ବୟସର ପ୍ରାରମ୍ଭିକ ବସନ୍ତରେ ଚପଳମତି ର ଦୁଷ୍ଟାମୀ,
କିଛି ପାଇବାର ଆଶାରେ ଅଝଟିଆ ପଣ;
ରାଜଜେମା ର ଅଲିଅଳ କଥା ଟାଳି ନ ପାରି,
ତଅପୋଇ ର ବାପାଙ୍କ ଭଳି ମୋ ବାପା ସ୍ନେହରେ କୁହନ୍ତି,
ମାଆ ମୋର, “ପାଗେଳୀ ଟାଏ”………
ସାନ ଭାଇର ଜିଦ୍ ଆଗରେ ମୁଁ ନଇଁ ବାକୁ ନାରାଜ,
ତାକୁ କାଇଁ ଅଧିକ ଦେଲୁ, ମୋତେ କାଇଁ କମ୍!
ନିଜ ଛୁଆ ସହ କାଇଁ ପାତର ଅନ୍ତର,
ନାକ ଅଗର ରାଗକୁ ଖସାଇ ଅଫୁଟା ବମ୍ ପରି ମୁହେଁ;
ହସ ଧାରେ ପାଇଁ ବୋଉ ମୋର କୁହେ “ଝିଅ ମୋର ପାଗେଳୀ ଟାଏ……”
ଜେଜେମା ର ନିତୀ ବାଣୀ ପରେ ଯେବେ ଗଳ୍ପର ପସରା ଖୋଲେ,
ପ୍ରତି ଧାଡ଼ିର ଶେଷରେ ସେ ଯେବେ ପ୍ରଶ୍ନ କରେ ଅସରନ୍ତି ଅବାନ୍ତର ପ୍ରଶ୍ନ,
ବୁଢ଼ୀ ଅସୁରୁଣୀ କାଇଁ ପୋଖରୀ ରେ ରୁହେ, ଅବା ମାଧିଆ କୁ କାଇଁ ଭାଲୁ ଟେକି ନେଲା!
ଏଣ୍ଡୁଅ କାହିଁକି ସିଜୁ ବୁଦାକୁ ଯାଏ ଅବା ପୋଖରୀ ରେ କ’ଣ ଗୋଟାଏ ପଦ୍ମ ଥିଲା?
ନିଦ ଢଳଢଳ ଅଭ୍ୟସ୍ତ ଆଖି ରେ ସ୍ନେହ ବୋଳା ମାୟା ରାଗରେ ସେ କୁହେ;
“ଘୁଙ୍ଗୁରୀ ମୋର ଗୋଜ ବାୟାଣୀ ଟାଏ…..”
କଦମ୍ବ ମୂଳେ ସେ ସିମେଣ୍ଟ ବେଞ୍ଚରେ ବସିଥିବା ବେଳେ,
ସର୍ବସ୍ୱ ପାଲଟି ଥିବା ସେ କାନ୍ଧରେ ମୁଣ୍ଡ ଥାପି ମୁଁ ଯେବେ ଏଣୁତେଣୁ ବକି ଯାଏ;
ନୈରାଶ୍ୟ ର କଳାବାଦଲ ଆଡ଼କୁ ମୋ ନିଜକୁ ଠେଲି ଦିଏ,
ମୋତେ ସାନ୍ତ୍ୱନା ଦେବାକୁ ଯାଇ ମୋର ପିଠି ଥାପୁଡ଼େଇ;
ଅତି ଚିହ୍ନା ଏବଂ ପ୍ରିୟ ସ୍ୱରଟି କହିଦିଏ “ପ୍ରିୟା ମୋର ପାଗେଳୀ ଟାଏ”……
ଆଶା ନିରିଶା ର ନେପଥ୍ୟରେ କାଣିଚାଏ ଅଶ୍ରୁ ଧାରା,
ବିବାହ ମଣ୍ଡପର ସେ ସପ୍ତପଦୀ, ସାତଫେରା ର ଗୁଞ୍ଜରଣ;
ସଂପର୍କ ଦୋଛକିରେ ସନ୍ଦେହ ଭରା ବୁଢୀଆଣି ଜାଲ,
କ’ଣ ହେଇଥାଇ ପାରେ ଘରକୁ ବିଳମ୍ବରେ ଫେରିବାର କାରଣ!
ଅଶ୍ରୁମୋଚନ କରି ପାଖକୁ ଲାଗି ସେ କୁହନ୍ତି “ତୁମେ ବିନା ପାଗେଳୀ”……
ବୟସର ଅପରାହ୍ନ ରେ ନିଃଶ୍ୱ ପ୍ରାୟ ଅନୁଭବ,
ମାତୃତ୍ଵ ର ଶକ୍ତ ଚାପୁଡ଼ା ସାଙ୍ଗକୁ ବୃଦ୍ଧା ଶ୍ରମର ଚାରି କାନ୍ଥ!
ରାସ୍ତାକଡ଼ରେ ପଡିରହିଥିବା ପାଷାଣୀ ଅହଲ୍ୟାର ଛାଇ;
ଚତୁଃପାର୍ଶ୍ଵରେ ଚିହ୍ନା ଓ ଅଚିହ୍ନା ସ୍ୱରର କୋଳାହଳ “ପାଗେଳୀ ଟାଏ “! …….





