ସ୍ଵରାଜ୍ୟ କି ମିଳିଛି ସତେ ?

ସ୍ୱରାଜ୍ୟ କି ମିଳିଛି ସତେ ?

କାହିଁ ସ୍ୱରାଜ୍ୟ କାହିଁ ରାମରାଜ୍ୟ?
କେବଳ ଉଡ଼ୁଛି ଧ୍ଵଜା
ଉନ୍ମକ୍ତ ଆକାଶ ବକ୍ଷେ
ଲକ୍ଷେ ସ୍ୱପ୍ନ ସାଥେ
ଏବେ ବି ସଜଳ ନୟନେ
ସମୟ ଆଉ ନାୟକକୁ ପ୍ରତୀକ୍ଷା !

ଯିଏ ଗଲା ପିଟି ପିଟି ପିଠିରେ
ଲୌହ ହଣ୍ଟର
ଆଉ କାହା ହାତେ ଧରେଇ ଦେଲା
ପିଟିବାକୁ ନାଲି ହଣ୍ଟର !
ଆମେ ତ ସେବେ ବି ପାତି ଥିଲୁ ପିଠି
ଆଉ ଆଜି ବି —
ସେବେବି ଝରୁଥିଲା ଲହୁ
ଆଜି ବି —-
ସେବେବି ମୁଠାଏ ଅନ୍ନ ପାଇଁ ବିକଳ
ଆଜି ବି —-
ସେବେବି ଲଜ୍ୟା ଢାଙ୍କିବାକୁ କାକୁତି
ଆଜି ବି —-
ତେବେ ସ୍ୱରାଜ୍ୟ ରାମରାଜ୍ୟ କାହିଁ ??
କେବଳ ଶବ୍ଦରେ
କି ଅଭିଧାନରେ ??

ମୁଁ ଖୋଜେ —
ନଦୀ ପଠା
ଗାଁ ବିଲ
ତାଳ ବନ
ଶୋରିଷ କ୍ଷେତ
କୁରୁକ୍ଷେତ୍ର ରଣାଙ୍ଗନ
କାହିଁ —
ମଲା ଦୁବ ଏଯାଏ ତ କଅଁଳିନି ସେଠି ??
ରାବଣ କଂସ ଦୁଃଶାସନ ଶାସନ
ଆଜିବି ସାଜସଜ୍ୟା ଆସନ
ବ୍ୟସନେ ପତିତ ଦୈତ୍ୟ
ପୂରଣ କରିବ କି
ସ୍ବରାଜ୍ୟ’ର ସପନ ??

ମୁଁ,ମାଟି ତାଡ଼ି କବର ତଳୁ
ସହୀଦ୍‌ କଙ୍କାଳ ଛାତିରେ
କାନ ପାତି ଶୁଣେ
ସ୍ଵରାଜ୍ୟର ଡାକରା
ଶୁଭେ ରଣହୁଙ୍କାର ମାଟି ହଲେଇ
ଗମ୍ଭୀର ରକ୍ତମୁଖା ଆଖିରୁ
ନିର୍ଗତ ଅଗ୍ନି ପିଣ୍ଡୁଳା ପୂର୍ଣ୍ଣ ସ୍ୱରାଜ୍ୟର
ଉତ୍ତର ଦାୟାଦ କାନ୍ଧେ ଦେଇ ଭାରା
ଜାଗି ଅଛି ନିଶ୍ଚଳ ନୟନ
ଆଶା କୁସୁମ ଫୁଟି
ହସିବ କି ଧରା ??

ଦିନ ଯାଇ ଫେରିଛି ରାତି
ବର୍ଷା ଯାଇ ଫେରିଛି ତାତି
ଏବେବି ସ୍ୱରାଜ୍ୟର ବୁଢ଼ା ବରଗଛ
ଗଜରୁନି କି ହସୁନି
ଯେଉଁ ଥୁଣ୍ଟା କୁ ଥୁଣ୍ଟା ଆୟୁଷ ଗଣୁଛି
ସ୍ୱରାଜ୍ୟର ମଲା ପିଣ୍ଡଟା
ଦୁମ୍ କରି କଚାଡ଼ ଖାଇବାକୁ
କମର କସିଛି
ହଁ ହଁ କେବଳ କମର କସିଛି !

Leave a Comment

Your email address will not be published. Required fields are marked *