ସପନର ଆର ପାରି

{ଅଜବ ଦୁନିଆ}

ଉପକ୍ରମ – :
=======
କେବେ ଭାବନ୍ତି ଆପଣ ? କେତେବେଳେ ଆମ ମସ୍ତିସ୍କ ଅଧିକ କଲ୍ପନା କରେ? କୌଣସି କାମ କରୁଥିବା ସମୟରେ ନା ଚୁପ ହେଇ ଗୋଟିଏ ଜାଗାରେ ଆମ ଶରୀର କୁ ସ୍ଥିର ରଖିବା ସମୟରେ?

କାହାଣୀ -:
======
ସେ ଦିନ ଥିଲା ମୋ ଗ୍ରାଜୁଏସନ୍ ତୃତୀୟ ବର୍ଷ ର ଶେଷ ପରୀକ୍ଷା । ଯେମିତି ମୁଁ ଚିତ୍ରା କୁ କହିଥିଲି ପରୀକ୍ଷା ସରିଲା ପରେ ଆମେ ଇଭିନିଂ ଶୋ ସିନେମା ଦେଖିବାକୁ ଯିବୁ ବୋଲି, ସେଦିନ ସନ୍ଧ୍ୟା ରେ ଆମ ଯୋଜନା ମୁତାବକ ଆମେ ସିନେମା ଦେଖିବାକୁ ଗଲୁ । ସିନେମା ଦେଖି ଆମେ ଫେରୁଥିଲା ବେଳେ ମୋ ବାଇକ୍ ସାମ୍ନା ରେ ଗୋଟିଏ ଧଳା ବୋଲେରୋ କାର ଆସିଗଲା, ମୁଁ ବ୍ରେକ ମାରିଲି କିନ୍ତୁ ମୋ ବାଇକ୍ ର ସ୍ପିଡ୍ ଖୁବ୍ ଅଧିକ ଥିଲା ଫଳରେ ମୋ ବ୍ରେକ କେବୁଲ୍ ଛିଡି ଗଲା ଆଉ ମୋ ବାଇକ୍ ଯାଇ ବାଡେଇ ହେଇଗଲା ସେଇ କାର ରେ । ଚିତ୍ରା ଆଉ ମୁଁ ଫିଙ୍ଗି ହେଇଗଲୁ ଦୂରକୁ। ଚିତ୍ରା କାକୁତି ରେ ମୋତେ ଡାକୁଥାଏ, ମୋ ଆଖି ସାମ୍ନା ରେ ଦୌଡି ଆସିଲେ କିଛି ଲୋକ ସେହି କାର ରୁ, ଆଉ ତା ପରେ ଆମ ଦିଜଣ ଙ୍କୁ ଉଠେଇ ନେଇ କାର ଭିତରେ ଭର୍ତ୍ତି କରିଦେଲେ । ଧୀରେ ଧୀରେ ମୋ ଆଖି ସାମ୍ନା ରେ ସାରା ଦୁନିଆ ଟା ଝପ୍ସା ହେବାରେ ଲାଗିଲା । କିଛି ସେକେଣ୍ଡ ପରେ ମୋ ଆଖି ଆଗରେ ଗାଢ଼ ଅନ୍ଧକାର ଛାଇଗଲା । ଲାଗିଲା ଯେମିତି ମୁଁ ଆଖି ବନ୍ଦ କରିଦେଲି ।
ଯେତେବେଳେ ମୁଁ ମୋ ଆଖି ଖୋଲିଲି, ଦେଖିଲି ମୋ ହାତ ଗୋଡ ଗୋଟିଏ ଚୌକି ରେ ବନ୍ଧା ହେଇଚି ଆଉ ମୁଁ ସେଇ ଚୌକି ରେ ବସିଚି । ସେ ସ୍ଥାନ ର ଜିନିଷ ପତ୍ର ସବୁ ଦେଖି ଲାଗୁଥିଲା ସେଇଟା ବୋଧେ କୌଣସି ପୁରୁଣା ଚାଉଳ ଗୋଦାମ । ମୁଁ ଜୋର୍ ରେ ଚିତ୍କାର କଲି “ଚିତ୍ରା ! ଚିତ୍ରା ! କୋଉଠି ତୁମେ ?” ।
ଏ ସବୁ ଶୁଣି ଜଣେ ଲୋକ ଦୂରରୁ ଜୋର୍ ରେ ଡାକ ଦେଲା , “ଭାଇ ! ଏ ଟୋକା ର ହୋସ୍ ଆସିଗଲା” ।
ସେ ଲୋକ ର କଥା ଶୁଣି କଳା କୁର୍ତ୍ତା ପାଇଜାମା ପିନ୍ଧା ଜଣେ ଲୋକ ହାତରେ ବଡ଼ ଖଣ୍ଡା ଟିଏ ଧରି ମୋ ଆଡ଼କୁ ଆସିଲା ଆଉ ମୋ ସାମ୍ନା ରେ ଚୌକି ଟିଏ ପକେଇ ବସିଲା । ମୋ କାନ୍ଧ ଉପରେ ଖଣ୍ଡା ରଖି ପଚାରିଲା , “ତୋରି ଲାଗି ଆଜି ମୋର ଏ ଅବସ୍ଥା ହେଲା । କହ କାହିଁକି ସେଦିନ ତୁ ଏମିତିକା ନିଷ୍ପତ୍ତି ନେଲୁ ?”
ତା ମୁହଁ ଟି କଳା କପଡା ରେ ଆବଦ୍ଧ ଥିଲା ତେଣୁ ଠିକ୍ ସେ ଜାଣି ହେଲାନି ସେ କିଏ। କିନ୍ତୁ କେଜାଣି କାହିଁକି ମୋତେ ଲାଗୁଥିଲା ଯେମିତି ସେ ଲୋକ କୁ ମୁଁ ଜାଣିଚି । ମୁଁ ଭୟରେ ତାକୁ ପଚାରିବାକୁ ଲାଗିଲି , “କିଏ ତୁମେ ? ମୁଁ କଣ କରିଚି ? ଚିତ୍ରା କାହିଁ ? କୋଉଠି ଅଛି ମୁଁ ?”
ଏତିକି ପ୍ରଶ୍ନ ରେ ବିରକ୍ତ ହେଇ ସେ ଲୋକ ମୋ ବାହୁ କୁ ଖଣ୍ଡା ରେ ଆଘାତ କରିଦେଲା । ଆଉ ରାଗିଯାଇ କହିଲା, “ପାଇଲୁ ସବୁ ଉତ୍ତର ? ନା ଆହୁରି କିଛି ବାକି ଅଛି ? ଶୁଣ ! ଚିତ୍ରା ମରିଯାଇଛି” ।
ଏତିକି କହି ତା ଆଖିରୁ ଲୁହ ବୋହି ଆସିଲା । ସିଏ ତା ଆଖିର ଲୁହ ପୋଛିଲା ବେଳେ ଜଣେ ପୋଲିସ ଆସି ତା ମୁଣ୍ଡ ପଛପଟେ ବନ୍ଧୁକ ରଖି କହିଲେ, “ବହୁତ୍ ଖୋଜିଛି ତୋତେ, ଆଜି ମିଲିଲୁ ତୁ ? ଏଥର ଆଉ ଖସି ଯାଇ ପାରିବୁନି” ।
ମୁଁ ସେ ପୋଲିସ୍ ବାବୁ ଙ୍କ ଚେହେରା ଦେଖି ବଡ଼ ଆଶ୍ଚର୍ଯ୍ୟ ହେଇଗଲି । ଆଉ ଭାବିବାକୁ ଲାଗିଲି “ଏମିତି କେମିତି ହେଇ ପାରିବ?” । ମୋ ଭାବିବା ଶେଷ ହେବା ପୂର୍ବରୁ ସେ ପୋଲିସ୍ ଜଣଙ୍କ ମୋ ଅପହରଣକାରୀ ଙ୍କୁ ଗୁଳି ମାରି ଦେଲେ । ପୋଲିସ୍ ବାବୁଙ୍କ ଗୁଳିରେ ଟଳି ପଡ଼ିଲା ବେଳେ, ସେ ଦୁର୍ଦ୍ଦାନ୍ତ ମଣିଷ ଟିର ମୁହଁରେ ଥିବା ସେ କଳା କପଡା ଟି ଖୋଲିଗଲା ଆଉ ତା ଚେହେରା ଦେଖାଗଲା । ସେ ଚେହେରା ଟି ମଧ୍ୟ ମୋତେ ଖୁବ୍ ଆଶ୍ଚର୍ଯ୍ୟ କରିଦେଲା । କାରଣ ସେ ପୋଲିସ୍ ବାବୁ ଆଉ ଅପହରଣକାରୀ ଦୁହିଁଙ୍କ ଚେହେରା ଥିଲା ଏକ । ଆଉ ସେ ଦିଜଣ ଙ୍କ ଚେହେରା ଅବିକଳ ମୋରି ଚେହେରା ର ନକଲ ଥିଲା ।
ସେ ପୋଲିସ୍ ଜଣଙ୍କ ଆସିଲେ ଆଉ ମୋତେ ଖୋଲିଲେ । ମୁଁ ତାଙ୍କୁ ଖୁବ୍ ଆଶ୍ଚର୍ଯ୍ୟ ର ସହ ଅନେଇଥାଏ । ସେ ମୋତେ ଦେଖି ପଚାରିଲେ, “କଣ ? ବିଚିତ୍ର ଲାଗୁଚି ନା ଏ ସବୁ ?” । ମୁଁ ମୁଣ୍ଡ ହଲେଇ କହିଲି ‘ ହଁ ‘ । ସେ ମୋ ସଂଶୟ ଦୂର କରିବାକୁ ଯାଇ କହିଲେ, “ଆଶ୍ଚର୍ଯ୍ୟ ହେବାର କିଛି ନାଇଁ । ମୁଁ ହେଲି ତୁମ ୧୦ ବର୍ଷ ପର ର ଅବସ୍ଥା” ।
ମୁଁ ଡରିଯାଇ ପଚାରିଲି , “ତା ମାନେ ମୁଁ ଭବିଷ୍ୟତ ରେ ଅଛି ?” ।
ସେ ସଙ୍ଗେ ସଙ୍ଗେ ମୋତେ ଶାନ୍ତ କରିବାକୁ ଯାଇ କହିଲେ, “ନାଇଁ ନାଇଁ । ତୁମେ ଏବେ ଗୋଟିଏ ସ୍ଵପ୍ନ ଦେଖୁଚ । ଆଉ ସେ ସ୍ଵପ୍ନ ରେ ତୁମେ ତୁମ ଭବିଷ୍ୟତ ର ସବୁ ସମ୍ଭାବନା ମାନଙ୍କୁ ଦେଖିବାକୁ ପାଇବ । ମୁଁ ତୁମର ପ୍ରକୃତ ଭବିଷ୍ୟ ଅବସ୍ଥା ନୁହେଁ, ଭବିଷ୍ୟତ ର ଗୋଟିଏ ସମ୍ଭାବନା ମାତ୍ର” ।
ମୁଁ ଟିକିଏ ଶାନ୍ତ ହେଲି ଆଉ ତା ପରେ ପଚାରିଲି, “ତା ମାନେ ଏ ଅପହରଣକାରୀ ବି ?” । ସେ ମୋ ପ୍ରଶ୍ନ ର ଉତ୍ତର ଦେବାକୁ ଯାଇ କହିଲେ, “ହଁ । ଇଏ ମଧ୍ୟ ତୁମ ଭବିଷ୍ୟ ର ଏକ ସମ୍ଭାବନା” ।
ମୁଁ ଖୁବ୍ ଆଗ୍ରହ ର ସହିତ ଜାଣିବାକୁ ଚାହିଁଲି ସେ ସମ୍ଭାବନା ପଛର କାହାଣୀ କଣ ? ସେ ପୋଲିସ୍ ଜଣଙ୍କ କହିଲେ, “ଚିତ୍ରା ର ବାହାଘର ଠିକ୍ ହୋଇଯାଏ, ତୁମ ସାଙ୍ଗମାନେ ତୁମକୁ ବହୁତ୍ ଚିଡାନ୍ତି । ସାଙ୍ଗ ମାନଙ୍କ ଥଟ୍ଟା ପରିହାସ ସହି ନ ପାରି, ଚିତ୍ରା କୁ ତା ଘରୁ ଉଠେଇ ଆଣ ଆଉ ଜବରଦସ୍ତି ବିବାହ କରିବାକୁ ଚେଷ୍ଟା କର ତୁମେ । ଏଥିରେ ଚିତ୍ରା ରାଜି ହୁଏ ନାହିଁ ତେଣୁ ତୁମେ ବାଧ୍ୟ ହେଇ ତାର ବଳାତ୍କାର କରି ହତ୍ୟା କର । ଆଉ ତା ପରେ ପାଦ ରଖ ଅପରାଧ ଦୁନିଆ ରେ । ଦିନ ଆସେ ତୁମ ନାଁ ରେ ଶୁଟ୍ ଏଟ ସାଇଟ୍ ର ଅର୍ଡର୍ ଆସେ । ତେଣୁ ଆଜି ତୁମକୁ ମାରିବାକୁ ପଡେ ମୋତେ । କିନ୍ତୁ ସେ ଦିନ ର ସେ ଭୁଲ୍ ନିଷ୍ପତ୍ତି ଯୋଗୁଁ ତୁମେ ନିଜକୁ ଜୀବନ ସାରା ଧିକ୍କାର କରି ଚାଲ । ଆଉ ଆଜି ଯେତେବେଳେ ତୁମକୁ ତୁମ ଅତୀତ ଦେଖା ହୁଏ ତୁମେ ତୁମକୁ ସେ ଦିନର ଭୁଲ୍ ନିଷ୍ପତି ବିଷୟରେ ପ୍ରଶ୍ନ କରୁଥିଲ ଆଉ ତୁମର ସେଇ ଅତୀତ କୁ ମାରିବାକୁ ଚେଷ୍ଟା କରୁଥିଲ” ।
ମୋର ଏ ସମ୍ଭାବନା ର କାହାଣୀ ଶୁଣି ମୋତେ ଖୁବ୍ ଡର ଲାଗୁଥିଲା ନିଜ ଉପରେ । ତା ପରେ, ସେ ମୋ କ୍ଷତାକ୍ତ ବାହୁ କୁ ଦେଖିଲେ ଯେଉଁଠି ବହୁତ୍ ରକ୍ତ ବୋହିଯାଇଛି । ସେ କହିଲେ, “ଆରେ ତୁମ ହାତ ରୁ ତ ଅନେକ ରକ୍ତ ବୋହି ଯାଇଚି । ଚାଲ ମୁଁ ତୁମକୁ ଡାକ୍ତର ଙ୍କ ପାଖକୁ ନେଇଯିବି” । ଏତିକି କହି ସେ ମୋତେ ତାଙ୍କ କାର ରେ ବସେଇଲେ ଆଉ ହସ୍ପିଟାଲ୍ ନେଇ ଗଲେ ।
ମୁଁ କାର ରେ ତାଙ୍କୁ ପଚାରିଲି ତାଙ୍କ ପୋଲିସ୍ ହେବା ପଛରେ କାହାଣୀ କଣ ? ସେ ମଧ୍ୟ ଖୁବ୍ ଖୁସି ରେ ଉତ୍ତର ଦେଲେ, “କିଛି ନାଇଁ । ଚିତ୍ରା ର ବାହାଘର ଠିକ୍ ହୋଇଯାଇଥାଏ , ସାଙ୍ଗ ମାନଙ୍କ ଥଟ୍ଟା ପରିହାସ ଆମ ଦିଜଣଙ୍କ ଉପରେ ବଢ଼ିବାରେ ଲାଗିଥାଏ । ମୋତେ ଖୁବ୍ କଷ୍ଟ ଲାଗିଲା, ସେ ସବୁ ସହି ନ ପାରି ସିଧା ଗଲି ଚିତ୍ରା ର ବାପା ଙ୍କ ପାଖକୁ । ପ୍ରଥମେ ସେ ଆମ ବାହାଘର ପାଇଁ ନାରାଜ ହେଲେ, ମୁଁ ଆଉ ଚିତ୍ରା ବହୁତ୍ ଚେଷ୍ଟା କଲୁ ତାଙ୍କୁ ମନେଇବାକୁ । ତା ପରେ ସେ ସର୍ତ୍ତ ରଖିଲେ ଯେ ଯଦି ମୁଁ ୪ ବର୍ଷ ଭିତରେ ପୋଲିସ୍ ଚାକିରି କରି ଦେଖେଇବି ତାହେଲେ ସିଏ ତାଙ୍କ ଚିତ୍ରାକୁ ମୋ ସହିତ ବାହା କରେଇବେ ” ।
ମୁଁ ଖୁସି ହେଇ କହିଲି , “ଆଉ ଆପଣ ପୋଲିସ୍ ହେଇଗଲେ । ଚିତ୍ରା ସହିତ ବାହା ହେଇ ଏବେ ଖୁସିରେ ଖୁସିରେ ଜୀବନ ବିତାଉଛନ୍ତି । ହଁ ନା ?” । ସେ ମୋ କଥା ଶୁଣି ମୁରୁକି ହସ ଦେଇ କହିଲେ , “ମୁଁ ପୋଲିସ୍ ହେଲି ସତ ହେଲେ, ଚିତ୍ରା କୁ ବିବାହ କରିନି । କାରଣ ମୁଁ ପୋଲିସ୍ ଟ୍ରେନିଂ ପାଇଁ ଦିଲ୍ଲୀ ଚାଲିଗଲି ଆଉ ସେ ସମୟରେ ଚିତ୍ରା ର ବାପା ତାକୁ ସେଇ ପୁଅ ସହିତ ବାହା ଦେଲେ ଯାହା ସହିତ ସିଏ ତା ବାହାଘର ଠିକ୍ କରିଥିଲେ” ।
“କଣ ଆପଣ ଏବେ ବି ଚିତ୍ରା କୁ ଭଲ ପାଆନ୍ତି ? ତାକୁ କଣ ଏବେ ବି ମନେ ପକାନ୍ତି ?” । ମୁଁ ଜାଣିବାକୁ ଚାହିଁଲି । ଆଉ ସେ କହିଲେ , “ନାଁ । ମୁଁ ତ ଏବେ ମୋ ସ୍ତ୍ରୀ କୁ ଭଲ ପାଏ । ମୋ ସ୍ତ୍ରୀ ର ନାଁ ହେଲା …. । ହେଇ ପହଞ୍ଚିଗଲେ ଆମେ । ଆସ” । ଏତିକି ବେଳେ ଆମେ ଗୋଟିଏ ପ୍ରାଇଭେଟ୍ ହସ୍ପିଟାଲ୍ ରେ ପହଞ୍ଚି ସାରିଥିଲୁ । ସେଠାରେ ଭେଟିଲି ମୋର ନୂଆଁ ଏକ ସମ୍ଭାବନା ସାଙ୍ଗରେ ଡାକ୍ତର ରୂପରେ । “ଏଥର ମୁଁ ଆସୁଚି । ତୁମ ଦାୟିତ୍ୱ ଏଥର ଡାକ୍ତର ବାବୁ ନେବେ । ଡାକ୍ତର ବାବୁ ଟିକେ ଯତ୍ନ ନିଅନ୍ତୁ” । ଏତିକି କହି ପୋଲିସ୍ ବାବୁ ଚାଲିଗଲେ ସେଠାରୁ । ଡାକ୍ତର ବାବୁ ମୋତେ ଦେଖି କହିଲେ , “ଆରେ ଆରେ । ତୁମ ହାତରୁ ତ ବହୁତ୍ ରକ୍ତ ବୋହି ଯାଇଚି” । ଡାକ୍ତର ବାବୁ ମୋ ପ୍ରାଥମିକ ଉପଚାର କରୁଥାନ୍ତି, ମୋ ଆଖି ଚାରିଆଡ଼େ ବୁଲୁଥାଏ । ଦେଖିଲି ସେଠାରେ ସମସ୍ତେ ମୋର ହିଁ ଜଣେ ଜଣେ ରୂପ । ମୁଁ ଡାକ୍ତର ବାବୁଙ୍କୁ ପଚାରିଲି , ” ଆଛା ଆପଣଙ୍କ କାହାଣୀ କଣ ? ମାନେ ଆପଣଙ୍କ ଡାକ୍ତର ହେବା ପଛରେ କାହାଣୀ କଣ ? ଆପଣ ବି ଚିତ୍ରା କୁ କେନ୍ଦ୍ର କରି ଡାକ୍ତର ହେଇଗଲେ ନା କଣ ?” ସିଏ ମୋ ପ୍ରଶ୍ନ ଶୁଣି କହିଲେ, “ଚିତ୍ରା ? ସିଏ କିଏ ? ମୋର ଡାକ୍ତର ହେବା ପଛରେ ମାମା ଙ୍କ ଇଛା ଥିଲା । ତୁମେ ମାନେ ପକାଅ, ଯେବେ ମାମା ଙ୍କ ଦେହାନ୍ତ ଘଟିଲା ସେତେବେଳେ ସେ କଣ କହିଥିଲେ ?” ।
ଡାକ୍ତର ବାବୁଙ୍କ କଥା ଶୁଣିବା ପରେ ମୋତେ ମାମା ଙ୍କ ଶେଷ ଦିନ ର କଥା ମନେ ପଡିଗଲା । ମାମା ଙ୍କୁ କଥା ଦେଇଥିଲି ଯେ ମୁଁ ଜଣେ ଡାକ୍ତର ହେବି । କିନ୍ତୁ ସାଙ୍ଗ ମାନଙ୍କ କଥାରେ ପଡି ମୁଁ ଡାକ୍ତରୀ ପାଠ ବଦଳରେ ଗ୍ରଜୁଏସନ୍ କରିଦେଲି । ମୁଁ ପୁଣି ତାଙ୍କୁ ପଚାରିଲି, “ତା ମାନେ ଏବେ ବି ମୁଁ ଡାକ୍ତର ହେଇ ପାରିବି ?” । ସେ ମୋ ପ୍ରଶ୍ନ ଶୁଣି ମୋତେ କହିଲେ , “ନାଇଁ । ମୁଁ ତୁମର ସେଇ ସମ୍ଭାବନା ଯିଏ କି ବହୁତ୍ ପୂର୍ବରୁ ମରି ସାରିଛି । ଆଉ ତୁମେ ଯେଉଁ ଚିତ୍ରା କଥା କହୁଚ ତା ସହିତ ତୁମର ଏଇ ସମ୍ଭାବନା ରେ ଦେଖା ହିଁ ହୁଏନି । ତୁମେ ଏ ସ୍ଵପ୍ନ ଦୁନିଆ ରେ ଯେତିକି ବି ସମ୍ଭାବନା ସବୁ କୁ ଦେଖୁଚ ସେ ସବୁ ଦୁଇ ପ୍ରକାରର । ଗୋଟିଏ ଜୀବିତ ସମ୍ଭାବନା ଆଉ ଗୋଟିଏ ମୃତ ସମ୍ଭାବନା । ମୁଁ ହେଉଛି ସେଇ ମୃତ ସମ୍ଭାବନା ମାନଙ୍କ ଭିତରୁ ଜଣେ । ଦେଖ ରବି ! ମୁଁ ତୁମ ଉପରେ ଖୁବ୍ ଅସନ୍ତୁଷ୍ଟ, କାରଣ ମୋତେ ଜୀବିତ କରିବା ପାଇଁ ତୁମେ ଚେଷ୍ଟା ମଧ୍ୟ କରିଲନି କିନ୍ତୁ, ମୁଁ ନାଚାର । ନା ମୁଁ ତୁମର ସାହାଯ୍ୟ କରି ପାରିବି ନା ମୁଁ ତୁମର ଚାହିଁଲେ ବି କୌଣସି ଅନିଷ୍ଟ କରି ପାରିବି । ମୁଁ ବାସ୍ ତୁମ ଏ ସ୍ଵପ୍ନ ଦୁନିଆର ଏକ ଅଚିହ୍ନା ହସ୍ପିଟାଲ୍ ରେ ପଡି ରହିବି ଆଉ ରୋଗୀ ଙ୍କ ଚିକିତ୍ସା କରିବାର ଅଭିନୟ ହିଁ କରି ପାରିବି”।
ଡାକ୍ତର ଙ୍କ କଥା ଶୁଣି ମୁଁ ନିଜକୁ ଖୁବ୍ ନିନ୍ଦା କଲି । ଇଛା ହେଲା ଡାକ୍ତର ଙ୍କୁ କ୍ଷମା ମାଗିବାକୁ, ତେଣୁ ମୁଁ କହିଲି, “ଡାକ୍ତର ବାବୁ । ମୋତେ ଆପଣ କ୍ଷମା କରିଦିଅନ୍ତୁ । ମୋ ଭୁଲ୍ ନିଷ୍ପତ୍ତି ପାଇଁ ଆପଣ … ” । ମୋ କଥା ନ ସରିବା ଆଗରୁ ହିଁ ସେ କହିଲେ, “ଖାଲି ମୁଁ ନୁହେଁ । ଏ ସ୍ଵପ୍ନ ଦୁନିଆ ରେ ଏମିତି ବହୁତ୍ ମୃତ ସମ୍ଭାବନା ଏକ ଅଜଣା ପରିସ୍ଥିତି ସହିତ ଯୁଦ୍ଧ କରୁଛନ୍ତି । ତୁମେ ଏମିତି କେତେଜଣଙ୍କୁ କ୍ଷମା ମାଗିବ ?” ।
“ତାହେଲେ ମୋତେ କଣ କରିବାକୁ ପଡ଼ିବ ଡାକ୍ତର ବାବୁ ? ମୁଁ ସତରେ ଦୁଃଖିତ” । ମୁଁ ବ୍ୟସ୍ତତା ର ସହିତ ପଚାରିଲି । ମୋ କଥା ଶୁଣିଲା ପରେ ଡାକ୍ତର ବାବୁ କହିଲେ, “ମୁଁ ତୁମ ସମସ୍ୟା ବୁଝି ପାରୁଛି । ଆଉ ଏହାର ପ୍ରତିକାର ମଧ୍ୟ ଅଛି । ହେଲେ ମୋ ପାଖରେ ନୁହେଁ” । ଏତିକି କହି ସେ ଝରକା ପାଖକୁ ଗଲେ ଆଉ ନିଜ ଆଙ୍ଗୁଳି ନିର୍ଦ୍ଦେଶ କରି କହିଲେ, “ସେ ଲାଲ୍ ରଙ୍ଗର ପାହାଡ ଦେଖୁଚ ? ସେଇଠି ମାମା ଏବେ ବି ରୁହନ୍ତି । ଯାଅ ସେଠାକୁ । ଆଉ ସେଇଠି ଯାଇ ତାଙ୍କୁ ତୁମ ଏହି ଦୁଃଖ ଜଣାଅ । ମାମା ଙ୍କ ପାଖରେ ତୁମ ଦୁଃଖ ର ପ୍ରତିକାର ନିଶ୍ଚୟ ଥିବ” ।
ମୁଁ ଏ କଥା ଶୁଣି ଖୁବ୍ ଖୁସି ହୋଇଗଲି । ହଠାତ୍ ମୋ ମନରେ ଗୋଟିଏ ପ୍ରଶ୍ନ ଆସିଗଲା ଆଉ ମୋ ଖୁସି କୁ ବିଷାଦ ରେ ପରିଣତ କରିଦେଲା । ମୁଁ ଡାକ୍ତର ବାବୁ ଙ୍କୁ ପଚାରିଲି, “ଯଦି ମୁଁ ଗଲାବେଳେ ମୋ ନିଦ ଭାଙ୍ଗିଯାଏ ଆଉ ମୋ ଆଖି ଖୋଲିଯାଏ ତାହେଲେ ତ ଏ ସ୍ଵପ୍ନ ସରିଯିବ । ପୁଣି ମୁଁ ଏଠାକୁ ଆଉ କେବେ ବି ଫେରି ପାରିବିନି ନା ?” ।
ମୋ ପ୍ରଶ୍ନ ଶୁଣି ଡାକ୍ତର ବାବୁ କହିଲେ, “ଦେଖ, ପ୍ରତ୍ୟେକ ମଣିଷ ଯେତିକି ସ୍ଵପ୍ନ ଦେଖେ ସେତିକି ଜମାରୁ ମନେ ରଖି ପାରେନି । କାହିଁକି ଜାଣିଚ ? କାହିଁକି ନା, ମଣିଷ ସବୁ ରାତିରେ ନିଜ ସ୍ଵପ୍ନ ଦୁନିଆ ରେ ପ୍ରାୟ ୨ ରୁ ୩ ବର୍ଷ ବିତେଇ ଥାଏ । ସେଥିପାଇଁ ତ ସକାଳ ହେଲେ ସ୍ଵପ୍ନ ସବୁ ଖଣ୍ଡ ଖଣ୍ଡ ହେଇ ମନେପଡେ । ତା ଛଡ଼ା ତୁମେ ଯଦି ଚାଲି ଚାଲି ମଧ୍ୟ ସେ ପାହାଡ଼ ପାଖକୁ ଯିବାକୁ ଚାହିଁବ ତେବେ ବି ଅଧିକ ରୁ ଅଧିକ ତୁମକୁ ଲାଗିବ ଗୋଟିଏ ମାସ । ଆଉ ଏତେ କମ୍ ସମୟ ଭିତରେ ତୁମ ସ୍ଵପ୍ନ ଭାଙ୍ଗିବ କେମିତି ?”
ମୋ ଜିଜ୍ଞାସା ଆହୁରି ବଢ଼ିବାରେ ଲାଗିଲା । ଆଉ ମୁଁ ପୁଣି ପଚାରିଲି, “ଏମିତି କାହିଁକି ହୁଏ ଡାକ୍ତର ବାବୁ ? ସମୟ ସ୍ଵପ୍ନ ଦୁନିଆ ରେ ଅଲଗା ଆଉ ବାସ୍ତବ ଦୁନିଆ ରେ ଅଲଗା । ଏମିତି କେମିତି ?”
ମୋ ପ୍ରଶ୍ନ ଶୁଣି ସିଏ କହିଲେ, “ପ୍ରତ୍ୟେକ ମଣିଷ ର ମସ୍ତିଷ୍କ ଦିନକୁ କୁ ୧୬ ୦୦୦ ଥର ରୁ ଅଧିକ କଳ୍ପନା କରିଥାଏ । ଆଉ ଏ କଳ୍ପନା ର ମାତ୍ରା ବଢ଼ିଯାଏ, ଯେବେ ଶରୀର ଗୋଟିଏ ସ୍ଥାନ ରେ ସ୍ଥିର ହୋଇଯାଏ । ଏବେ ପୃଥିବୀ ରେ ବର୍ଷକ ୩୬୫ ଦିନ ୬ ଘଣ୍ଟା ବୋଲି କେମିତି ଗଣନା କରାଯାଏ ? କାରଣ ପୃଥିବୀ ସୂର୍ଯ୍ୟଙ୍କ ଚାରିପଟେ ପରିକ୍ରମା କରିବା ସମୟରେ ସେତିକି ଥର ସିଏ ନିଜ ଚାରିପଟେ ଘୁରୁ ଥାଏ । ଠିକ୍ ସେମିତି ସ୍ଵପ୍ନ ମଧ୍ୟ । ମସ୍ତିଷ୍କ ଯେତେ ଅଧିକ କଳ୍ପନା କରି ଚାଲିବ ତା ପାଇଁ ସ୍ଵପ୍ନ ରେ ସମୟ ର ଅବଧି ମଧ୍ୟ ସେତେ ଅଧିକ ବଢ଼ି ଚାଲିବ” ।

ଯାତ୍ରା ଲାଲ୍ ପାହାଡ଼ ଆଡକୁ

ଡାକ୍ତର ବାବୁଙ୍କ କଥା ଶୁଣି ମୁଁ ବାହାରିଲି ମାମା ଙ୍କୁ ଦେଖା କରିବା ପାଇଁ ସେ ଲାଲ୍ ପାହାଡ଼ ଆଡକୁ । ସେ ହସ୍ପିଟାଲ୍ ରୁ ବାହାରକୁ ଆସି ମୁଁ ବୁଝି ପାରିଲିନି କୁଆଡେ ଯିବି । ତେଣୁ ସେଠାରେ ବସି ଖବର କାଗଜ ପଢୁଥିବା ଜଣେ ବୁଢ଼ା ଲୋକ ଙ୍କୁ ପଚାରିଲି, “ଅଙ୍କଲ ! ସେ ଲାଲ୍ ପାହାଡ଼ ରେ ପହଞ୍ଚିବାକୁ ହେଲେ ରାସ୍ତା କେମିତି କଣ ଟିକେ କହିବେ କି ?”
ସେ ବୃଦ୍ଧ ଜଣକ ନିଜ ମୁହଁ ଆଗରୁ ଖବର କାଗଜ ହଟେଇ ଦେଖିଲେ ମୋ ଆଡେ । ଆଉ କହିବାକୁ ଲାଗିଲେ, “ମୁଁ ମଧ୍ୟ ତୁମର ଜଣେ ସମ୍ଭାବନା ରବି । ମୋତେ ଅଙ୍କଲ କହିବା କିଛି ଦରକାର୍ ନାଇଁ” ।
ମୋତେ ମୋ ବୃଦ୍ଧାବସ୍ଥା ବିଷୟରେ କିଛି ବି ଜାଣିବାକୁ ଇଛା ନଥିଲା, କାରଣ ମୋତେ ମୋର ସେହି ସମ୍ଭାବନା ହିଁ ପସନ୍ଦ ନଥିଲା । ତେଣୁ ତାଙ୍କୁ ବିଶେଷ କିଛି କଥା ପଚାରିଲି ନାହିଁ । ସିଧା ସଳଖ ତାଙ୍କୁ ସେ ଲାଲ୍ ପାହାଡ଼ ଆଡକୁ ଯିବା ପାଇଁ ରାସ୍ତା ପଚାରିଲି । ମୋ ପ୍ରଶ୍ନ ଶୁଣି ସେ ବୃଦ୍ଧ ବ୍ୟକ୍ତି ଜଣଙ୍କ କହିଲେ, “ଆଗରେ ଯେଉଁ ଗଳି ଦେଖା ଯାଉଚି, ସେଇ ଗଳି ରେ ସିଧା ଗଲେ ଗୋଟିଏ ପକ୍କା ପିଚ୍ଚୁ ରାସ୍ତା ଦେଖାଯିବ । ସେଇ ରାସ୍ତା ରେ ରାସ୍ତା ରେ କିଛି ବାଟ ଗଲେ ଗୋଟିଏ ନଦୀ ପଡିବ । ସେ ନଦୀ ପାର ହେଲା ପରେ ପହଞ୍ଚି ଯିବ ତୁମେ ଲାଲ୍ ପାହାଡ଼ ରେ । କିନ୍ତୁ ସେ ଲାଲ୍ ପାହାଡ଼ କୁ କାହିଁକି ଯିବାକୁ ଚାହୁଁଛ ?” ।
ମୁଁ ଉତ୍ତର ରେ କହିଲି, “ଡାକ୍ତର ବାବୁ କହୁଥିଲେ ସେଇଠି ଏବେ ବି ମାମା ରୁହନ୍ତି । ତାଙ୍କୁ ଦେଖା କରିବାକୁ ଯାଉଛି” ।
ମୋ କଥା ଶୁଣି ସିଏ କହିଲେ, “ଶୁଣ, ଏବେ ବି ସମୟ ଅଛି। ଫେରିଯାଅ । ଏବେ ମାମା ଙ୍କ ସହିତ ଦେଖା କରିବା ଠିକ୍ ନୁହଁ” ।
ମୁଁ ଆଶ୍ଚର୍ଯ୍ୟ ହେଇ ତାଙ୍କୁ କିଛି କ୍ଷଣ ଯାଏଁ ଚାହିଁ ରହିଲି, ଆଉ ତା ପରେ ସେ ଗଳି ଆଡକୁ ନଜର ଦେଲି । କିଛି କ୍ଷଣ ପରେ ସେଇ ଆଡକୁ ପଦ ଚାଳନା କରିବାରେ ଲାଗିଲି । ସେ ଗଳି ସାମ୍ନା ରେ ମୋତେ ଦେଖା ହେଲା ମୋ ପ୍ରଥମ ଆଉ ଦ୍ଵିତୀୟ ଶ୍ରେଣୀ ବେଳର ସାଙ୍ଗ ଶୁଭକାନ୍ତ । ମୁଁ ତାକୁ ପଚାରିଲି ଯେ , “ଶୁଭ ତୁ ଏଇଠି କଣ କରୁଚୁ ? ଆଉ ଏ ଗଳି ର ନାଁ କଣ ?”
ତାକୁ ଦେଖିଲେ ଲାଗୁଥିଲା ସିଏ ମଦ ନିଶାରେ ମାତାଲ୍ ଥିଲା । ସିଏ ମୋତେ ଠିକ୍ ସେ ଦେଖି ମଧ୍ୟ ନଥିଲା ଆଉ ନିଜ ମଦୁଆ ଆୱାଜ୍ ରେ କହିଲା, “ଏ ଗଳିର ନାଁ ହେଲା ଇଛା” । ଏତିକି ପରେ ମୁଁ ପ୍ରବେଶ କଲି ସେ ଗଳି ଭିତରେ। ସେଠାରେ ମୁଁ ମୋର ଅନେକ ସମ୍ଭାବନା ମାନଙ୍କୁ ଦେଖିଲି, ଆଉ ମୁଁ ସେମାନଙ୍କୁ ସେ’ସବୁ କରୁଥିବାର ଦେଖିଲି ଯାହା ମୁଁ ଦିନେ ଇଛା କରିଥିଲି କରିବାକୁ କିମ୍ବା ପାଇବାକୁ । କେଉଁଠି ମୁଁ ବାବାଙ୍କୁ ପିଟୁଛି , କେଉଁଠି ମୁଁ କୌଣସି ସୁନ୍ଦରୀ ଝିଅ ସହିତ ରତି କ୍ରୀଡା କରୁଚି, କୋଉଠି ମୁଁ ମଦ ପିଇ ମାତାଲ୍ ହେଇ ବୁଲୁଛି ପୁଣି କୋଉଠି ମୁଁ ରାଜା ହେଇ ବୁଲୁଛି । କୋଉଠି ମୁଁ ସମସ୍ତ କପଡା ଖୋଲି ସମସ୍ତଙ୍କ ସାମ୍ନା ରେ ନୃତ୍ୟ କରୁଚି ତ କେଉଁଠି ନିଜ ସୁଖ ସୁବିଧା ପାଇଁ ଅନ୍ୟ ମାନଙ୍କ ହତ୍ୟା ମଧ୍ୟ କରିଦେଉଛି, ଏମିତି କେତେ କଣ ଯାହା ମୋତେ କହିବାକୁ ମଧ୍ୟ ଲାଜ ଲାଗୁଚି । ମୋତେ ଏମିତି ଲାଗିଲା ସତେ ଯେମିତି ମୁଁ କୌଣସି ନର୍କ ରେ ପାଦ ଦେଇ ଦେଇଚି । ଆଉ ସତକୁ ସତ ସେଇଟା ନର୍କ ହିଁ ଥିଲା, କାରଣ ସେଥିରେ ପୀଡ଼ିତ ବି ମୁଁ ହିଁ ଥିଲି ଆଉ ପୀଡ଼ା ମଧ୍ୟ ମୁଁ ହିଁ ଦେଉଥିଲି । କହିବାକୁ ଗଲେ ମୋ ଇଛା ର ଗଳି ଗୋଟିଏ ସ୍ଵନିର୍ମତ ନର୍କ ହିଁ ଥିଲା । ମୁଁ ଦୌଡିଲି ସେଇ ଗଳିରୁ ଆଉ ପହଞ୍ଚି ଗଲି ସେ ପିଚୁ ରାସ୍ତା ରେ ।
ସେ ରାସ୍ତା ରେ କିଛି ବାଟ ଚାଲି ଚାଲି ଯାଉଥାଏ, ପଛପଟୁ ଗୋଟିଏ ବହୁତ୍ ବଡ଼ ଧଳା କାର ଆସିଲା ଆଉ ମୋ ସାମ୍ନା ରେ ରହିଲା । ସେହି କାର ରୁ ଓହ୍ଲେଇ ଆସିଲା ମୋର ଆଉ ଜଣେ ନୂଆଁ ସମ୍ଭାବନା। ମୋ ପାଖକୁ ଆସି ମୋତେ କହିଲା, “ମୁଁ ହସ୍ପିଟାଲ୍ ଯାଇଥିଲି ମୋ ଦାନ୍ତ ଚିକିତ୍ସା ପାଇଁ । ସେଇଠି ଡାକ୍ତର ବାବୁ ତୁମ ବିଷୟ ରେ କହିଲେ । ସେ କହିଲେ ତୁମେ କାଳେ ସେ ଲାଲ୍ ପାହାଡ଼ ଆଡକୁ ଯାଉଛ ମାମା ଙ୍କ ପାଖକୁ । ଆସ ମୋ ଗାଡ଼ିରେ ବସ ମୁଁ ତୁମକୁ ନେଇଯିବି” । ମୁଁ ମଧ୍ୟ ଗଲି ସେ କାର ରେ ବସିଗଲି ।
ମୁଁ ପଚାରିଲି, “କଣ ଆପଣ ମଧ୍ୟ ଏବେ ମାମା ଙ୍କ ପାଖକୁ ଯାଉଛନ୍ତି ?” । ସେ କହିଲେ ,”ଆରେ ନାଇଁ । ମୁଁ ସେ ନଦୀ କୂଳ ରେ ଥିବା ମୋର ଜଣେ ବନ୍ଧୁ ଙ୍କ ପାଖକୁ ଯାଉଚି, ସିଏ ଜଣେ ବୈଜ୍ଞାନିକ । ମୁଁ ତୁମକୁ ନଦୀ ଯାଏଁ ନେଇଯିବି, ସେଇଠୁ ମୋର ସେଇ ବୈଜ୍ଞାନିକ ସାଙ୍ଗ ତୁମକୁ ଆଗକୁ ଯିବାକୁ ସାହାଯ୍ୟ କରିବେ” ।
ମୁଁ ପଚାରିଲି, “ସିଏ ମୋର ସାହାଯ୍ୟ କରିବେ ବୋଲି ଆପଣ ଏତେ ଦୃଢ଼ ନିଶ୍ଚିତ କିପରି ?”
ସେ କହିଲେ, “କାରଣ ସିଏ ମଧ୍ୟ ତୁମର ଜଣେ ସମ୍ଭାବନା । ତେବେ କରିବେନି ବା କାହିଁକି ? ଆଉ ହଁ, ସିଏ ତୁମର ଜୀବିତ ସମ୍ଭାବନା ମଧ୍ୟରୁ ଜଣେ, ମୃତ ନୁହନ୍ତି” ।
ମୁଁ ଜାଣିବାକୁ ଚାହିଁଲି ଯେ ମୋର ଏହି ସମ୍ଭାବନା ଜଣଙ୍କ କଣ କାମ କରନ୍ତି ଯିଏ ମୋତେ ଏବେ ଗାଡ଼ି ରେ ସେଠାକୁ ନେଇ ଯାଉଛନ୍ତି । ଆଉ ଉତ୍ତର ରେ ସିଏ ମୋତେ କହିଲେ, “ଆରେ ଆରେ ! ମୁଁ ସେତେ ବେଳୁ କଥା ହଉଚେ ହେଲେ ମୁଁ ମୋ ପରିଚୟ ହିଁ ଦେଇନି । ମୁଁ ହଉଚି ଏ ସହର ର ଜଣେ ସବୁଠୁ ବଡ଼ ବ୍ୟବସାୟୀ । ଏବେ ତୁମେ ମୋ କାହାଣୀ ପଚାରିବ, ସେଥିପାଇଁ ମୁଁ ହିଁ ନିଜେ କହି ଦେଉଛି । ଚିତ୍ରା ର ବାହାଘର ଜଣେ ଧନୀ ପୁଅ ସହିତ ଠିକ୍ ହେଇଗଲା । ଚିତ୍ରା ମଧ୍ୟ ଖୁବ୍ ଖୁସି ଥିଲା, ସେଥିପାଇଁ ମୁଁ ସେତେବେଳେ ନିଷ୍ପତ୍ତି ନେଲି ଯେ ମୁଁ ମଧ୍ୟ ଜଣେ ବଡ଼ ଧନୀ ବ୍ୟକ୍ତି ହେବି । ତେଣୁ ବାବାଙ୍କ ଟାଇଲ ବିଜନେସ ରେ ଆଗ୍ରହ ନେବା ଆରମ୍ଭ କାଲି । ଆଉ ଦେଖୁ ଦେଖୁ ସାଜିଗଲି ଜଣେ କୋଟିପତି” ।
କଥା ରେ କଥାରେ ଆମେ ପହଞ୍ଚିଗଲୁ ସେ ନଦୀ କୂଳରେ ଥିବା ତାଙ୍କ ସାଙ୍ଗ ତଥା ମୋର ଅନ୍ୟ ଏକ ସମ୍ଭାବନା ଙ୍କ ଘର ସାମ୍ନାରେ । ମୁଁ ସେଠାରେ ପହଞ୍ଚି ଦେଖିଲି ସେ ନଦୀର ପାଣି ସମ୍ପୂର୍ଣ୍ଣ ସୁନେଲି ରଙ୍ଗ ଦେଖା ଯାଉଚି । ସେହି ନଦୀ ର ପ୍ରାକୃତିକ ସୌନ୍ଦର୍ଯ୍ୟ କୁ ଥରେ ଦେଖିଲେ ବୁଝି ହୁଏନି ସିଏ ଆମକୁ ଖୁସି ପ୍ରଦାନ କରିବାକୁ ଚାହୁଁଚି ନା ବିଷାଦ ଦେବାକୁ ଚାହୁଁଚି । ଖୁବ୍ ବିଚିତ୍ର ଲାଗିଲା ମୋତେ ସେ ନଦୀ । ମୁଁ ସେ ନଦୀ ବିଷୟରେ କିଛି ବିବରଣୀ ଶୁଣିବାକୁ ଚାହିଁଲି ହେଲେ ବ୍ୟବସାୟୀ ବାବୁ କହିଲେ, “ଏଥର ମୋର କାର୍ଯ୍ୟ ସମ୍ପୂର୍ଣ୍ଣ ହେଲା । ବାକି କାମ ଏବେ ମୋ ସାଙ୍ଗ ବୈଜ୍ଞାନିକ ବାବୁ କରିବେ” । ଏତିକି କହି ସେ ସେଠାରୁ ଚାଲିଗଲେ ।
ମୋତେ ବୈଜ୍ଞାନିକ ବାବୁ ଙ୍କୁ ଦେଖି ଖୁବ୍ ଗର୍ବ ଲାଗିଲା, କାରଣ ଏଇଟା ହିଁ ମୋ ଜୀବନ ର ଲକ୍ଷ । ବୈଜ୍ଞାନିକ ବାବୁ ନିଜ ଘର ଆଡ଼କୁ ଚାହିଁଲେ ଆଉ ଜୋର୍ ରେ କହିଲେ, “ଚିତ୍ରା ! ଆମ ଅତିଥି ଙ୍କ ପାଇଁ ଖାଇବା ଲଗାଅ । ଆମେ ମିଶିକି ଖାଇବୁ” । ମୋତେ ଏକ ଅଜଣା ଖୁସି ଛୁଇଁ ଗଲା। ମୁଁ ସାଙ୍ଗେ ସଙ୍ଗେ ଯାଇ ପଚାରିଲି, “ବୈଜ୍ଞାନିକ ବାବୁ ! ଆପଣଙ୍କ ସହିତ ଚିତ୍ରା ରହେ ? ଚିତ୍ରା ଆଉ ଆପଣଙ୍କ ବିବାହ କେମିତି ହେଲା ? ଅର୍ଥାତ୍ ଅନ୍ୟ ସମ୍ଭାବନା ମାନଙ୍କରେ ଚିତ୍ରା ସହିତ ମିଳନ ସମ୍ଭବ ନାହିଁ କିନ୍ତୁ ଆପଣଙ୍କ କାହାଣୀରେ ଏଇଟା କିପରି ସମ୍ଭବ ହେଲା ? ମୁଁ ଜାଣିବାକୁ ଚାହୁଁଚି” ।
ବୈଜ୍ଞାନିକ ବାବୁ କହିଲେ, ‘ ଚିତ୍ରା ର ବାହାଘର ଠିକ୍ ହେଇଗଲା, ଆଉ ମୁଁ ମୋର ସବୁ ମାନ ଅଭିମାନ କୁ ପାଠ ପଢା ରେ ସୁଝେଇବା ଆରମ୍ଭ କଲି । ଦିନ ଆସିଲା ସମୟ ମୋତେ ଜଣେ ବୈଜ୍ଞାନିକ ବନେଇଦେଲା । ସେପଟେ ଚିତ୍ରା ର ସ୍ଵାମୀ ତାକୁ ଖୁବ୍ ନିର୍ଯାତନା ଦେଉଥିଲା । ତେଣୁ ସେ ମୋ କହିବା ଅନୁସାରେ ତା ସ୍ଵାମୀ କୁ ଛାଡପତ୍ର ଦେଇ ପୁଣି ମୋତେ ବିବାହ କଲା” ।
ନିଜ କାହାଣୀ କହୁ କହୁ ବୈଜ୍ଞାନିକ ବାବୁ ସେ ନଦୀ ବିଷୟରେ ମୋତେ ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କଲେ । ସେ ନଦୀର ନାଁ ହେଲା ‘ସ୍ମୃତି’ । ଯିଏ କି ଚେତନ ମନରୁ ଝରି ଆସି ଅବଚେତନ ମନ ରେ ଥିବା ଅଭିଜ୍ଞତା ର ସମୁଦ୍ର ସହିତ ମିଶିଛି । ଏବେ ସେ ଲାଲ୍ ପାହାଡ଼ ଅଛି ସ୍ମୃତି ନଦୀ ର ଆରପାରି ରେ । ସ୍ମୃତି ନଦୀର ଏପଟ ଭାଗ କୁ ଅବଚେତନ ମନ କୁହାଯାଏ ଯେଉଁଠି ସ୍ଵପ୍ନ ଦୁନିଆ ଆରମ୍ଭ ହୁଏ । ତେଣୁ ସ୍ମୃତି ନଦୀର ଆରପାରି କୁ ସ୍ଵପ୍ନ ର ଆରପାରି ମଧ୍ୟ କୁହାଯାଏ । ଏବେ ମୋତେ ଯିବାର ଥିଲା ସ୍ଵପ୍ନ ର ଆରପାରି କୁ । କିନ୍ତୁ ଆରପାରି ରେ ମାମା ଙ୍କ ବ୍ୟତୀତ ଆହୁରି କଣ କଣ ସବୁ ଅଛି ମୋ ପାଇଁ ?

ଲାଲ୍ ପାହାଡ଼ ର ରହସ୍ୟ

ବୈଜ୍ଞାନିକ ବାବୁ ଙ୍କ ପାଖରୁ ସେ ସୁନେଲି ରଙ୍ଗର ନଦୀ ବିଷୟରେ ଆଉ ସେ ନଦୀ ଆରପାରି ବିଷୟରେ ସବୁ ଶୁଣିସାରି ମୁଁ ବାହାରିଲି ଆରପାରି କୁ ଯିବାପାଇଁ । ଆରପାରି କୁ ଯିବାପାଇଁ ବୈଜ୍ଞାନିକ ବାବୁ ମୋତେ ଗୋଟିଏ ସ୍ଵତନ୍ତ୍ର ନୌକା ଦେଲେ, ଯାହା ମୋତେ ସେ ନଦୀ ର ପ୍ରସ୍ଥ କୁ ଶୀଘ୍ର ପାର ହେବାପାଇଁ ସାହାଯ୍ୟ କଲା । ମୁଁ ବୈଜ୍ଞାନିକ ବାବୁଙ୍କୁ ମୋ ସାଙ୍ଗରେ ଆସିବା ପାଇଁ ମଧ୍ୟ ପ୍ରସ୍ତାବ ଦେଲି ହେଲେ ସେ କହିଲେ, “ମାମା ବେଳେ ବେଳେ ଏ ପାରିକୁ ଆସନ୍ତି ଆମ ମାନଙ୍କୁ ଦେଖିବାକୁ । କିନ୍ତୁ ଆମକୁ ସେ ପାରି କୁ ଯିବାପାଇଁ ମନା କରିଛନ୍ତିି । ମୋ ମତରେ ତୁମେ ମଧ୍ୟ ସେଠାକୁ ନ ଯିବା ହିଁ ଠିକ୍ ହେବ” ।
ମୁଁ ବୈଜ୍ଞାନିକ ବାବୁଙ୍କ କଥାକୁ ଭ୍ରୁକ୍ଷେପ ନ କରି ଚାଲିଲି ସେ ନଦୀର ଆର ପାରି କୁ । ସ୍ମୃତି ନଦୀର ସେ ସୁନେଲି ପାଣି ରେ ମୁଁ ମୋ ମୁହଁ ଦେଖିବାକୁ ଚେଷ୍ଟା କରୁଥାଏ ହେଲେ ଦେଖା ଯାଉଥାଏ ମୋ ଅତୀତ ର କିଛି ଅଭୁଲା ମୁହୂର୍ତ୍ତ ସବୁ । ସେ ସବୁ ଦେଖି ମୁଁ କେତେବେଳେ ହସୁଥାଏ ତ ପୁଣି କେବେ ଖୁବ୍ କାନ୍ଦୁ ଥାଏ । ଏମିତି ମୁଁ ମୋ ହସ କାନ୍ଦ ମାନଙ୍କୁ ସହଚର କରି ପାର ହେଲି ସେ ସ୍ମୃତି ନଦୀ ।
ସ୍ମୃତି ନଦୀ ପାର ହୋଇ ଯେବେ ମୁଁ ଆରପାରି ରେ ପାଦ ରଖିଲି, ଦେଖିବାକୁ ପାଇଲି ଯେ ଲାଲ୍ ପାହାଡ଼ କୁ ପଡ଼ିଥିବା ରାସ୍ତା ଟି ଲୁଚି ଯାଇଛି ଏକ ଭିନ୍ନ ପ୍ରଜାତିର ଗଛ ମାନଙ୍କ ଦ୍ଵାରା । ସେ ଗଛ ମନେ ଖୁବ୍ ବିରଳ ଏବଂ ଖୁବ୍ ସୁନ୍ଦର । ହେଲେ ମୋତେ ଏବେ ସେ ରାସ୍ତା କୁ ସଫା କରିବାକୁ ହେବ ତେଣୁ ମୁଁ ସେ ଗଛ ମାନଙ୍କୁ କାଟିବାକୁ ବାଧ୍ୟହେଲି । ମୁଁ ତୁରନ୍ତ ଯାଇ ମୋ ନୌକା ରେ ପଡ଼ିଥିବା ଏକ କାତ୍ତି ସାହାଯ୍ୟ ରେ ସେ ଗଛ ମାନଙ୍କୁ କାଟି ଚାଲିଲି । ସଫା କରିଦେଲି ସେ ରାସ୍ତା କୁ ଆଉ ପହଞ୍ଚି ଗଲି ସେ ପାହାଡ଼ ପାଖକୁ ।
ପାହାଡ଼ ଉପରୁ ଜଣେ ମଧ୍ୟମ ବୟସର ଯୁବକ ଖୁବ୍ ତୀବ୍ର ଗତିରେ ଗାଡି ଚଲେଇ ମୋରି ଆଡକୁ ଆସୁଥିଲେ । ମୁଁ ଭାବିଲି ସେ ମଧ୍ୟ ମୋର ଜଣେ ସମ୍ଭାବନା ହିଁ ହେଇଥିବ । କାରଣ ବାଇକ୍ ରେ ଦୁଃସାହସିକ କାମ ସବୁ କରିବା ଅଭ୍ୟାସ ମଧ୍ୟ ମୋର ବହୁତ୍ ପୁରୁଣା । କିନ୍ତୁ ଯେବେ ସେ ଯୁବକ ଜଣଙ୍କ ମୋ ପାଖକୁ ଆସିଲେ, ତାଙ୍କୁ ଦେଖି ମୁଁ ଆଶ୍ଚର୍ଯ୍ୟ ହେଇଗଲି । ସେ ଥିଲେ ଆମ ଗାଁ ର ପ୍ରତାପ ଭାଇ, ଯାହାଙ୍କ ମୃତ୍ୟୁ ୭ ବର୍ଷ ତଳେ ଗୋଟିଏ ବାଇକ୍ ଦୁର୍ଘଟଣା ରେ ହେଇ ସାରିଛି । ପ୍ରତାପ ଭାଇ ହିଁ ସେଇ ଲୋକ ଯିଏ ମୋତେ ବାଇକ୍ ଚଲେଇବା ଶିଖେଇ ଥିଲେ ।
ସିଏ ମୋ ପାଖକୁ ଆସି ମୋତେ ପଚାରିଲେ, “ରବି ! ତୁ ଏଠାକୁ କାହିଁକି ଆସିଚୁ ?”
ମୁଁ ସାଙ୍ଗେ ସାଙ୍ଗେ ଉତ୍ତର ଦେଲି, “ମୁଁ ମୋ ମାମା ଙ୍କୁ ଦେଖା କରିବାକୁ ଆସିଛି” ।
ତା ପରେ ମୋତେ ପ୍ରତାପ ଭାଇ ବହୁତ୍ ବୁଝେଇଲେ ସେଠାରୁ ଫେରିଯିବାକୁ । କିନ୍ତୁ ମୁଁ ମାନିଲି ନାହିଁ ଆଉ ଜିଦ୍ ଧରି ବସିଲି ମାମା ଙ୍କ ସହିତ ଦେଖା କରିବାକୁ । ଶେଷରେ ପ୍ରତାପ ଭାଇ ମୋତେ ସେ ଲାଲ୍ ପାହାଡ଼ ଉପରକୁ ନେବା ପାଇଁ ରାଜି ହୋଇଗଲେ । ମୋତେ ତାଙ୍କ ବାଇକ୍ ପଛପଟେ ବସେଇଲେ ଆଉ କହିଲେ ତାଙ୍କୁ ଜୋର୍ ରେ ଧରିବା ପାଇଁ । ମୁଁ ସେଇୟା କଲି । ଯେମିତି ସିଏ ଆଗରୁ ଗାଡ଼ି ଚଲାଉ ଥିଲେ ଏବେ ବି ସେମିତି ପବନ ବେଗରେ ବାଇକ୍ ଚଲେଇ ଆଖି ପିଛୁଳାକେ ମୋତେ ନେଇ ଲାଲ୍ ପାହାଡ଼ ର ଶିଖର ରେ ପହଞ୍ଚେଇ ଦେଲେ । ଶିଖର ରେ ପହଞ୍ଚିଲା ପରେ ମୋତେ କହିଲେ, “ତୁ ଜାଣିଚୁ, ଯାହା ସବୁ ତୁ ଗଛ ବୋଲି କାଟି ଦେଲୁ, ସେ ସବୁ ଗଛ ନୁହେଁ ତୋର ଆଶା ସବୁ । ଯାହାକୁ ତୁ ହିଁ ରୋପଣ କରିଥିଲୁ ପିଲାବେଳେ । ଏ କଥା ମୋତେ ତୋ ମାମା କହିଥିଲେ” । ଏତିକି କହି ସିଏ ମୋତେ ସେ ପାହାଡ଼ ତଳେ ଥିବା ଏକୁଟିଆ ଛୋଟିଆ ଘର ଟି ଦେଖେଇଲେ ଆଉ କହିଲେ ସେଇଠି କାଳେ ମୋ ମାମା ରୁହନ୍ତି ଏକା ଏକା ।
ମୁଁ କିଛି ସମୟ ସେ ଘରକୁ ଦେଖିଲି, କାରଣ ପାହାଡ଼ ଉପରୁ ସେ ଘର ଟି ଖୁବ୍ ସୁନ୍ଦର ଦେଖା ଯାଉଥିଲା । ଆଉ ତା ପରେ ପୁଣି ବୁଲି ଚାହିଁଲି ପ୍ରତାପ ଭାଇଙ୍କୁ କିନ୍ତୁ ସେଠାରେ ପ୍ରତାପ ଭାଇ ଙ୍କ ବଦଳରେ ଦୁଇ ବୃଦ୍ଧ ବ୍ୟକ୍ତି ଥିଲେ । ସେମାନେ ମୋତେ ଦେଖି ଖୁବ୍ ବ୍ୟସ୍ତ ଜଣା ପଡୁଥିଲେ । ସେମାନଙ୍କ ଭିତରୁ ଜଣେ ଥିଲେ ମୋ ଅଜା ଆଉ ଜଣେ ଥିଲେ ମୋ ଜେଜେ ବାପା ।
ମୋ ଅଜା ଆଉ ମୋ ଜେଜେ ବାପା ମଧ୍ୟ ବହୁତ୍ ବର୍ଷ ତଳୁ ମରି ଯାଇଛନ୍ତି ନିଜ ବାର୍ଦ୍ଧକ୍ୟ ଯୋଗୁଁ । ସେମାନେ ମଧ୍ୟ ମୋର ସେ ସ୍ମୃତି ନଦୀ ପାର କରି ଏ ଲାଲ୍ ପାହାଡ଼ କୁ ଆସିବାକୁ ନେଇ ଖୁବ୍ ନାରାଜ ଥିଲେ । ମୁଁ ଜାଣିବାକୁ ଚାହିଁଲି ଏ ଲାଲ୍ ପାହାଡ଼ ର ରହସ୍ୟ କଣ ? କାହିଁକି ସମସ୍ତେ ମୋତେ ଏଠାକୁ ଆସିବାକୁ ମନା କରୁଛନ୍ତି ? ଏହାର ଉତ୍ତର ରେ ମୋତେ ମିଳିଲା ଗୋଟିଏ ଅଜଣା ଶବ୍ଦ “ଅଜ୍ଞାତ ମନ” ବା “ଅଚେତ୍ ମନ” । ଏଠାରେ କେବଳ ସେଇମାନେ ବାସ କରନ୍ତି ଯେଉଁମାନଙ୍କ ସ୍ମୃତି ଆମ ପାଖରେ ଅଛି ସତ ହେଲେ ସେମାନଙ୍କ ଅସ୍ତିତ୍ବ ବାସ୍ତବ ଦୁନିଆ ରୁ ଲିଭିଯାଇଛି । ଆମକୁ ମିଳୁଥିବା ସମସ୍ତ ପ୍ରେରଣା, ସମସ୍ତ ଉନ୍ମାଦନା ର ସ୍ରୋତ ଏଇଠୁ ହିଁ ପହଞ୍ଚେ ଆମ ସଚେତନ ମନ କୁ ଆଶୀର୍ବାଦ ରୂପରେ ତଥା ମାର୍ଗଦର୍ଶନ ରୂପେ।
ଏ ସବୁ ଶୁଣିବା ପରେ ମୋ ଉତ୍ସାହ ଆହୁରି ବଢ଼ିଗଲା ସେ ସ୍ଥାନ କୁ ଯିବାକୁ ଯେଉଁଠି ମୋ ମାମା ଅଛନ୍ତି । ହେଲେ ଯିବା ପାଇଁ କୌଣସି ରାସ୍ତା ଦେଖା ଯାଉନଥାଏ । ସେଥିପାଇଁ ମୁଁ ଅଜା ଆଉ ଜେଜେ ବାପା ଙ୍କୁ ପ୍ରଣାମ କଲି । ଆଉ ଜୋର୍ ରେ ଚିତ୍କାର କଲି, “ମାମା …..”
ତା ପରେ ସିଧା ଲମ୍ଫ ପ୍ରଦାନ କଲି ତଳକୁ, ସେ ଲାଲ୍ ପାହାଡ଼ ଉପରୁ । ମୁଁ ତଳେ ପଡ଼ିବାର ଗତି ଯେମିତି ଯେମିତି ବଢ଼ିବାରେ ଲାଗିଲା, ” ଆ………..” କରି ମୋ ଚିତ୍କାର ମଧ୍ୟ ସେତେ ଜୋର୍ ରେ ବଢ଼ିବାରେ ଲାଗିଲା । ଯାହା ଫଳରେ ମୁଁ ଆଖି ବନ୍ଦ କରିଦେଲି ।
ଆଖି ଖୋଲି ଦେଖିଲି ମୁଁ ମୋ ମାମା ଙ୍କ କୋଳ ରେ ଶୋଇଥିଲି । ମାମା ଖୁବ୍ କାନ୍ଦୁଥିଲେ । ମୁଁ କୋଳ ରୁ ଉଠି ମାମାଙ୍କୁ ପ୍ରଣାମ କଲି ତା ପରେ ଚାରିଆଡ଼େ ଦେଖିଲି । ସେଇଟା ଏମିତି ଲାଗିଲା ଯେମିତି ମୁଁ ବାସ୍ତବ ଦୁନିଆ ରେ ଆମ ଘରେ ହିଁ ଅଛି । କାରଣ ସେଇଠି ସବୁ କିଛି ଖୁବ୍ ସ୍ଵାଭାବିକ ରୂପେ ଥିଲା । କିଛି ନୂଆଁ ନଥିଲା ଆଉ କିଛି ବି ବିଚିତ୍ର ଲାଗୁନଥିଲା । ମୁଁ ବଡ଼ ବ୍ୟାକୁଳ ର ସହିତ ମମାଙ୍କୁ ପଚାରିଲି, “ମାମା! ଏଇଟା ସତ ନା ? ତୁମେ ସତରେ ଆସିଛ ନା ? ମୋ ନିଦ ଭାଙ୍ଗି ଗଲା ନା ?” ।
ମାମା ମୋ କଥା ଶୁଣି ଆହୁରି କାନ୍ଦିଲେ, ତାଙ୍କ ମମତା ବୋଳା ହାତରେ ମୋ ମୁହଁ କୁ ତୋଳି ଧରି ମୋ ମଥାରେ ତାଙ୍କ ସ୍ନେହ ମିଶା ଚୁମ୍ବନ ଟିଏ ଦେଲେ ଆଉ କହିଲେ, “ତୁ ଏଠିକି ଆସିବାର ନଥିଲା ରେ । ଏଇଠି ସମୟ ଅଲଗା କାମ କରେ । ଏଇଟା ତୋ’ର କୌଣସି ସ୍ଵପ୍ନ ନୁହେଁ କିନ୍ତୁ ବାସ୍ତବ ଦୁନିଆ ମଧ୍ୟ ନୁହେଁ । ଏଇଟା ହଉଚି ତୋ ଅନ୍ତଃ ମନ ବା ଅଜ୍ଞାତ ମନ ।ଯେବେ କେହି ମଣିଷ ଏଠାକୁ ଆସେ ସିଏ ବାସ୍ତବ ଆଉ ସ୍ଵପ୍ନ ଭିତର ର ପ୍ରଭେଦ କୁ ସହଜରେ ଚିହ୍ନି ପାରେନି । ଏଇଠି ଜନ୍ମ ଆଉ ମୃତ୍ୟୁ ଦୁହେଁ ବିଶ୍ରାମ ନିଅନ୍ତି ଏକ ଅନିର୍ଦ୍ଧିଷ୍ଟ କାଳ ପାଇଁ । ତୁ ଯେତେବେଳେ ସ୍ମୃତି ନଦୀ ର ସେପଟେ ଥିଲୁ ସେତେବେଳେ ତୋ ପାଇଁ ସମୟ ଅଲଗା କାମ କରୁଥିଲା କିନ୍ତୁ ଯେବେଠୁ ତୁ ସ୍ମୃତି ନଦୀ ପାର ହୋଇ ଆସିଚୁ, ସମୟ ସମ୍ପୂର୍ଣ୍ଣ ବିପରୀତ ହେଇଗଲା ତୋ ପାଇଁ । ତେଣୁ ତୁ ଯେତେ ଶୀଘ୍ର ପାରିବୁ ଏଠାରୁ ଚାଲିଯା” ।
ମାମାଙ୍କ କଥା ମୋତେ କିଛି ବୁଝା ପଡୁ ନଥିଲା କିନ୍ତୁ ହଁ, ମାମା ମୋତେ ଏମିତି ଘଉଡାଇବା ଟା ବହୁତ୍ କଷ୍ଟ ଲାଗୁଥିଲା । ମୁଁ ମାମା ଙ୍କୁ ଦେଖା କରିବାକୁ ଏତେ କଷ୍ଟ କରି ଏଠାକୁ ଆସିଥିଲି ହେଲେ ମୋର କିଛି ବି କଥା ମାମା ଶୁଣିବାକୁ ହିଁ ପ୍ରସ୍ତୁତ ନଥିଲେ । ତାଙ୍କୁ କେବଳ ଗୋଟିଏ ଚିନ୍ତା ଥିଲା ମୁଁ ଯେତେ ଶୀଘ୍ର ସମ୍ଭବ ଏଠାରୁ ଯାଏ ।
ମୋ ଆଖିରୁ ଲୁହ ରହୁ ନଥାଏ । ମୁଁ ମୁଣ୍ଡ ତଳକୁ କରି ମୋ ଆଖିରୁ ଲୁହ ପୋଛି ପୋଛି ସେଠାରୁ ବାହାରକୁ ଗଲାବେଳେ, ମାମା ମୋତେ ପଛରୁ ଡାକିଲେ ଆଉ କହିଲେ, ” ରହ ତୁ ରାସ୍ତା ଜାଣି ପାରିବୁନି । ତୋତେ ମୁଁ ହିଁ ନେଇ ସେ ସ୍ମୃତି ନଦୀ କୂଳରେ ଛାଡ଼ି ଦେଇ ଆସିବି ” ।
ଏତିକି କହି ସିଏ ମୋତେ ନେଇଗଲେ ଘର ର ପଛ ପଟକୁ । ଆଉ ପଛପଟ ଗେଟ୍ ଖୋଲିଦେଇ କହିଲେ, “ଏଇ ଦେଖ୍, ସ୍ମୃତି ନଦୀ । ଏବେ ନଦୀ ପାଣିରେ ତୁ ବାସ୍ ୫ ମିନିଟ୍ ବୁଡି ରହିବୁ, ତୋ ନିଦ ଭାଙ୍ଗି ଯିବ । ଆଉ ହଁ । ବାବା ଙ୍କ ଯତ୍ନ ନେବୁ, ସନୁ ପ୍ରଜ୍ଞା ସମସ୍ତଙ୍କୁ ଠିକ୍ ସେ ସମ୍ଭଳିବୁ । କେବେ ବି କିଛି ବି ସମସ୍ୟା ଆସିଲେ, ସମସ୍ତଙ୍କ ସହିତ ବାଣ୍ଟିବୁ । ଗୋଟିଏ କଥା ମନେ ରଖ – କାହାକୁ ଦେଇଥିବା ପ୍ରତିଶ୍ରୁତି କିମ୍ବା ନିଜେ ତିଆରି କରିଥିବା ଯୋଜନା ଦ୍ଵାରା ତୋ’ର ଜୀବନ ନିର୍ଦ୍ଧାରିତ ହୁଏନି । କାରଣ ଜୀବନ ତ ପ୍ରତିଶ୍ରୁତି ଦେବା ସମୟରେ ବି ଚାଲିଥାଏ ଆଉ ଯୋଜନା କରିବା ସମୟରେ ବି ଚାଲିଥାଏ” ।
ଆମ ଦୁହିଁଙ୍କ ଆଖିରେ ଲୁହ ର ସୁଅ ଛୁଟି ଆସିଲା । ତା’ପରେ ମାମା କହିଲା ଭଳି ମୁଁ ଗଲି ସେ ନଦୀରେ ଅନେକ ସମୟ ଯାଏଁ ବୁଡି ରହିଲି । କିନ୍ତୁ ହଠାତ୍ ଲାଗିଲା ମୁଁ ମରିଯିବି, ଶ୍ବାସକ୍ରିୟା ରେ ଖୁବ୍ କଷ୍ଟ ହେଲା ତେଣୁ ସେ ଗଭୀର ନଦୀର ସୁନେଲି ଜଳ ରାଶି ରୁ ଉପରକୁ ଉଠିବାକୁ ଚେଷ୍ଟା କଲି ଆଉ ଦେଖିଲି, ପରିସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ । ମୁଁ ଗୋଟିଏ ହସ୍ପିଟାଲ୍ ର ଆଇ ସି ୟୁ ଚ୍ୟାମ୍ବର୍ ର ବେଡ୍ ରେ ପଡ଼ିଛି । ମୋତେ ଦେଖି ବାବା, ସାନୁ, ପ୍ରଜ୍ଞା ସମସ୍ତେ ଖୁସି ଥିଲେ । ମୁଁ ଜାଣି ପାରିଲିନି ହେଇଚି କଣ ।
ଏମିତି କିଛି ଦିନ ଗଲାପରେ ମୋ ସାଙ୍ଗ ତପନ ମୋତେ ସବୁ କଥା କହିଲା। ତା କଥା ଅନୁସାରେ,
ମୁଁ କାଳେ ଦୀର୍ଘ ୪ ବର୍ଷ ହେଲା କୋମା ରେ ଥିଲି । ସେ ଦିନ ଚିତ୍ରା ଆଉ ମୁଁ ସିନେମା ଦେଖି ଘରକୁ ଫେରୁଥିବା ବେଳେ ଆମର ଗୋଟିଏ ଧଳା ବୋଲେରୋ ସହିତ ଧକ୍କା ହେଇଥିଲା । ସେ ଦୁର୍ଘଟଣା ରେ ଚିତ୍ରା ର ହାତ ଭାଙ୍ଗି ଯାଇଥିଲା ଆଉ ମୋ ମୁଣ୍ଡରୁ ଖୁବ୍ ଜୋର୍ ରକ୍ତ ବୋହି ଚାଲିଥିଲା । ସଙ୍ଗେ ସଙ୍ଗେ ସେ ଗାଡ଼ି ରୁ କିଛି ଲୋକ ଆସି ଆମ ଦୁହିଁଙ୍କୁ ନିକଟସ୍ଥ ହସ୍ପିଟାଲ୍ କୁ ନେଇଗଲେ ଆଉ ମୋ ମୋବାଇଲ୍ ରୁ ନମ୍ୱର୍ ବାହାର କରି ବାବାଙ୍କୁ କଲ କଲେ । କିଛି ଘଣ୍ଟା ଯାଏଁ ଡାକ୍ତର କହୁଥିଲେ ମୁଁ କାଳେ ଭଲ ଥିଲି, ଆଉ ଶୋଇଥିଲି ମଧ୍ୟ । କିନ୍ତୁ ହଠାତ୍ କିଛି ଅଘଟଣ ଯୋଗୁଁ ମୁଁ କୋମା କୁ ଚାଲି ଯାଇଥିଲି । ଡାକ୍ତର ମୋର ପୂର୍ବ ସ୍ଥିତି କୁ ଫେରିବାକୁ ନେଇ, ଖୁବ୍ ଚିନ୍ତିତ ଥିଲେ । ହେଲେ ମୁଁ କେମିତି କେଜାଣି ୪ ବର୍ଷ ପରେ କୋମା ରୁ ଫେରି ଆସିଲି ।
ଏହି ଚାରି ବର୍ଷ ଭିତରେ ଚିତ୍ରା ର ବାହାଘର ସରି ଯାଇଥିଲା, ଏ କଥା ତପନ ଠାରୁ ଶୁଣିବା ପରେ ମୋ ମନ ବିଷାଦ ରେ ପୁରିଯିବା କଥା କିନ୍ତୁ ସେମିତି କିଛି ହେଲା ନାହିଁ । ବାସ୍ ଗୋଟିଏ କଥା ମନେ ପଡ଼ିଲା , ” କାହାକୁ ଦେଇଥିବା ପ୍ରତିଶ୍ରୁତି କିମ୍ବା ନିଜେ ତିଆରି କରିଥିବା ଯୋଜନା ଦ୍ଵାରା ତୋ’ର ଜୀବନ ନିର୍ଦ୍ଧାରିତ ହୁଏନି । କାରଣ ଜୀବନ ତ ପ୍ରତିଶ୍ରୁତି ଦେବା ସମୟରେ ବି ଚାଲିଥାଏ ଆଉ ଯୋଜନା କରିବା ସମୟରେ ବି ଚାଲିଥାଏ । ”
ତା ଛଡା ଆମ ଉତ୍ତମ ଭବିଷ୍ୟତ ଆମ ବର୍ତ୍ତମାନ ର ପ୍ରାପ୍ତି କିମ୍ବା ସନ୍ତୁଷ୍ଟି ରୁ ତିଆରି ହୁଏ ନାହିଁ । ଉତ୍ତମ ଭବିଷ୍ୟତ ତିଆରି ହୁଏ ଆମ ବର୍ତ୍ତମାନ ର ନିଷ୍ପତ୍ତି ରୁ । ସେଥିପାଇଁ କାହାର ରହିବା କିମ୍ବା ନ ରହିବା ମୋତେ ଏବେ ସେତେ କିଛି ଫରକ୍ ପକାଏନି ।

(ସମାପ୍ତି )

3 thoughts on “ସପନର ଆର ପାରି”

  1. ଆପଣ ଏ ଗପ ଟିକୁ ପଢ଼ି ଏହାକୁ ପସନ୍ଦ କଲେ, ଏଥିପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ୍ ଆଜ୍ଞା ।

Leave a Comment

Your email address will not be published. Required fields are marked *