ସନ୍ଧ୍ୟା

ସନ୍ଧ୍ୟା!
ପ୍ରକୃତି କୋଳ ରେ ଅଳସ ଭାଙ୍ଗୁ ଥିବା
ଦେବାଙ୍ଗନା ଟିଏ,
ରବି ର ପଶ୍ଚିମାଭିମୁଖୀ ହେବା ର
ସୁନ୍ଦର ଆଭାସ ଟିଏ,
ମଉଳି ପଡ଼ିଥିବା ପୁଷ୍କର ର କରୁଣ
ଅବଶୋଷ ଟିଏ,
ଅବା ପୁଷ୍କରିଣୀ ରେ ସରମି ଯାଉଥିବା
ସଦ୍ୟ ଫୁଟା କୁମୁଦ ସିଏ।।

ସନ୍ଧ୍ୟା!
ପଶ୍ଚିମାକାଶ ନାଲି ଦିଗବଳୟ ର
ରକ୍ତିମ ଆଭା ଟିଏ,
ନୀଡ଼ ବାହୁଡା଼ ବିହଙ୍ଗ ର କିଚିରି ମିଚିରି
ଅର୍ଦ୍ଦଳି ଟିଏ,
ଗୋପାଳ ମୂରଲୀ ରୁ ଭାସି ଆସୁଥିବା
ମଧୁର ଛନ୍ଦ ଟିଏ,
ଅବା ଗାଁ ଦାଣ୍ଡରେ ଗୋପ’ଲ ଙ୍କ ର
ଘର ମୁହାଁ ଚିହ୍ନ ଟିଏ।।

ସନ୍ଧ୍ୟା!
ପଶ୍ଚିମା ତରା ଆଗମନର ମିଞ୍ଜି ମିଞ୍ଜି
ସୂଚକ ସିଏ,
ତୁଳସୀ ଚଉରା ର ଅଳସ ଭଙ୍ଗା
ସଞ୍ଜ ବତୀ ସିଏ,
ଭାଗବତ ଟୁଙ୍ଗୀ ର ଭକ୍ତି ପ୍ରସାର
ବାଣୀ ସିଏ,
ଅବା ଗ୍ରାମଦେବତୀ ଙ୍କ ପ୍ରାଙ୍ଗଣ ର
ଧୂପ ନୈବେଦ୍ୟ ଟିଏ।।

ସନ୍ଧ୍ୟା!
ଘୋର ତମସାରେ ରଜନୀ ରାଣୀ
ଆଗମନୀ ବାର୍ତ୍ତା ସିଏ,
ଅବଧାନେ ଙ୍କ ଚାଟଶାଳୀ ର
ନିଷ୍ପାପ କୋଳାହଳ ସିଏ,
ଶୂନ୍ୟ ବାତାବରଣ ରେ ଗଙ୍ଗଶିଉଳି
ର ମହକ ସିଏ,
ଅବା ଧରଣୀ ରାଣୀ ର ଭାସ୍କର କୁ
ବିଦାୟ ଦେବାର ସଂକେତ ଟିଏ।।

Leave a Comment

Your email address will not be published. Required fields are marked *