•°ସାରଭୂତା ଉତ୍କଳ°•
ତଟିନୀର କଳକଳ ନାଦେ ପ୍ରକମ୍ପିତ
ଉଚ୍ଚ ଶୃଙ୍ଗ ଅରଣ୍ୟରାଜିରେ ବିମଣ୍ଡିତ
ଶ୍ରେଷ୍ଠ ଐତିହ୍ୟ ପରମ୍ପରା ପର୍ଯ୍ୟବେଷ୍ଟିତ
ଚନ୍ଦ୍ରଭାଗାରେ ପହିଲି ମିହିର ଉଦିତ।।
ସାଗର ପାଦସ୍ପର୍ଶରୁ ଶୁଭେ ପ୍ରତିଧ୍ୱନି
ପ୍ରକୃତିଭରଣୀ ଚାରୁକଳା ଯଶସ୍ବିନୀ
ସୁଜଳା ସୁଫଳା ଶ୍ୟାମା ସବୁଜ ବନାନୀ
ପୁଣ୍ୟମୟୀ ସ୍ଵର୍ଣ୍ଣମୟୀ ଶାନ୍ତି ପ୍ରଦାୟିନୀ।।
ଧଉଳି ରତନଗିରି ପ୍ରସ୍ତରେ ନିର୍ମିତ
ତହିଁ ଜାତିର ଉତ୍ଥାନ ପତନ ଖୋଦିତ
ଭଗ୍ନକୋଣାର୍କ ଭାସ୍କର୍ଯ୍ୟ ହୃଦୟ ମୋହିତ
ବିଶ୍ୱାସର ମୂକସାକ୍ଷୀ ଶ୍ରୀମନ୍ଦିର ନେତ।।
ବସନ୍ତେ କୋକିଳର ମଧୁମୟ ରାଗିଣୀ
ସ୍ୱପ୍ନିଳ ମଧୁକାଳରେ ଆଶା ତରଙ୍ଗିଣୀ
ରତ୍ନଗର୍ଭା ବକ୍ଷ ଖଣିଖାଦାନେ ଭରଣୀ
ଅବର୍ଣ୍ଣନୀୟା ପ୍ରତିମା କଲ୍ୟାଣ କାରିଣୀ।।
ଓଡ଼ିଆ ଭାଷାର ମାଧୁର୍ଯ୍ୟ ସର୍ବ ପ୍ରଖ୍ୟାତ
ପର୍ବପର୍ବାଣୀରେ ଧରଣୀ ଉତଫୁଲ୍ଲିତ
ଓଡ଼ିଆ ପଖାଳ କଂସା ସର୍ବତ୍ର ଆଦୃତ
ସଫଳ କୃଷିକାର୍ଯ୍ୟରେ ଆମ୍ଭେ ପୁରସ୍କୃତ।।
କଳା ସ୍ଥାପତ୍ୟର ଭୂଇଁ ମନ୍ଦିର ମାଳିନୀ
ଶାରଳା ବିରଜା ଲିଙ୍ଗରାଜ ସୁଶୋଭିନୀ
ବୀରପ୍ରସବିନୀ ସେହି କୀର୍ତ୍ତି କିରୀଟିନୀ
କବି ଗଙ୍ଗାଧର ରାଧାନାଥଙ୍କ ଜନନୀ।।
ଅତୁଳନୀୟା ଅପୂର୍ବ ଜଗତେ ବନ୍ଦିତ
ଚୋଡ଼ଗଙ୍ଗ ଲଙ୍ଗୁଳାଙ୍କ ଯଶରେ ରଞ୍ଜିତ
ଜ୍ଞାନ ବିଜ୍ଞାନରେ ସ୍ଥାନ ଉଚ୍ଚରେ ଲିଖିତ
ରାଜ୍ୟ ନୁହଁ ମାତା ଆମ “ଉତ୍କଳ” ନାମିତ।।
ବୁକୁରେ ଲକ୍ଷ୍ମଣ ରାଜଗୁରୁଙ୍କ କାହାଣୀ
ଗୌରବ ସଙ୍ଗୀତ ଗାଇ ଝରେ ନିର୍ଝରିଣୀ
ପୂର୍ବେ ବିରାଜିତ ଉତ୍କଳ ମଉଡମଣୀ
କାଳିଆ ସାଆନ୍ତ ଇତିହାସର ବିନ୍ଧାଣୀ।।
ଅନ୍ୟାୟ ଅତ୍ୟାଚାରରେ ଦଳିତ ଶାଣିତ
କେତେ କାଳରୁ ଥିଲା ନିହତ ନିଷ୍ପେସିତ
ଚିରହାସିନୀ ଉତ୍କଳ ହୋଇଛି ଆହତ
ପ୍ରତିଘାତକୁ ଲଙ୍ଘି ଶ୍ରେଷ୍ଠ ଉତ୍କଳ ମାତ।।
ବାଳକ ବାଜିରାଉତ ଜାଳିଛି ପ୍ରାଣାଗ୍ନୀ
ପାଇକ ବିଦ୍ରୋହେ ଦଣ୍ଡାୟ କୀର୍ତ୍ତିଶାଳିନୀ
ଉତ୍କଳ ସନ୍ତାନଗଣ ସଦା ବଳିଦାନୀ
ମିଳିତ କଣ୍ଠରେ “ବନ୍ଦେ ଉତ୍କଳ ଜନନୀ”।।
°°°°°°°° °°°°°°°°° °°°°°°°°°
ପୂଜାରଣୀ ନାୟକ,
ବଖାଣପୁର, ଜାହାନପୁର,
ଯାଜପୁର