ସାତ ତିିଅଣ ତେର ଭଜା ଥାଳୀଆରେ ସଜା ମୋ ପାଇଁ ! ହଜିଲା ସପନ ଆଜି ହାଜର ମୋ ଜନ୍ମ ମାଟିରେ ! ବୋଉ ଶରଧା ରେ ଚିରା ପଣତେ ପୋଛି ପକଉଥାଏ ମୋ ମୁହଁ ଖାଇଦେ ମୋ ଧନ ! କ’ଣ କରିବି କହିଲୁ ଧନ ?? ମୋର କିନ୍ତୁ ଅନିଚ୍ଛା ସେ ଆଡ଼ମ୍ବର ! ଢାଳେ ତୋରାଣୀ ତଳେ ହଜିଥିବା ମୁଠାଏ ପଖାଳକୁ ଖୋଜି ଖୋଜି ନୟାନ୍ତ ! ବୋଉ ଜାଣେ ପେଟର ଭୋକ ! ବାଡ଼ିରୁ ଉଣ୍ଡେଇ ପାଚିଲା ସୁନୁସୁନିଆ ଶାଗ ଜାମେ ଭାଜି ବିନା ତେଲ ଲସୁଣରେ ଥୋଇଦେଇ ମୋ ଆଗରେ କହେ” ଖାଇଦେ ଧନ ନେ ଖାଇଦେ –ସେ ଯମ ଜହରା ପେଟ ଶାନ୍ତିରେ ରହୁନି, ସଦା ବେଳେ ଭୋକ ଆଉ ଭୋକ ! ଗରିବ ପେଟକୁ ଏତେ ଭୋକର ମାଡ଼ କ’ଣ ପାଇଁ ଯେ ! ସକ ସକ କରି ଗଡ଼ି ଯାଉଥାଏ ଲୁହ ବୋଉର କୋଠର ଆଖିରୁ ! ବୋଉ,ସେ ତ ପରିସ୍ଥିତିର ଦାସୀ ! ଗରିବିର ବନ୍ଧା ହାତ କେମିତି ସପନ ପୁରା କରିବ ! ସେହି ପେଟର ଭୋକ, ଏନ୍ତୁଡ଼ି ଶାଳ, ଗାଁଦାଣ୍ଡ, ପୋଖରୀ ହୁଡ଼ା, କଇଁ ଭର୍ତ୍ତି କାଚକେନ୍ଦୁ ପାଣି, ଗହିରୀ ବିଲ,ଝଙ୍କାଳିଆ ତାଳବଣ, କାଦୁଅ ଖଣା,ସବୁକୁ ପର କରି ଧାଇଁଗଲି ସହର, ଦୀର୍ଘ କୋଡିଏ ବର୍ଷ ! ଆଜି ଧର୍ମପତ୍ନୀଙ୍କ ତାଗିଦ୍ ନ ଖାଇ ନ ଖାଇ କଣ୍ଟା ହେଲଣି ! ବଳ କେଉଁଠୁ ଆସିବ ଯେ ଧନ ରୋଜଗାର କରି ମୋ ପାଇଁ ପାଟ ଶାଢୀ, ଦାମୀ ସୁନା ଗହଣା,ଆକାଶ ଛୁଆଁ ମହଲ, ଆଉ ଟୁନୁ କୁ ବାରିଷ୍ଟର କରିବ ! ମୁଁ ନିରୁତ୍ତର ! କେବଳ ଅଭାବ ପୁରଣ କରିବାକୁ ଗୋଟିଏ ଯନ୍ତ୍ର ଚାଳିତ ମେସିନ୍ଟିଏ ଯେମିତି ! କଳ କବ୍ଜାରେ ଉତ୍ସାହର ତେଲ ଢାଳି କର୍ତ୍ତବ୍ୟ କରୁଥାଏ !
—————————————–
ମନେ ପଡ଼େ,ଯେବେ ପ୍ରଥମ କରି ହାଡ଼ ଭଙ୍ଗା ପରିଶ୍ରମରେ ସଞ୍ଚିତ ଧନ ନେଇ ଗାଁ ଦଉଡ଼ି ଯାଇଥିଲି ! ବୋଉର ଚିରାପଣତ ବାପାଙ୍କ କଷରା ଧୋତି ଆଉ ଅଧୁରା ସପନକୁ ମୁଁ ତ ପୁରା କରିବି ! ଦେଖ୍ ବୋଉ, ଦେଖ ବାପା, ତୁମ ସୁଯୋଗ୍ୟ ପୁଅ ଆଉ ଭୋକିଲା ରହିବାକୁ ଦେବନି ! ତଡ଼ପଡ଼ ହୋଇ ରାତି ଉଜାଗର ହେବାକୁ ହେବନି ! ଆକାଶ ଛୁଆଁ ସପନ ନୂଆଁ କରି ଗଜରୁ ଥିବା ଦୁଇ ଡେଣା ମେଲାଇ ଉଡ଼ୁଥିଲି ବିଶାଳ ଗଗନରେ ! ଟିିଣ ବାକ୍ସରେ ଥୋଇ ଦେଇଥିଲି ମୁଠା ମୁଠା ଟଙ୍କା ଦୀର୍ଘ ତିନିବର୍ଷ ଦୂରତାର ସମ୍ବଳ ହାତରେ ଶକ୍ତ କରି ଧରିଥିଲି ! ଗାଁ ଦାଣ୍ଡରେ ପାଦ ଦେଉ ଦେଉ ଚିହ୍ନା ଲୋକ ମୁହଁ ଫେରେଇ ନେଉଥିଲେ ! ମୁହଁ ବୋଲା ଖୁଡ଼ା ଖୁଡୀ ମାନେ Oରା Oରି ହେଉଥିଲେ ! ଦାମା ଭାଇ କହିଲେ ଆସିଛୁ ଯେତେବେଳେ ଏକାଦଶାହ କର୍ମ ଶେଷ କରି ଯିବୁ ! ମୁଁ ବୁଝି ପାରିଲିନି ଦଉଡ଼ିଲି ପାଦକୁ ବଳଭରି, କଞ୍ଚା ଗୋବର ଲେପା କାନ୍ଥକୁ ଆଉଜି ବାପା ପାଷାଣ ପାଲଟିଥିଲେ ଆଉ ଏପଟେ କୋକେଇ ବନ୍ଧା ହେଉଥାଏ ଫୁଲ ସଜା ହେଉଥାଏ ! ବୋଉ ଶୋଇଥାଏ ! ତା’ ଚାରି ପାଖକୁ ଲାଗି କେଇଜଣ ବୁଢୀମା ଓ ପାଖ ପୋଡ଼ଶୀ ଭାଉଜ ମାନେ ସକ ସକ ହେଉଥାଆନ୍ତି ! ବୋଉକୁ କେମିତି ଜଣା ମୁଁ ତାକୁ ଶେଷ ଦର୍ଶନ ଲାଗି ତା ପାଖକୁ ଫେରୁଛି ! ମୁଁ ଆଉ ତା’ ହାତରେ ଖାଇବିନି ! ମୁଁ ମୋ ନିଜ ହାତରେ ବୋଉକୁ ଖୋଇଦେବି ! କିଏ ବା ଥିଲା କିଏ କାହା ହାତରେ ଖୁଆନ୍ତା ?? ପରେ ଜାଣିଲି କୁପୋଷଣ ମୋ ବୋଉର ପ୍ରାଣ ନେଇ ଯାଇଛି ! ଯମା କାନ୍ଦିଲିନି ସମସ୍ତଙ୍କ ଛି ଛାକର ଉଲାହଣା ଖାଇ ଲୁହ ସବୁ ବରଫ ପାଲଟିଥିଲା ! ଦୁଇ ଘଡ଼ି ପରେ ବୋଉର ଚିହ୍ନ ବର୍ଣ୍ଣ ପାଉଁଶ ପାଲଟିଥିଲା ! ଗରିବୀ ର ଏକ ଅଭିଶପ୍ତ ଶତାବ୍ଦୀର ଅନ୍ତ ଘୋଟିଥିଲା ! କିନ୍ତୁ ସବୁ ହରେଇ ସାରିଥିଲି ଆଜି ! ଯାହାର ଅମୂଲ୍ୟ ଜୀବନକୁ ଚମକେଇବାକୁ ମମତାର ପଣତ, କରୁଣାର ସ୍ପର୍ଶ, ଦୁଃଖର ପାହାଡ଼ ବୋଝେଇ ରାତି ଦିନ ଏକ କରିଥିଲି ତା’ର ମୂଲ୍ୟ ଆଉ ପାଇଲିନି ! – କ’ଣ ଏମିତି ବାଉଳି ହେଉଛ ଯେ ଖାଇନିଅ ଶିଘ୍ର,ଥଣ୍ଡା ହେଲେ ଡଷ୍ଟବିନ୍ କୁ ଫୋପଡ଼ା ହେବ ବୁଝିଲ ?? ଚମକି ପଡିଲା ପଙ୍କଜ ଫେରିଆସିଲା ଅତୀତରୁ ! ଆଖି ସାମ୍ନାରେ ଥାଳୀ ଭର୍ତ୍ତି ସୁସ୍ୱାଦୁ ଭୋଜନ କିନ୍ତୁ ଭୋକ ନାହିଁ ! ଅତୀତର ପୃଷ୍ଠା ଓଲଟାଉ ଓଲଟାଉ ଭୋକ ସବୁ ସମୟ ପିଇ ନେଇଛି ! ମୀନା,ଫ୍ରିଜ୍ରେ ଥୋଇଦିଅ କାଲି ସକାଳେ ଅଫିସ୍ ଗଲା ବେଳେ ଗରମ କରି ପରଷି ଦେବ ! ଏମିତି ବି ଶୀତଳ ଖାଇବାର ଅଭ୍ୟାସଟା ଦେହ ସୁଆ ହୋଇ ଗଲାଣି ! ବିନା ଖାଇବାରେ ହାତ ଧୋଇ ବିଛଣାକୁ ଯାଉ ଯାଉ ଅସ୍ପଷ୍ଟ ଶବ୍ଦ କିଛି ନବ ବିବାହିତ ପୁତ୍ର ପୁତ୍ର ବୋଧୁଙ୍କ ଘର ଭିତରୁ ତରଙ୍ଗାୟିତ ହେଉଥିଲା -ବୁଝିଲ ଟୁନୁ ତମ ବାପା ଟା ନିହାତି ଗଧ, ସତରେ ବାୟା ହୋଇ ଯାଇଛନ୍ତି ! ଏତେ ଭାବ ପ୍ରବଣତା ଭିତରେ ପଶୁ ଜିଅନ୍ତି ମଣିଷ ନୁହେଁ ! ସବୁବେଳେ ଦେଖ ଆକାଶ ଆଡ଼କୁ ଚାହିଁ ତାରା ଗଣୁଛନ୍ତି ଗଛ ଡାଳରେ ଲଟକିଥିବା ପତ୍ର ଗଣୁଛନ୍ତି ! ଧନ୍ୟ କହିବ ଏମିତି ଜୀବକୁ ! ଦଇବ କାହିଁକି ପଠାଇଛନ୍ତି କେଜାଣି ??
– ଆଲୋ ଧୀରେ କହ କିଏ ଯଦି ଶୁଣିବ ??
ଯାହା ପାଇଁ ଏ ଅମୂଲ୍ୟ ଉପହାର ଥିଲା ସେ ତ ପାଇ ଯାଇଛି ପୁଣି ଡର କାହାକୁ ?? ସେଦିନ ପଙ୍କଜ ଶୋଇ ପାରିଲାନି ରାତି ସାରା ! ମନର ଅସଂଖ୍ୟ ପ୍ରଶ୍ନ, ହୃଦୟର ଆବେଗ, ଆପଣା ପଣର ମହକ, ସବୁ ଫିକା ଲାଗୁଥିଲା ! ମାତ୍ର ସିର୍ଦ୍ଧାନ୍ତ ଶୂନ୍ୟରେ ଲଟକିଥିଲା ! ପରିଣତି କ’ଣ ପରିଣତି କ’ଣ ??? ରାତି ପାହିଲା କୁଆ ରାବିଲା ସୁରୁଜ ବଉଦ ଫାଙ୍କରୁ ମୁହଁ ଦେଖାଇଲା , ହେଲେ ପଙ୍କଜ ଆଖି ଖୋଲି ପାରିଲାନି ! ସେ ଭାବପ୍ରବଣତାର ନିର୍ମଳ ଆଖି ଦୁଇଟା ସବୁଦିନ ଲାଗି ବୁଜି ସାରିଥିଲା !
ଶ୍ରେଷ୍ଠ ଉପହାର
