରିଲା l ହଁ ଏଇ ମୁହଁ ଅନ୍ଧାର ରାସ୍ତାକୁ ରାତି ଅନିଦ୍ରା ହୋଇ ଦୁହେଁ ଫେରୁଥାନ୍ତି l

ରାଧା ସେମିତି ଚୁପଚାପ ହୋଇ ବସିଥିଲା l ଗୋଟେ ହାତରେ ସାଇକେଲକୁ ଆଉ ଗୋଟେ ହାତ ମୁରଲୀର ଅଣ୍ଟାକୁ ଧରି କ’ଣ ଗୁଡ଼ାଏ ଭାବି ଚାଲିଥିଲା l

“ତୁ କ’ଣ ଭାବୁଛୁ କିଲୋ, ମୁଁ ପରା କ’ଣ ପଚାରୁଛି?”

ରାଧା ଟିକେ ଦୀର୍ଘ ନିଃଶ୍ୱାସଟେ ଛାଡ଼ି କହିଲା, “ହଁ, ବହୁତ୍ ଭଲ ହୋଇଥିଲା, କ୍ରିଷ୍ଣାଙ୍କର ସବୁ ଲୀଳା ଦେଖି ମୋତେ କାହିଁକି କେଜାଣି ବହୁତ୍ ଗୁଡ଼ାଏ ପ୍ରଶ୍ନ ଘାଣ୍ଟି ଚାଲିଛି l”

ରାଧା କଥା ଶୁଣି ମୁରଲୀ ଧଇଁସଇଁ ହୋଉ ହୋଉ କହିଲା, “ସାରା ଦୁନିଆ ଆଜିଯାଏ କ୍ରିଷ୍ଣାଙ୍କର ପ୍ରତିଟି କର୍ମକୁ ବୁଝିପାରନ୍ତିନି, ତୁ କେମିତି ବୁଝିବୁ ଯେ? ତାଙ୍କୁ ଯିଏ ଯିଏ ବୁଝିଛନ୍ତି ତାଙ୍କ ପ୍ରେମରେ ପଡ଼ିଯାଇଛନ୍ତି ଆଉ ଯିଏ ନବୁଝିଛି ସେ ତାଙ୍କୁ ଛଳିଆ, ଠକ, ମାୟାବୀ, ନାରୀପ୍ରେମୀ… ଏମିତି କେତେ କ’ଣ ଲାଞ୍ଛନା ଦିଅନ୍ତି l ସେଥିପାଇଁ ତାଙ୍କୁ ବୁଝିବା ମାନେ ଭଗବାନଙ୍କୁ ବୁଝିଯିବା l” ଅନ୍ଧାରରାସ୍ତାକୁ ଖାଲଢ଼ିପ ରାସ୍ତାରେ ସାଇକେଲକୁ ନିଜ ଆୟତ୍ତରେ ଚଲାଉ ଚଲାଉ ମୁରଲୀ ଉତ୍ତର ଦେଲା l

ରାଧା ଏଥର ଚୁପ୍ ହୋଇରହିଲା, ଆଉ ମୁରଲୀ ଅଣ୍ଟାକୁ ଦୁଇ ହାତରେ ଜାବୁଡ଼ିକି ଧରି ମଥାକୁ ତା ଅଣ୍ଟାରେ ଧରିରଖିଲା l ମୁରଲୀ ତା’ର ଭାବନାକୁ ଅନୁଭବ କରିପାରିଲା ଭଳି ସାଇକେଲକୁ ଟିକେ ଧିରେ ଚଳାଇଲା ଓ ସାବଧାନ ସହ ପେଡାଲ୍ ମାରୁଥିଲା, ଯେମିତି ରାଧାର ଭାବନାରେ କିଛି ଅବରୋଧ ନ ଆସୁ l ଗାଁ ମୁଣ୍ଡରେ ମୁରଲୀ ସାଇକେଲକୁ ରଖି କହିଲା, “ଏବେ ତୁ ଘରକୁ ଯା, ଗାଁ ଲୋକ ଦେଖିଲେ ପୁଣି କ’ଣ ନାହିଁ କ’ଣ କହିବେ l ମୋତେ ସବୁ ଲୁଗାପଟା କାଚିବାର ଅଛି ଆଉ ତୋ ବା’ ବୋଧେ ଉଠିଯିବଣି ମନ୍ଦିର ଯିବାକୁ l” ରାଧା ଯିବାକୁ ସିନା ହଁ ଭରିଦେଲା, ହେଲେ ଆହୁରି ଜୋରରେ ମୁରଲୀକୁ ଜାବୁଡ଼ି ଧରି କହିଲା, “ମୋତେ ଏବେ ନା ତୁ କ୍ରିଷ୍ଣା କ୍ରିଷ୍ଣା ଅନୁଭବ ହେଉଛୁ, କେମିତି ଯେ ଛାଡ଼ିବି ତୋତେ?” ମୁରଲୀ କିନ୍ତୁ ତାକୁ ଜବରଦସ୍ତି ଘରକୁ ପଠାଉ ପଠାଉ ବହୁତ୍ତ ଭାବୁକ ହୋଇପଡ଼ିଲା ଆଉ ମନକୁ ମନ ଆଖିରୁ ଲୁହ ନିଗିଡ଼ି ଆସିଲା l

କାଲି ପ୍ରଥମ ଥର କରି ଦୁହେଁ ଦୁହିଁଙ୍କୁ ସ୍ପର୍ଶ କରିଛନ୍ତି l ଏତେ ଦିନର ଲୁଚାଛପା ଦେଖାହେବା ପରେ କାଲି ହିଁ ଏତେ ସାରା ସହସ ଆସିଗଲା ଦୁହିଁଙ୍କ ଭିତରେ l ସମାଜ ଓ ଜାତିପ୍ରଥା ଭୟରେ ଦୁହେଁ କେବେ ବି ଦୁହିଁଙ୍କୁ ଛୁଇଁ ନଥିଲେ l ପାଖ ଗାଁରେ ରାଧା କ୍ରିଷ୍ଣାଙ୍କ ଡ୍ରାମା ହେଉଥିଲା, କାହିଁକି କେଜାଣି ସେ ଜିଦ୍ଦି ଧରିବସିଲା ମୁରଲୀ ସହ ଲୁଚି ଲୁଚି ଯିବାକୁ l ଘରେ କେହି ନାହାଁନ୍ତି, ତା ବାପା ବଡି ଭୋରରୁ ପୂଜାକରିବା ପାଇଁ ଶୀଘ୍ର ଶୋଇଯାଏ l ଶୀତ ଦିନ, ବିରାଟ ବଡ଼ କମ୍ବଳଟିଏ ଘୋଡ଼େଇ ହୋଇ ଆସିଛି ସେ l ମୁରଲୀର ସାଇକେଲରେ ବସି ତା ଅଣ୍ଟାକୁ ଧରିଛି l ମୁରଲୀ ଆଜି ବହୁତ୍ ଖୁସି, ତା ଭଳି ଏକ ଅଛୁଆଁ ପିଲାକୁ ଏ ପୂଜାରୀଘର ଝିଅ ତନ ମନ ଓ ପ୍ରାଣ ଦେଇ ଭଲ ପାଉଛି l କାଲି ଅପରାହ୍ନରେ ଯେତେବେଳେ ସେ ମୁରଲୀକୁ ଡ୍ରାମା ଦେଖି ଯିବା କଥା କହିଲା, ମୁରଲୀ ତ ଡରିଗଲା, ହେଲେ ତା’ର ସେ ଉତ୍ସାହ ଓ ଖୁସି ଦେଖି ମୁରଲୀ ମନା କରିପାରିଲାନି l ଦୁହେଁ ମନ ଭରି ସୂର୍ଯ୍ୟାସ୍ତକୁ ଦେଖୁ ଦେଖୁ ରାଧା ହସି ହସି କହିଲା, “ଯଦି ଏମିତି ହୁଅନ୍ତା କି ଆଜିର ସୂର୍ଯ୍ୟାସ୍ତ ଆମର ଶେଷ ସୂର୍ଯ୍ୟାସ୍ତ ହୁଅନ୍ତା, ତାହାଲେ ତୁମେ ମୋତେ ଛାଡ଼ି ରହିପାରିବ ତ? ରାଧା ମୁହଁରୁ ଏଭଳି କଥା ଶୁଣି ମୁରଲୀ ଚୁପ୍ ରହିଲା ଓ ରାଧା ପାଟିରେ ହାତ ଦେଇ କହିଲା,”ଏସବୁ ଅଶୁଭ କଥା କେବେ ବି କହିବନି l”

ଘରେ ଆଖି ଲାଖିଯାଇଥିଲା l ଲୋକମାନଙ୍କର ହୋ ହାଲ୍ଲା ଶୁଣି ନିଦ ଭାଙ୍ଗିଗଲା ମୁରଲୀର l ବାହାରକୁ ଆସି ଦେଖିଲା ବେଳକୁ ଗାଁ ଲୋକେ ପୂଜାରୀ ସାହିକୁ ଧାଉଁଛନ୍ତି, କେହି ଜଣେ କହିଲା, “ପୂଜାରୀ ନନା ଝିଅ ରାଧା ଆଉ ଏ ଦୁନିଆରେ ନାହିଁ “ଏକଥା ଶୁଣି ମୁରଲୀର ପାଦ ତଳୁ ମାଟି ଖସିଗଲା l ହଠାତ୍ ବେହୋସ୍ ହୋଇ ପଡ଼ିଗଲା l ଲାଗୁଥିଲା ଯେମିତି ରାଧା ହିଁ ତା ପାଖରେ ବସି ତାକୁ ଡାକୁଛି l ସେଇ ଶେଷ ସୂର୍ଯ୍ୟାସ୍ତ ପଛେ ପଛେ l

Leave a Comment

Your email address will not be published. Required fields are marked *