କବିତା ଶୀର୍ଷକ :- ବନସ୍ତେ ଡାକିଲା ଗଜ
ବନସ୍ତେ ଡାକିଲା ଗଜ
ବଧୁ କୁଆଁରୀଏ ହେଲେଣି ସଜ
ହେଲେଣି ସଜଲୋ
ମହକି ଉଠିଲା ରଜ।
ମଥାରେ କୁଙ୍କୁମ ଟିପା
ପାଦରେ ଲାଗିଛି ସରୁ ଅଳତା
ସରୁ ଅଳତାଲୋ
ହାତରେ ମେହେନ୍ଦି ଚିତା।
ଉଡ଼ିବୁଲେ ଦେଖ କଙ୍କି
ଆକାଶ ଯାଇଛି ମେଘରେ ଢାଙ୍କି
ମେଘରେ ଢାଙ୍କିଲୋ
ମନୋହରୀ ଛବି ଆଙ୍କି।
ପରୀ ଖେଳିଲେଣି ଦୋଳି
କବରୀରେ ନାଇ ସପନ ମଲ୍ଲୀ
ସପନ ମଲ୍ଲୀ ଲୋ
ଗଳାରେ ଗଜରା ମାଳି।
ଦୋଳି ଝୁଲା ଥିରି ଥିରି
ଗଭା ଫୁଲ କାଳେ ଯିବଟି ଝରି
ଯିବଟି ଝରିଲୋ
ବସିଛି ସେ ଡରି ଡରି।
ନାଲି ଗୁରୁଗୁରୁ ଦିଶେ
ଖିଲିପାନ ଖାଇ କୁଆଁରୀ ହସେ
କୁଆଁରୀ ହସେଲୋ
ପଦୁଅଁ ଫୁଲିଆ ବେଶେ।
ଦେଖ ହେ ସୁନ୍ଦରୀ ମେଳା
ଆଇନାକୁ ଦେଖି ହସୁଛି ବାଳା
ହସୁଛି ବାଳାଲୋ
ଆଖିରେ ଲଗାଇ କଳା।
କୁଆଁରୀଏ ଠରାଠରି
ସେ ଗାଁ ଭେଣ୍ଡିଆକୁ ଏ ଗାଁର ଗୋରୀ
ଏ ଗାଁର ଗୋରୀଲୋ
ଦେଖି ଲାଜେ ଯାଏ ସରି।
ଗୋରା ଗାଲେ କଳାଜାଇ
ସାଙ୍ଗ କରୁଛନ୍ତି ଟାପରା ଟାହି
ଟାପରା ଟାହିଲୋ
ଜହ୍ନରେ ପଡ଼ିଛି ଛାଇ।
ଛନ ଛନ ହୁଏ ଆଖି
ପୁଚି ଖେଳିବାକୁ ଡାକଇ ସଖୀ
ଡାକଇ ସଖୀଲୋ
ମୁଖେ ପାଉଡର ମାଖି।
ନୁଆବୋହୁଟିକୁ ଦେଖ
ଦୋଳି ଖେଳିବାକୁ କେତେ ସଉକ
କେତେ ସଉକଲୋ
ମନ ହୁଏ ଦକଦକ।
ନଣନ୍ଦ ଭାଉଜ ମିଶି
ଜଣେ ପରେ ଜଣେ ଖେଳନ୍ତି ବସି
ଖେଳନ୍ତି ବସିଲୋ
ଭୁଲି କାଲି ରୁଷାରୁଷି।
ଜୁଆରିଆ ଆଜି ପ୍ରାଣ
ବୋଲ ମାନେନାହିଁ ଖିଆଲି ମନ
ଖିଆଲି ମନଲୋ
ପାନ ଖାଇ ଛନଛନ।
ମୁଖରିତ ହୁଏ ଧରା
ଗାଁ ଠୁ ସହର ହସର ଧାରା
ହସର ଧାରାଲୋ
ଲୁଚକାଳି ଖେଳେ ଖରା।
କେତେ ସ୍ନେହ ସରାଗରେ
ପୋଡ଼ ପିଠା ବାସି ମହକେ ଘରେ
ମହକେ ଘରେଲୋ
ଖାଅ ମନ ଆନନ୍ଦରେ।
ପିଠା ମିଠା ବାସନାରେ
କେତେ ଆତ୍ମୀୟତା ବହେ ସମୀରେ
ବହେ ସମୀରେଲୋ
ଦୁଃଖ କାହିଁ ଲୁଚେ ଦୂରେ।
ଘରଣୀଙ୍କ ଆଜି ଛୁଟି
ଦୋଳି ଖେଳୁଛନ୍ତି ନାହିଁ ପାଇଟି
ନାହିଁ ପାଇଟିଲୋ
ବେଳବୁଡ଼ି ହେଲା ରାତି।
ଖରା ତେଜ ମଉଳିଲା
ମୌସୁମୀ ଆସି ଚହଳ କଲା
ଚହଳ କଲାଲୋ
ଆଷାଢେ ମେଘ ଗର୍ଜିଲା।
ପହିଲି ବରଷା ଛିଟା
ଜାଳିଦେଲା ମନେ ଆଶା ସଳିତା
ଆଶା ସଳିତାଲୋ
ଆଙ୍କି ଇନ୍ଦ୍ରଧନୁ ଚିତା।
କି ଆନନ୍ଦ ଚାଷୀ ମନ
ଏବେଠୁ ଦେଖେ ସେ ସୁନା ସପନ
ସୁନା ସପନଲୋ
ବିଭୁ ପଦେ ରଖି ମନ।
ନ ଚାଲ ତୁ ଖାଲି ପାଦେ
ବଟା କୁଟା ଯେତେ ଆଜି ଛାଡ଼ିଦେ
ଆଜି ଛାଡ଼ିଦେଲୋ
ଧରଣୀ ମାଆକୁ ବାଧେ।
ଜଗାଇ ଉମଙ୍ଗ ପ୍ରାଣେ,
ଜୀବନର ଦୋଳି ଉଡ଼େ ଗଗନେ
ଉଡ଼େ ଗଗନେଲୋ
ରଜର ଏ ତିନି ଦିନେ।
ଶେଷେ ବସୁମତୀ ସ୍ନାନ
ଶିଳପୁଆ ଲୁହା ଲଙ୍ଗଳ ଆଣ
ଲଙ୍ଗଳ ଆଣଲୋ
(କର) ହଳଦୀ ପାଣିରେ ସ୍ନାନ।
ଏ ଓଡ଼ିଶାର ମହାପର୍ବ
ଯା ପାଇଁ ମନରେ କରିବା ଗର୍ବ
କରିବା ଗର୍ବଲୋ
ହୃଦେ ଧରି ପ୍ରେମ ଭାବ।
ସ୍ନେହ ଶ୍ରଦ୍ଧା ଆନନ୍ଦରେ
ରଜ ଭରିଦେଉ ଘର ସୁଖରେ
ଘର ସୁଖରେଲୋ
ଦୁଃଖ ଧାଉଁ ବହୁ ଦୂରେ।
ବନସ୍ତେ ନ ଡାକୁ ଗଜ
ଆମ ସଂସ୍କୃତିର ଟେକ ଏ ରଜ
ଟେକ ଏ ରଜଲୋ
ରଖିବ ଆମରି ଲାଜ।





