ସାଗର ଧୌତ ପଦ ପଙ୍କଜ ଯାର
ବକ୍ଷରେ ଗିରି ପ୍ରାଚୀର
ମୁନୀ ବେଦ ସ୍ୱନ ସଦା ଗୁଞ୍ଜରଣ
କଳୁଷ ହୁଏ ତାରଣ
କି ଅବା ବର୍ଣ୍ଣିବି ମୁଁ ସେହି ଭୂମିକୁ
ହିରଣ୍ମୟୀ ସିଏ, ବିଶ୍ଵଗୁରୁ ସିଏ
ଭାରତ ମାଟି ଯେ ମୋହର
ପ୍ରାତ ସ୍ମରଣୀୟ ଆମର |
ଯାର ପବିତ୍ରତା ବିଶ୍ୱରେ ବିଦିତ
ସଂସ୍କୃତି ଲୋକ କଥିତ
ରତନ ଗରଭା ମାଟି ଯେ ଆମର
ଐଶୋର୍ଯ୍ୟର ଗନ୍ତାଘର
କି ଅବା ବର୍ଣ୍ଣିବି ମୁଁ ସେହି ଭୂମିକୁ
ହାସ୍ୟମୟୀ ସିଏ, ଲାସ୍ୟମୟୀ ସିଏ
ବିଭବ ମାଟି ମୋ ଭାରତ
ସେ ସଦା ଆଦର୍ଶ ମୋର |
ରୁଧିରରେ ଦିନେ ହୋଇକରି ସ୍ନାନ
ଯିଏ ସାଜିଲା ସ୍ୱାଧୀନ
ବୀର ଗାଥା ତା’ କରଇ ଉଷ୍ମ ରକତ
ଆତ୍ମା ହୁଅଇ ଜାଗ୍ରତ
କି ଅବା ବର୍ଣ୍ଣିବି ମୁଁ ସେହି ଭୂମିକୁ
ସୌର୍ଯ୍ୟମୟୀ ସିଏ, ତେଜସ୍ୱିନୀ ସିଏ
ଯା ପାଇଁ ମୁଁ ସଦା ସମର୍ପିତ
ବୀରଭୂମି ସେହି ମୋ ଭାରତ |
ପ୍ରେମରେ ତ ଯହିଁ ସଶକ୍ତ ବନ୍ଧନ
ସଭିଏଁ ଭାଇ ସମାନ
ଭାଇଚାରା ସେଠି ପ୍ରମୁଖ ଆଦର୍ଶ
ବିଶ୍ୱେ ଖେଳାଏ ଉତ୍କର୍ଷ
କି ଅବା ବର୍ଣ୍ଣିବି ମୁଁ ସେହି ଭୂମିକୁ
ପ୍ରୀତିମୟୀ ସିଏ, ସ୍ନେହମୟୀ ସିଏ
ଯହିଁ ଭୂମିରୁ ଭୂମା ପ୍ରେମର ମଣ୍ଡନ
ତା ପଦେ ଭକ୍ତିରେ ହେଉ ଆମେ ମଗ୍ନ |
ତବ ମହାନତା ସମୁଦ୍ର ସମ ମାତ
ମାପିବାକୁ ନାହିଁ କାତ
ସବୁବେଳେ ହୁଏ ମୁଁ ସନ୍ତାନ ତୁମ
ବିହିକୁ ବିନତି ମମ
କି ଅବା କହିବି ଅଧିକ ଆଉ ମୁଁ
ନାହିଁ ମୋର ପାଖେ ଆଉ କିଛି ଶବ୍ଦ
ବାର ବାର ମୁଁ କହେ ଅବିରତ |
ବନ୍ଦେ ଭାରତ ନମଃ
ବନ୍ଦେ ଭାରତ ନମଃ ||