ସ୍ଵପ୍ନ ସହର

ଗୋଧୁଳୀ ଶେଷେ ଏଠି ସଞ୍ଜ ହୁଏ
ରକ୍ତ ତେଜ,ଶୀତଳ ଧମନୀରୁ
ଅଭିସାରେ ସ୍ୱପ୍ନ ଜାବୁଡ଼ି
ନୂପୁର ବାଜେ
ଅନ୍ଧାର  ମହଲ ଜଳି ଉଠେ
କାମନାର ଝୁମର ଜଳାଇ
ଫିଙ୍ଗା ହୁଏ ପାପର କାଞ୍ଚନ ବିଡ଼ା
ନଡ଼ା ଛପର କଳେବର ପାଇଁ !

ଲୋଡ଼ା ନାହିଁ ବତୀ ଖୁଣ୍ଟ
ସେ ମଝି ସହର ଛାତିରୁ
ଆମ୍ପୁଡ଼ିବାକୁ କ୍ଷୀଣ ଲଣ୍ଠନର ବତୀ ହିଁ ତ ଯଥେଷ୍ଟ
ଚରିତାର୍ଥ କରିବାକୁ ଦେହର ଭୋକ !

ଏଇ ତ ଛିଣ୍ଡା କନ୍ଥା ତଳେ
ଗୁମୁରି ଗୁମୁରି
ଚୁପ୍ ହୋଇ ଶୋଇପଡ଼ିଛି ଶିଶୁ
ମା’ ଛାତିରୁ ମୁନ୍ଦିଏ କ୍ଷୀର ପିଇ !
ମା’ କୁ ବି ଅଜଣା ତା ଶିଶୁ କ୍ଷୀର ପାଇଛି
କି ଭୋକିଲା ଘୁମେଇ ପଡ଼ିଛି !
ଏବେ ଶିଶୁର ସ୍ବପ୍ନର ନିଦ ଗହନକୁ
ମା’ର ଉନ୍ମକ୍ତ ଜାଗରଣ
ବାସନାର ବହ୍ନି ଜଳାଇ
କିଛି ଅଯାଚିତ ପ୍ରେମ ଓଜାଡ଼ିବାର
ପୁଲକିତ ମହକ
ଦରଦୀ ମା’ ଟିର ମରୁଦ୍ୟାନେ !

ଜହ୍ନ ଉଉଁଛି ଖୋଲା ଆକାଶ ଛାତିରେ
ମିଞ୍ଜି ମିଞ୍ଜି ତାରା ଫୁଲ
ଚହଟୁଛି ଧୀରେ ଧୀରେ
ଶେଫାଳୀ ମହକ ଢାଳିବାକୁ ତର ତର
ଏ ସହର ଜୀବନ୍ତ ସାକ୍ଷୀ ବ୍ଯଭିଚାରର
ସମସ୍ତେ ନିରବ ଏଠି
ଶାନ୍ତ ଆକାଶ
ଶାନ୍ତ ସମୀର
ମିଠା ମିଠା ବାସ୍ନା ଢାଳି ରାତ୍ରି ବି ଳ୍ଳାନ୍ତ
ମାତ୍ର ପ୍ରେମ ନିବେଦନ
କଉଡ଼ିର ବଦଳ ଦେଇ
ଭୋକ ମେଣ୍ଟେ ଏଠି ଦେହର
କିଏ ସାଜେ ଆଭିଜାତ୍ୟର ଚିହ୍ନ
କିଏ ସାଜେ ଅବହେଳିତ
ଦେହଜିବୀ ଆଲୋଡ଼ା ସମାଜର !

ଶିଶୁ ଏବେ ଜାଗିବ
ନିଦ ଭାଙ୍ଗିବ ଅଣ୍ଡାଳିବ ମା’ର ସ୍ତନ
କ୍ଷୁଧା ମେଣ୍ଟାଇବାକୁ କ୍ଷୀର କିଛି ଲୋଢ଼ା
ହେଲେ ଶିଶୁର ବିକଳତା ଆଗରେ
ମା’ର ବିବସତା
ବନ୍ଧା ପଡ଼ିଥିବ ନିଜ ଗହଣା
କିଏ ଜାଣେ ରାତି ପାହିବାକୁ
କାହାର ବଳିଥିବ ଜୀବନ
ମା’ର କି ଶିଶୁର
କିନ୍ତୁ ଏ ସହରର ମାଟି
ସାକ୍ଷୀ ରହିଥିବ ଖୋଲି ଦେଇ
ପାଷାଣ ନୟନ !

ଏଠି ସଞ୍ଜର ସହର
କାମନାର ଓଡ଼ଣୀ ତଳେ
ଲେଖାଅଛି ଅସଂଖ୍ୟ ଅପବାଦର ଇତିହାସ
ଜଣକ ପରେ ଜଣେ କାନ୍ଧରେ ଭାର ନେଇ
କର୍ଦ୍ଦମାକ୍ତ କରିଛନ୍ତି
ଶାନ୍ତ ସ୍ନିଗ୍ଧତାର ନକ୍ସା ଏ ସହରର
କୁହ ଏ ସହର ଭଲ ନା
ମୋ ଗାଁ ଏନ୍ତୁଡ଼ିଶାଳ
ସହରର ପଥର ଛାତି
ନା ମୋ ଗାଁ ତୁଳସୀ ଚଉରା ର
ମହ ମହ ସଞ୍ଜବତୀ ???

Leave a Comment

Your email address will not be published. Required fields are marked *