ସନ୍ଧ୍ୟା ଗୋ

ସନ୍ଧ୍ୟା ଗୋ ତୁମ କାଳିମାରେ
ଦୁଃଖ ମୋର ହଜାଇ ଦେବ କି ଥରେ,
ଦୁଃଖ ମୋର ହଜାଇ ଦେଇ
ଓଠରେ ମୋ ହସ ଫୁଟାଇ ଦେବକି ଥରେ ||

ସନ୍ଧ୍ୟା ଗୋ ତୁମ ସ୍ପର୍ଶରେ
ମନ ମୋର ଶାନ୍ତ କରି ଦେବ କି ଥରେ,
ମନ ମୋର ଶାନ୍ତ କରି
କଣ୍ଠରେ ମୋ ଭଜନ ଆଣି ଦେବକି ଥରେ ||

ସନ୍ଧ୍ୟା ଗୋ ତୁମ ରୂପରେ
ହୃଦ ମୋର ମୋହି ନେବ କି ଥରେ,
ହୃଦ ମୋର ମୋହି ନେଇ
କଲମେ ମୋ ଶବ୍ଦପୁଞ୍ଜି ଗୁନ୍ଥି ଦେବକି ଥରେ ||

ସନ୍ଧ୍ୟା ଗୋ ତୁମ ନିଶାରେ
ତନୁ ମୋର ଝୁମାଇ ଦେବ କି ଥରେ,
ତନୁ ମୋର ଝୁମାଇ ଦେଇ
ନିଷ୍ପାପ ପ୍ରେମିକଟେ ମୋତେ କରି ଦେବକି ଥରେ ||

ସନ୍ଧ୍ୟା ଗୋ ତୁମ ଜ୍ୟୋସ୍ନାରେ
ଶୋଷ ମୋର ମେଣ୍ଟାଇ ଦେବ କି ଥରେ,
ଶୋଷ ମୋର ମେଣ୍ଟାଇ ଦେଇ
ମନରେ ମୋ ଆକାଂକ୍ଷା ଭରି ଦେବକି ଥରେ ||

ସନ୍ଧ୍ୟା ଗୋ ତୁମ ବକ୍ଷରେ
ପାପ ମୋର ଭରି ନେବ କି ଥରେ,
ପାପ ମୋର ଭରି ନେଇ
ନୂତନ ନିଷ୍ପାପ ପ୍ରଭାତଟେ ଭେଟି ଦେବକି ଥରେ ||

ସନ୍ଧ୍ୟା ଗୋ ତୁମ ଆଗମନରେ
ଘରକୁ ମୋର ବାଟ କଢ଼ାଇ ନେବକି ଥରେ,
ଘରକୁ ମୋ ବାଟ କଢ଼ାଇ
ଶାନ୍ତିରେ ମୋ ମା’କୋଳରେ ଶୁଆଇ ଦେବକି ଥରେ ||

××××××

2 thoughts on “ସନ୍ଧ୍ୟା ଗୋ”

Leave a Comment

Your email address will not be published. Required fields are marked *