ମିଳନ ସୂତ୍ର

ହସେଇଲ ଏତେ ବେଶୀ ,
ଦୁଃଖ ମୋର ଗଲା ରୁଷି,
ମୋର ହୃଦୟ ସରସୀ ମନ ମାନସୀ,
ଭାବୁଅଛି ଆଜି ବସି,
ଯାଇଛି ବୋଧେ ମୁଁ ଫସି,
ତୁମରି ରୂପ ସାଗରେ କହୁଛି ହସି।

ଆସିଛ ଯଦି ଜୀବନେ,
ଛାଡି ଯିବ ନାହିଁ ଦିନେ,
ରହିଥିବ ଏ ସ୍ପନ୍ଦନେ ଜୀବନ ସାରା,
ତୁମକୁ ଦେଖି ନୟନେ,
ହଜି ଯିବି ପ୍ରେମ ବନେ,
ବୁଡେ ମୁଁ ମିଠା ସପନେ ହୃଦୟ ପାରା।

ପାଇ ତୁମରି ପରଶ,
ରଜନୀଗନ୍ଧାର ବାସ,
ମହକାଏ ଦଶଦିଶ ଆଜ ରାତିରେ,
ଲଭିବାକୁ ପ୍ରେମ ରସ,
ମନକୁ କରି ହରସ,
ମିଳନ ଅନଳେ ଝାସ ଦେବି ସାଥିରେ।

ମଥା ରଖି ତୁମ କୋଳେ,
ଲୁଚି ଯାଉଥିବି ଭୋଳେ,
କାମନାର କୌତୁହଳେ ହେ ପ୍ରାଣପ୍ରିୟା,
ପଡିଛି ତୁମ କବଳେ,
ତୁମରି କାମନା ଛଳେ,
ଜଳି ଜଳି ନିସ୍ତାରୁଛି ମୋର ଦୁନିଆ।

ତୁମ ହାତେ ହାତ ଛନ୍ଦି,
ନିଜକୁ କରିବି ବନ୍ଦୀ,
ପ୍ରେମରଣେ ହେବ ସନ୍ଧି ଦୁଇ ହୃଦୟ,
ଚାଲୁଥିବା ହସି କାନ୍ଦି,
ମିଳନ ସୂତ୍ରରେ ବାନ୍ଧି,
ସକଳ ବାଧାକୁ ଦୁହେଁ କରିବା ଜୟ।

Leave a Comment

Your email address will not be published. Required fields are marked *