ରାତି ୧୨ଟା ପରେ ପତ୍ନୀ ମତେ ନିଦରୁ ଉଠାଇ
କହିଲେ, “WhatsApp ଟିକେ ଚେକ୍ କର,
ମେସେଜ୍ ଗୋଟେ ପଠାଇଛି ମୁହିଁ ”
କହିଲି,
କାହିଁ ଏତେ ରଙ୍ଗ ହେଉଛ
ଯାହା କହିବାର ଅଛି, ଡ଼ାଇରେକ୍ଟ ନ କହି,
କିଆଁ WhatsAppରେ ମେସେଜ କରୁଛ ।।
ଏତେବି ଆଉ ମଡନ୍ ହୁଅ ନାହିଁ
ଆରେ, ସିଧାସଳଖ କଥା ହେଇ ପାରୁନ, ପାଖରେ ବି ଥାଇ
ହଉ , ଠିକ୍ ଅଛି, ଏବେ ନାହିଁ
କାଲି ସକାଳେ ମେସେଜଟିକୁ ପଢ଼ିବି ମୁହିଁ ।।
ମୁହଁକୁ ବୁଲେଇ, ନାକକୁ ଫୁଲେଇ
ସରାଗେ ପତ୍ନୀ ମୋ କହିଲେ, ” ନାଇଁ !”
ଏବେ ତୁମେ ମେସେଜ୍ ଟିକୁ ପଢ଼,
ନହେଲେ, ଦିନ ସାରା କାମ କରି ଥକି ଯାଇଛି,
ମୋ ହାତ – ଗୋଡ଼ ମୋଡ଼ ।।
ରାସ ପୂର୍ଣ୍ଣିମାର ପୁନେଇ ଜହ୍ନ
ମରୁସମ ଜୀବନେ ମୋ ଜୀବନ୍ତ ସ୍ବପ୍ନ
ଏବେ ପଢ଼ୁଛି,
ଇଚ୍ଛା ନାହିଁ ଭାଙ୍ଗିବାକୁ ତୁମ କୋମଳ ମନ
ଏତେ ବର୍ଷ ପରେ ବି, ତୁମେ ବୁଝିଲଣି, ମୋ ବଗୁଲିଆମି ଗୁଣ ।
(ମେସେଜଟି ଏମିତି ପ୍ରକାର)
ଦେଶୀ ସାଥେ ଖାସି
ନ ହେଉ ପଛକେ ବେଶୀ,ସବୁଥିରୁ ଆଣିବ କରି ମିଶାମିଶି;
ପୁଣି,
ଅଧା କିଲୋ ଚିଙ୍ଗୁଡ଼ି, ଅଧା କିଲୋ ତୁଡ଼ି
ଗୋଟେ କିଲୋ ଭାକୁରକୁ, ଗୋଟେ କିଲୋ ରୋହି
ପ୍ରାଣ ପ୍ରିୟ, ପ୍ରିୟତମ, ମୋ ଦେହର ଛାଇ,
ଏଇ !
ଶୁଭେଚ୍ଛା ସହିତ ତୁମକୁ ହାପି ଛାଡ଼ଖାଇ ।।
ବାଃ ! ବାଃ ! ବାଃ !
କବି ପତ୍ନୀ ବୋଲି କଣ ତୁମକୁ ବି କବିତା ପ୍ରେମ ଘାରିଛି,
ରାତି ଅଧରେ ବି ଶୁଭେଚ୍ଛା ମେସେଜଟି, କବିତାରେ ଆସିଛି ।।
ପତ୍ନୀ କହିଲେ,
” କବିତା – ଫବିତା ନୁହଁ,
କାଲି ଆମିଷ ଭୋଜି ପାଇଁ ମୁଁ ଚିଠାଟେ ପ୍ରସ୍ତୁତ କରିଛି ” ।
ମାସଟା ସାରା ଅରୁଆ ଅନ୍ନ ଖାଇ
ଆମିଷର ସ୍ୱାଦ କାଳେ ଭୁଲି ଥିବି ମୁହିଁ
ସବୁର ସ୍ୱାଦକୁ ପୁନଃ ସ୍ମରିବା ପାଇଁ
ମାସ ଶେଷେ ଆସିଛି ବୋଧେ, ଖାସ୍ ଆମ ପାଇଁ ଛାଡ଼ ଖାଇ ।।
ତାଙ୍କ କଥା ଶୁଣି ମୁଣ୍ଡ ମୋର ହେଲା ଝାଇଁ ଝାଇଁ
ଭାବିଲି,
କେଉଁ ଶଳାଟି ପ୍ରଥମେ ଆରମ୍ଭ କରିଥିଲା, ଏଇ ଛାଡ଼ଖାଇ
ନିଶ୍ଚିତେ, ପତ୍ନୀ ତାଙ୍କ ହୋଇଥିବେ ଶକାହାରୀ
ନହେଲେ,
କାହିଁକି କ୍ଷତାକ୍ତ ହୁଅନ୍ତେ, କୁରାଢ଼ୀ ନିଜ ଗୋଡେ ମାରି ।
ହଉ ! ପତ୍ନୀଙ୍କ ଆଜ୍ଞା ମାନେ, ନିଶ୍ଚେ ମାନିବାକୁ ହେବ
ଯାହା ହେଲା ବି ତ, ସବୁଥିରୁ କିଛି କିଛି କିଣିବାକୁ ପଡ଼ିବ
ତେଣୁ ଅଯଥା ତର୍କ ଆଉ ଯୁକ୍ତିରେ
ମହାଭାରତ ସୃଷ୍ଟି କରି କଅଣ ବା ଲାଭ;
କହିଲି, ” ହେ ଦେବୀ !”
ଆଉ ଦି’ ତିନି ଘଡ଼ି ପରେ ରାତି ସରିଯିବ,
ଏବେ ମତେ ଶୋଇବାକୁ ଆଜ୍ଞା କି, ମିଳି ପାରିବ !
ଯାହା ହେବ ସକାଳକୁ ହେବ ।।
ତହିଁ ସକାଳୁ ସକାଳୁ ଚା’ କପେ ପିଇ
ଆମିଷ ସଂଧାନେ ବଜାରକୁ ବାହାରିଲି ମୁହିଁ
ବାଟରେ ଘାଟରେ ଯିଏ ଦେଖା ହେଲା,
ଆନ୍ ହାପି ଫେସରେ, ହାପି ଉଇସ୍ କଲା,
ମୁଁ ବୁଝିଗଲି, ମୋ ପରି ଏମାନଙ୍କ ଅବସ୍ଥା ବି ଢ଼ିଲା ।।
କିଣାକିଣି ସାରି ଫେରୁ ଫେରୁ ଦେଖିଲି,
ଆମ ପଡ଼ିଶା ଭାଇ,
ବଜାରରୁ ଫେରୁଛନ୍ତି, ହସ ହସ ହୋଇ,
ପଛରୁ ଡାକିଲି, ” ହୋଇ ହୋ ଭାଇ, ”
କଥା କଣ,
ଆଜି ଭଳି ଦିନରେ ତୁମ ମୁହଁରେ ଟିକେବି ଷ୍ଟ୍ରେସ୍ ନାହିଁ !
ସମସ୍ତେ ଦୁଃଖୀ ବେଳେ, ଜଣେ ଖୁସି ହୋଇ ପାରିବ କେମିତି?
ଅନ୍ୟର ଖୁସିରେ ଦୁଃଖୀ ହେବା ମଣିଷର ଜନ୍ମଗତ ପ୍ରକୃତି,
ତେଣୁ , ଏମନ୍ତ ହୋଇଲା କେମନ୍ତ,
ପ୍ରସଙ୍ଗକୁ ପ୍ରକଟ କର, ନ ରଖି ଗୁପତ ।।
ହଁ ! ତୁମ ଭାଉଜଙ୍କ ଗ୍ରହ ନକ୍ଷତ୍ରରେ ରାହୁ, କେତୁ, ଶନି ତିନିହେଁ କରିଛନ୍ତି ସମ୍ମିଳିତେ ପ୍ରବେଶ,
ତେଣୁ ନ ଖାଇବାକୁ ଆମିଷ, ଆଉ ଦି’ ଚାରି ମାସ,
ଆଜ୍ଞାବାଣୀ କରିଛନ୍ତି , ତାଙ୍କ ବାପ ଗାଁ ଜ୍ୟୋତିଷ
ସେଥିପାଇଁ ହିଁ ମୋ ବଦନରେ ହସ,
ଏତେ ବଡ଼ ଛାଡ଼ ଖାଇରେ ବି ଆମ ଘରେ ନିରାମିଷ
ଭାଗ୍ୟ ଦୁର୍ଭାଗ୍ୟ ଗ୍ରହ ନକ୍ଷତ୍ର କଥା, ତେଣୁ ଆଉ କରିବା କିସ
ଆଜ୍ଞାବାଣୀ କରିଛନ୍ତି ,
ତାଙ୍କ ବାପ ଗାଁ ଜ୍ୟୋତିଷ (ବହୁତ ମନ ଦୁଃଖରେ) ।।
ଭଲ ହେଲା, ତାଙ୍କ ଗ୍ରହ ନକ୍ଷତ୍ରରେ ରାହୁ, କେତୁ, ଶନି ବୋଲି
ତୁମ ଗ୍ରହ ନକ୍ଷତ୍ରରେ ବୃହସ୍ପତି କରିଛନ୍ତି ବିଜେ,
ନ ହେଲେ, ସକାଳୁ ସକାଳୁ ଭାଉଜଙ୍କଠୁ ଶୁଣିଥାନ୍ତ, ମେଞ୍ଚାଏ ଗେଜେ ଗେଜେ,
ତା’ ର ଜ୍ୱଳନ୍ତ ଉଦାହରଣ ମୁଁ ହିଁ ନିଜେ
ଭଲ ହେଲା, ତାଙ୍କ ଗ୍ରହ ନକ୍ଷତ୍ରରେ ରାହୁ,କେତୁ, ଶନି କରିଛନ୍ତି ବିଜେ ।।
ଏଣେ ମୋ ପତ୍ନୀଙ୍କର କିନ୍ତୁ ଫର୍ମାଇସ ଉପରେ ଫର୍ମାଇସ
ଭେରାଇଟିରେ ଖାଇବାକୁ ଛାଡ଼ ଖାଇରେ ଆମିଷ
କହୁଛନ୍ତି, ଏ ଛାଡ଼ ଖାଇଟା ନ ଥିଲେ,
କିଏ ବା କାହିଁକି କରନ୍ତା ସକାଳୁ ସନ୍ଧ୍ୟା ଯାଏଁ ଉପବାସ
ସାଙ୍ଗକୁ ପୁଣି ଅରୁଆ ଅନ୍ନ ଆଉ ହବିଷ ।
ଆହେ ! ଅନୁଜ, କଥାଟିକୁ ମନ ଧ୍ୟାନ ଦେଇ ଶୁଣ
ଅଭିଜ୍ଞତାରୁ କରୁଅଛି ଯାହା ମୁଁ ବଖ୍ୟାଣ,
ମୂଳୁ ମାରିଲେ ଯିବ ସରି
କି ଲାଭ ପତ୍ନୀ ସହ ଝଗଡ଼ା କରି,
ସେ ଜ୍ୟୋତିଷ ଜଣଙ୍କ ଆଉ କେହି ନୁହଁ
ଏବେ, ହର୍ଷ ଉଲ୍ଲାସେ ହାପି ଛାଡ଼ଖାଇ କୁହ ।।