ପରିବାରର ସମସ୍ତେ ପସନ୍ଦ କଲେ ଝିଅକୁ ଦେଖି । ଖାଲି ବାକି ଥିଲା ପୁଅ ଆସି ଥରୁଟିଏ ଦେଖାକରି ଯିବ । ଖବର ଦେଲେ ତାଙ୍କର, ପୁଅ ଦୁଇଦିନ ପାଇଁ ଛୁଟି ନେଇ ଆସିଛି, ତେଣୁ ଆସନ୍ତାକାଲି ସେ ଯାଇ ଝିଅକୁ ଦେଖାକରି ଆସିଲେ ବିବାହ ପାଇଁ ଆରମ୍ଭ ହେବ ପ୍ରସ୍ତୁତି କାର୍ଯ୍ୟ ।
ଜ୍ୱାଇଁ ପୁଅ ଆସୁଛନ୍ତି । ଘରେ ସମସ୍ତେ ତତ୍ପର ଅତିଥି ଚର୍ଚ୍ଚା ପାଇଁ । ସମସ୍ତଙ୍କ ଖୁସି ଦେଖି ସିପ୍ରା ବି ବହୁତ୍ ଖୁସି ମନେ ମନେ । ଖାଇବା ପିଇବା ପର୍ବ ସରିଲା, ଏବେ ଝିଅ ଦେଖା ପାଳି । ପୁଅ ଝିଅ ଦୁହିଁଙ୍କୁ କଥାହେବା ପାଇଁ ଛାଡ଼ିଦେଇ ସମସ୍ତେ ଚାଲିଗଲେ ବାହାରକୁ ।
“ଧେତ୍, ତୁମେ ଏତେ ସାଧାସିଧା ଆଉ ସରଳ। ଏମିତି ଗୋଟେ ଗାଉଁଲି ଆଉ ମଫସଲି ଝିଅକୁ ନେଇ ମୁମ୍ବାଇ ଭଳି ଜାଗାରେ ମୁଁ ଚଳିବି କେମିତି ? ନା, ଏଇଟା ମୋ ପାଇଁ ଅସମ୍ଭବ।” କହି ସେଇଠି ହିଁ ଏ ବାହାଘରକୁ ମନାକରି ଦେଇ ଆସିଲା ସୂରଜ୍ ।
ବାହାଘରଟା ଭାଙ୍ଗିଲାନି ଯେ, ଯେମିତି ଭାଙ୍ଗିଗଲା ସିପ୍ରାର ଘର ଲୋକଙ୍କ ଆଶା ଆଉ ଭରସାର ମେରୁଦଣ୍ଡ ।
ସମୟର କଷଟି ପଥରରେ ଘଷିହୋଇ ବିତିଗଲା ଅଳ୍ପ କିଛି ବର୍ଷ ।
ସେଦିନ ସୂରଜ୍ ଅଫିସକୁ ନୂଆ କରି ଉପରିସ୍ଥ ଅଧିକାରୀ ଆସିଥାନ୍ତି । ତାଙ୍କ ରହିବା, ଖାଇବା ଇତ୍ୟାଦିର ଦାୟିତ୍ୱରେ ଥାଏ ସୂରଜ୍ ।
ନିଜ ଚ୍ୟାମ୍ବରକୁ ଆସିସାରିଥାନ୍ତି ସେ । ତାଙ୍କୁ ଦେଖା କରି ସୁବିଧା ଅସୁବିଧା ବିଷୟରେ ପଚାରିବାକୁ ସୂରଜ୍ ଗଲା ଚ୍ୟାମ୍ବରକୁ ।
“ମ୍ୟାମ୍, ମୁଁ କିଛି ସାହାଯ୍ୟ କରି…” କହୁ କହୁ ଅଟକିଗଲା ସୂରଜ୍ । ପୁଣି କହିଲା ” ଆରେ ତୁମେ ଏଠି ।” ଉତ୍ତରରେ ସେପଟୁ କେବଳ ଛୋଟ ହଁ ଟିଏ ।
ସୁରଜ୍ ପୁଣିଥରେ ଟିକେ ନିଜକୁସଜାଡ଼ି କହିଲା, “ନାଇଁ..ମାନେ.. ଆ..ପ..ଣ..!”
“ନା.. ନା.. ସୂରଜ୍ ବାବୁ ଏ ସମ୍ମାନର କିଛି ଆବଶ୍ୟକତା ନାହିଁ । ମୁଁ ତ ସେଇ ନା ! ସେଇ ସାଧାସିଧା ଆଉ ସରଳ ଝିଅ । ମାନେ ତୁମ ଭାଷାରେ, ସେଇ ଗାଉଁଲି ଆଉ ମଫସଲି !”
” ନାଇଁ.. ମାନେ..!” କହୁ କହୁ ରହିଗଲା ସୂରଜ୍ । “ଆରେ.. ନିଜକୁ ଜମ୍ମା ବି ଲଜ୍ଜିତ ବୋଧ କରାନ୍ତୁ ନାହିଁ । ତୁମରି ପାଇଁ ହିଁ ସେଦିନ ମୋ ଜୀବନରେ ଗୋଟେ ଶେଷ ସୂର୍ଯ୍ୟାସ୍ତ ଆସିଥିଲା, ଯାହାର ଅନ୍ଧକାର ହିଁ ମୋତେ ଆଜି ଏ ନୂଆ ଆଲୋକ ଆଡ଼କୁ ଅଗ୍ରସର କରାଇଲା । ଅଶେଷ ଅଶେଷ ଧନ୍ୟବାଦ ତୁମକୁ ।” କହି ଦୀର୍ଘ ନିଃଶ୍ୱାସଟିଏ ଛାଡ଼ିଦେଲା ସିପ୍ରା ।