ସଜ ସକାଳ

ସବୁଦିନ ପରି ଆଜି ମଧ୍ୟ ସ୍ମିତା କଲେଜରୁ ଫେରୁଥାଏ | ହଠାତ ଦେଖିଲା ପୋଲ ଉପରେ ବହୁତ ଲୋକ ରୁଣ୍ଡ ହୋଇଛନ୍ତି ଏବଂ ତଳେ ମଧ୍ୟ କାହାକୁ ଗୋଟେ ଘେରି ହୋଇ ରହିଲା ପରି ରହିଛନ୍ତି | ଏତେ ଲୋକ ଏକା ସହିତ କଣ କରୁଛନ୍ତି ବୋଲି ଭାବିଲା ଓ କଣ ହେଇଛି ବୋଲି ଦେଖିବାକୁ ଗଲା | ଦେଖିଲା ଵେଳକୁ ଜଣେ ୪୫ ବର୍ଷର ଲୋକଟେ ଓଦା ସରସର ହୋଇ ନଈ ବାଲିରେ ଶୋଇଛି | ଲୋକଙ୍କୁ ପଚାରୁ ପଚାରୁ ଯାହା ଜାଣିବାକୁ ପାଇଲା , ପୋଲ ଉପରୁ ଡେଇଁ ଆତ୍ମହତ୍ୟା କରୁଥିଲା କିନ୍ତୁ ସୋଭାଗ୍ୟବଶତଃ ନାବିକଟି ବଂଚେଇଦେଲା | ସ୍ମିତା ଦୂରରୁ ଦେଖିଲା ତିନୋଟି ଝିଅଙ୍କ ସହ ଜଣେ ମହିଳା କାନ୍ଦି କାନ୍ଦି ଦୌଡି ଦୌଡି ଆସୁଛନ୍ତି | ତାଙ୍କୁ ଦେଖି ଭାବିଲା ; ନିଶ୍ଚୟ ସ୍ତ୍ରୀ ଆଉ ଝିଅ ହୋଇଥିବେ ବୋଧେ | ସଙ୍ଗେ ସଙ୍ଗେ ପାଖରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସେ ଲୋକକୁ ନେଇଗଲେ ସାଥିରେ ତାର ଯାଇଥିଲେ ସ୍ତ୍ରୀ, ଝିଅ ଏବଂ ପୋଲିସ | ସ୍ମିତାର ମଧ୍ୟ ଜାଣିବାକୁ ଇଚ୍ଛା ଥାଏ , ଭଲ ଲୋକ ଏବଂ ଭଲ ପରିବାର ପରି ଜଣା ପଡୁଛନ୍ତି କିନ୍ତୁ ସେ ଆତ୍ମହତ୍ୟା କଣ ପାଇଁ କରିବାକୁ ଯାଇଥିଲା | ସେ ଏହାର କାରଣ ଜାଣିବ ବୋଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଯାଇଥିଲା ଓ ସେଠି ଯାଇ ଦେଖିଲା ଲୋକଟି ସୁସ୍ଥ ଅଛି ଏବଂ କଥା ହେଉଛି, ପାଖରେ ତାର ସ୍ତ୍ରୀ କହୁଛି ” ତମେ କଣ ପାଇଁ ଏସବୁ କରୁଥିଲ ? ତମ ବିନା ଆମ ମାନଙ୍କ ଅବସ୍ଥା କଣ ହେଇଥାନ୍ତା ଜାଣିଛ, କେବେ ଚିନ୍ତା କରିଛ ” ସଙ୍ଗେ ସଙ୍ଗେ ଉତ୍ତର ଦେଲେ ସେ ବ୍ୟକ୍ତି ଜଣଙ୍କ ” ମୁଁ ଥାଇକି ଯାହା, ନଥାଇ ମଧ୍ୟ ସେୟା , ଆଉ କେତେ ସହିବି କୁହ ? ସକାଳ ପାହିଲେ ସେ ରାଜୁ ଦୋକାନୀ ଚିଠା ପଠେଇଦେଉଛି, ଏତେ ଟଙ୍କା ବାକି ଅଛି, ମୁଣ୍ଡ ଉପରେ ରିମାର ବାହାଘର ଚିନ୍ତା, ସୀମାର ପରୀକ୍ଷା ଫର୍ମ ଫିଲଅପ,ତମକୁ ନଅ ମାସ ହେଇଗଲାଣି ଗୋଟେ ଭଲ ଶାଢ଼ୀଟିଏ କିଣିକି ଦେଇପାରୁନି | କରଜ ଆଣିକି ମିତାର କୋଚିଂ ଖର୍ଚ୍ଚ ଜମା କରୁଛି | ତମେ କୁହ ଯେତେବେଳେ ପୂଜାପର୍ବାଣୀରେ ସବୁ ଝିଅ ଭଳିଭଳିକି ପୋଷାକ ପିନ୍ଧି ଗାଁ ଦାଣ୍ଡରେ ଏପଟ ସେପଟ ହେଉଥିବେ, ସେତେବେଳେ ମୋର କଣ ଇଚ୍ଛା ନଥାଏ, ମୋ ଝିଅକୁ ଖଣ୍ଡେ ଡ୍ରେସ କିଣିକି ଦେବାକୁ, କିନ୍ତୁ ସେତିକି ସମ୍ଭଳ ମୋର ନଥାଏ | ପ୍ରତି ରାତିରେ ଭାବେ , ଆଗକୁ ଝିଅର ମାସ ପୁରି ଗଲାଣି ପଇସା ଦେଵି, ସୁଧିଆ ଆଣିଥିଲି ଟଙ୍କା ତାକୁ ମଧ୍ୟ ଦେବି, ହାଟରେ କାଲି ପରିବା ବିକ୍ରି ହେବ ତ, ପୁଣି ଭାବେ ଏ ରାତି ନପାହୁ କି ସକାଳ ନହେଉ | ସଜ ସକାଳ ସିନା ସମସ୍ତଙ୍କ ଜୀବନରେ ନୂଆ ଆଶା ଓ ଖୁସି ନେଇ ଆସୁଛି କିନ୍ତୁ ଏ ସଜ ସକାଳ ମୋ ଜୀବନରେ ଖାଲି ଦୁଃଖ ଛାଡ଼ିଦେଇ ଯାଉଛି | କେତେ ଲୋକଙ୍କ ପାଖେ କରଜ କରିବି କୁହ ? ଏ ଛାତି ଫାଟି ଗଲା ପରି ଲାଗୁଛି | ”
ଏତିକି କଥା ଶୁଣୁ ଶୁଣୁ ତିନି ଝିଅ ଆସିକି ବାପାଙ୍କୁ ଜୋରରେ କୁଣ୍ଢେଇ ପକେଇଲେ ” ବାପା, ଆମର କିଛି ଦରକାର ନାହିଁ, ତମେ କେବଳ ଆମ ପାଖରେ ରୁହ ” ବାପା ତିନି ଝିଅଙ୍କ ମୁଣ୍ଡରେ ଥରେ ଥରେ ହାତ ବୁଲେଇ ଆଉଁସି ଦେଇ କହିଲେ ” ମାଆ, ତମେ ସବୁ କିଛି ବୁଝି ପାରିବନି, ଚାଲ ଘରକୁ ଯିବା ” କିଛି ସମୟ ପରେ ସେମାନେ ପୋଲିସ ସହ କଣ କଥା ହୋଇ ଘରକୁ ଚାଲିଗଲେ |
ସ୍ମିତା ମଧ୍ୟ ପଳିଆସିଲା କିନ୍ତୁ ସେ ମୁହୂର୍ତ୍ତ ଆଉ କଥା ଗୁଡିକ ତାର ମାନସ ପଟରେ ନାଚି ଉଠୁଥିଲା ଆଉ ଗୁଡ଼ାଏ ପ୍ରଶ୍ନ ତାର ମନରେ ଉଙ୍କି ମାରୁଥିଲା ଏବଂ ମନକୁ ମନ କହୁଥିଲା ” ସତରେ କଣ ଏ ଜୀବନର ମାନେ କିଛି ନାହିଁ ?
ପଇସା କଣ ଆମ ଜୀବନରେ ଏତେ ଗୁରୁତ୍ୱପୂର୍ଣ୍ଣ ? ଏ ପଇସା ଆଗରେ ବେଳେବେଳେ ସ୍ନେହ, ପ୍ରେମ ଓ ସମ୍ମାନ ଵି କଣ ତୁଚ୍ଛ ? ଆଜି କାଲି ଦୁନିଆରେ ପଇସା ଯାହା ପାଖେ ନାହିଁ, ତାକୁ କଣ ବଡ଼ ବଡ଼ ସ୍ବପ୍ନ ଦେଖିବା ମନା ନା ଖୁସିରେ ମନ ଖୋଲି ହସିବା ମନା ? ବାପା ସବୁବେଳେ କୁହନ୍ତି , ପଇସାର ଅପବ୍ୟବହାର କରେନି, ଯଦି କେବେ କାହାକୁ ସାହାଯ୍ୟ କରିବାକୁ ଭଗବାନ ସୁଯୋଗ ଦେଉଛନ୍ତି, ଯଦି ତୋ ପାଖେ ଅର୍ଥ ଅଛି , ତାକୁ ନିଶ୍ଚୟ ସାହାଯ୍ୟ କରିବୁ |
ହେ ପ୍ରଭୁ ! ତମ ସୃଷ୍ଟିରେ ଇଏ କି ବିଚାର ? ଏତେ ଦୁଃଖରେ ମଧ୍ୟ ଲୋକ ଅଛନ୍ତି ! ସତରେ କଣ ଗୋଟେ ସଜ ସକାଳ ମନରେ ସ୍ଵଭାବନା ଆଣିବା ବଦଳରେ ଅନେକ ଦୁଃଖ, କଷ୍ଟ ଓ ଯନ୍ତ୍ରଣା ନେଇକି ଆସେ !

1 thought on “ସଜ ସକାଳ”

Leave a Comment

Your email address will not be published. Required fields are marked *