ହାର ଜିତ

ସୋମ୍ୟା ଓ ଶିବାନୀ ଦୁଇଜଣ ପିଲାଦିନରୁ ସାଙ୍ଗ। ସେମାନେ ସାଙ୍ଗ କମ୍ ପ୍ରତିଦ୍ବନ୍ଦୀ ଅଧିକ କହିଲେ ଅତ୍ୟୁକ୍ତି ହେବ ନାହିଁ।କାରଣ ଦୁଇ ଜଣଙ୍କ ଭିତରେ ପିଲା ଦିନରୁ ହିଁ ପ୍ରଥମ ହେବାର ସଉକ। ଏ କ୍ଷେତ୍ରରେ ଯଦିଓ ଶିବାନୀ ଟିକେ ପଛଘୁଞ୍ଚା ଦେଇପାରେ କିନ୍ତୁ ସୂର୍ଯ୍ୟ ପଶ୍ଚିମରେ ଉଦୟ ହେଲେ ବି ସୌମ୍ୟା କୌଣସି ସୁଯୋଗ ଦେବ ନାହିଁଁ ନିଜକୁ ଦ୍ଵିତୀୟ ହେବା ପାଇଁ। ଦୁହେଁ ଗୋଟିଏ ସ୍କୁଲ ଠାରୁ ଆରମ୍ଭ କରି ଗୋଟିଏ କଲେଜରେ ସ୍ନାତକୋତ୍ତର ଡିଗ୍ରୀ ସାରିଲେ। ଦୁହେଁ ଉତ୍କଳ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ରେ ଟପ୍ପର ବି ହେଲେ। ସୋମ୍ୟା ମାତ୍ର ଦୁଇ ନମ୍ବର କମ୍ ରଖିଥିଲା ଶିବାନୀଠାରୁ। ସେଥିପାଇଁ ପାଞ୍ଚ ମାସ ପର୍ଯ୍ୟନ୍ତ କଥାବାର୍ତ୍ତା ବନ୍ଦ। ଯେତେବେଳେ ସୋମ୍ୟା ଅଧ୍ୟାପକ ଭାବେ ଚାକିରୀ ପାଇଲା। ସେବେ ଆସିଥିଲା ଶିବାନୀ ଘରକୁ ତିନି ଚାରି ପ୍ରକାରର ମିଠା ନେଇ। ଭାବିଲା ଶିବାନୀ ର ଈର୍ଷାରେ ଜଳିବା ଦେଖି ସେ ଖୁସିହେବ। କିନ୍ତୁ ସେମିତି କିଛି ହେଇନଥିଲା ଓଲଟା ଶିବାନୀ ମା ଖୁସି ହୋଇ ସୋମ୍ୟାର ମଥା ଆଉଁସି ଦେଲେ।
ସୋମ୍ୟାର ଚାକିରୀ ସୁଦୂର କୋରାପୁଟ ରେ ହେଇଥାଏ। ସେହିଠାରେ ସେ ବିବାହ ମଧ୍ୟ କଲା। ଶିବାନୀ ମଧ୍ୟ କଟକରେ ଚାକିରୀ ପାଇଛି ବୋଲି ଶୁଣିବାକୁ ପାଇଲା। ଶିବାନୀ ବାହା ହେବାର ପାଞ୍ଚ ବର୍ଷ ପୂର୍ବରୁ ସୋମ୍ୟା
ର ବାହାଘର ସରିଥାଏ।ସୋମ୍ୟା ଶୁଣିବାକୁ ପାଇଲା ଶିବାନୀ ମା ହେବାକୁ ଯାଉଛି।ଏକଥା ଶୁଣି ତା ମନ ଟିକେ ଦୁଃଖ ହେଇଗଲା।ଏଥର କିନ୍ତୁ ମନରେ ଆଉ ଈର୍ଷା ନ ଥିଲା । ସୋମ୍ୟା ମନ ଦୁଃଖ କରି ସ୍ୱାମୀ ପ୍ରଭାସଙ୍କୁ କହିଲା,” ଜାଣିଛ ଆମ ଶିବାନୀ ପ୍ରେଗନେଟ ଅଛି। ତା’ର ଚାରି ମାସ ଚାଲିଲାଣି।” ପ୍ରଭାସ ଖୁସି ହେଇ କହିଲେ,” ଭଲ କଥା ତ।” ପୁଣି ସୋମ୍ୟା କହିଲା,”ହଁ ଖୁସିର କଥା ।ହେଲେ ମୁଁ ଏଯାଏଁ ସେ ଖୁସି ଖବର ଦେଇପାରିଲିନି।ଆଉ କେତେ ମନ୍ଦିର ଯିବି,କେତେ ଡାକ୍ତରଙ୍କ ପାଖକୁ ଯିବି। “ଏମିତି କହି କୋହ ଭରା ହୋଇ ଆଉଜି ଗଲା ପ୍ରଭାସଙ୍କ ଛାତିରେ। ପ୍ରଭାସ ଆଶ୍ୱାସନା ଦେଲେ ସବୁ ଠିକ୍ ହେଇଯିବ ବୋଲି। କିଛି ମାସ ପରେ ଥରେ ରାତି ଅଧରେ ସୋମ୍ୟା କ’ଣ ଗୋଟାଏ ସ୍ୱପ୍ନ ଦେଖି ଝାଳନାଳରେ ବୁଡିଥାଏ। ଗୋଟିଏ ହାଉଳି ପକେଇ ଉଠିପଡିଲା ଶେଯରୁ। ପ୍ରଭାସଙ୍କ ନିଦ ଭାଙ୍ଗିଗଲା।ଶେଯରୁ ଉଠି ପାଣି ପିଇବାକୁ ଦେଇ ମୁଣ୍ଡ ଆଉଁସି ପଚାରିଲେ,”କ’ଣ ହେଲା?” ସୋମ୍ୟା କହିଲା,” ସେ ସ୍ୱପ୍ନ ଦେଖିଲା ଶିବାନୀ ଆଉ ନାହିଁ ବୋଲି।” ପ୍ରଭାସ ଚିଡି ଯାଇ କହିଲେ ,” ତମେ ସବୁବେଳେ ତାକୁ ଈର୍ଷା କଲ ମୋ ଜାଣିବାରେ ସେ ସେମିତି ତମ ପାଇଁ ଭାବୁଥିବ କି ନାଇଁ,ତମେ କିନ୍ତୁ ରାତି ଦିନ ତା କଥା ଭାବିଲ ଏବେ ସେଥିପାଇଁ ଏମିତି ସ୍ୱପ୍ନ ଦେଖିଲ।” ସୋମ୍ୟା କିନ୍ତୁ କାକୁତି ମିନତି ହୋଇ କହିଲା ଶିବାନୀ ପାଖକୁ ଫୋନ୍ ଲଗେଇବାକୁ। ପ୍ରଭାସ ଫୋନ୍ କରିବୁଝିଲେ ଶିବାନୀ ହସ୍ପିଟାଲରେ
ତାର କାଳେ ବହୁତ କଷ୍ଟ ହେବାରୁ ସମସ୍ତେ ତାକୁ ହସ୍ପିଟାଲ ନେଇଯାଇଛନ୍ତି। ସୋମ୍ୟା ଶିବାନୀର ସବୁ ଭଲ ହେଉ ବୋଲି ଠାକୁରଙ୍କୁ ଡାକି ଶୋଇପଡ଼ିଲା। ସକାଳୁ ଫୋନ୍ ଆସିଲା। ପ୍ରଭାସଙ୍କ ପାଖକୁ। ତୁରନ୍ତ କଟକ ଆସିବାକୁ ପଡ଼ିଲା ଦୁହିଁଙ୍କୁ। ଏମିତିରେ ବି ସୋମ୍ୟାର ଇଚ୍ଛା ଥିଲା ଟିକେ ଶିବାନୀକୁ ଦେଖିବାକୁ। ସେଠି ଯାଇ ପହଞ୍ଚିଲାବେଳକୁ କାହା ମୁହଁରେ ହସ ନାହିଁ। କାନ୍ଦ ବୋବାଳି ରେ ହସ୍ପିଟାଲ ଫାଟିପଡୁଛି। ଶିବାନୀର ସ୍ୱାମୀ ସୋମ୍ୟା ହାତରେ ଝିଅଟିକୁ ଧରେଇ କହିଲେ,” ଶିବାନୀ ଆଉ ନାହିଁ ସୋମ୍ୟା।ସେ ବଞ୍ଚିଥିବା ବେଳେ କହିଥିଲା ତା ଛୁଆକୁ ତମ କୋଳକୁ ଟେକି ଦେବାକୁ।ସେ ଯିବାବେଳେ ବି ତମ ନାଁ କହୁଥିଲା। ଶିବାନୀ ସନ୍ତକ ତମକୁ ଲାଗିଲା।” ସୋମ୍ୟା ସ୍ଥାଣୁ ପାଲଟିଯାଇଥାଏ। ମନେ ମନେ ଧିକ୍କାର କରୁଥାଏ।ହାର ଜିତ ର ପଞ୍ଝା ଲଢେଇ ଖେଳୁ ଖେଳୁ ହୀରା ପରି ସାଙ୍ଗକୁ ହରେଇଦେଲା। ଶିବାନୀ ଝିଅକୁ ଛାତିରେ ଜାବୁଡ଼ି ଭେଁ ଭେଁ ହେଇ ରଡ଼ି ଛାଡି କାନ୍ଦି କାନ୍ଦି କହୁଥାଏ,” ତୁ ଫେରିଆ ଶିବାନୀ ଏଥର ଆଉ ସେ ହାର ଜିତ ଖେଳ ମୁଁ ଖେଳିବିନି। ତୁ ଜିତି ଯାଇଛୁ ଶିବାନୀ। ତୁ ଫେରିଆ ଶିବାନୀ ତୁ ଫେରିଆ।” ଏତିକିବେଳେ ନର୍ସ ମାନେ ଶିବାନୀର ମୃତଦେହକୁ ଆଣି ଅପରେସନ ରୁମ୍ ରୁ ବାହାରୁଥିଲେ।

Leave a Comment

Your email address will not be published. Required fields are marked *