ସେ ଖାଲି ରଜ ନୁହେଁ
କୁଆଁରୀ ଆଖିର ଖୁସିଟିଏ,
ସେ ଖାଲି ରଜ ନୁହେଁ
ପଶାପାଲିର ଆସରଟିଏ।
ଜ୍ୟେଷ୍ଠ ଶେଷେ ଆଦ୍ୟ ଆଷାଢେ
ପହିଲି ବର୍ଷାରେ ସଭିଙ୍କୁ ଭିଜାଏ,
ସେ ଖାଲି ରଜ ନୁହେଁ
କଦଳୀ ପଟୁଆର କଥାଟିଏ।
ରଜସ୍ୱଳା ହୋଇ ଧରଣୀ ମା
ତିନି ଦିନ ଆରାମ ପାଏ,
ସେ ଖାଲି ରଜ ନୁହେଁ
ଚାଷୀଭାଇର ବିରତିର ଦିନଟିଏ।
ପିଠା, ମିଠା ଆଉ ଖିଲିପାନ ସାଙ୍ଗେ
କୁଣିଆରେ ଘର ପୁରିଯାଏ,
ସେ ଖାଲି ରଜ ନୁହେଁ
ରଜ ଦୋଳିର କଟମଟ ଶବ୍ଦଟିଏ।
ଅଳତା,କୁକୁମ ନାଇ
ତରୁଣୀ ନିଜକୁ ସଜାଏ,
ସେ ଖାଲି ରଜ ନୁହେଁ
କୁଆଁରୀ ମାନଙ୍କ ଖୁସିର ଫୁଆରାଟିଏ।
କବାଡି , ବାଗୁଡ଼ି ପୁଣି ତାସ ପାଲିରେ
ଗାଁ ମୁଣ୍ଡ ହସୁଥାଏ,
ସେ ଖାଲି ରଜ ନୁହେଁ
ଗାଁ କୁ ଫେରିବାର ଦିନଟିଏ।
ପିଠା ତ ପିଠା ପୁଣି ପୋଡପିଠା
ଶରଧାରେ ସବୁ ମା କରୁଥାଏ,
ସେ ଖାଲି ରଜ ନୁହେଁ
ତା ହାତର ବାସ୍ନା ଟିଏ।
ଓଡ଼ିଆ ସଂସ୍କୃତି, ଓଡ଼ିଆ ପରମ୍ପରା
ଓଡିଆର ଭାଷା ବୋଲାଏ ,
ସେ ଖାଲି ରଜ ନୁହେଁ
ଓଡ଼ିଆମାନଙ୍କ ଗଣ ପର୍ବଟିଏ।