ଶୈଳପୁତ୍ରୀ ରୂପେ ଆସ ମା ଭବାନୀ
ବୃଷାରୂଢ଼ା ହୋଇ ଧୀରେ,
ବାମେ ଧରି ପଦ୍ମ ଦକ୍ଷିଣେ ତ୍ରିଶୂଳ
ଚିତ୍ତ ରହୁ ମୂଳାଧାରେ।
ପୂର୍ଣ୍ଣ ଜ୍ୟୋତିର୍ମୟୀ ମା ବ୍ରହ୍ମଚାରିଣୀ
ଅନନ୍ତ ଫଳ ଦାୟିନୀ,
କମଣ୍ଡଳୁ ଜପମାଳା ଶୋଭେ ହସ୍ତେ
ସ୍ୱାଧିଷ୍ଠାନେ ଧ୍ୟାନ୍ତି ଗୁଣି।
ଦଶଭୁଜା ସ୍ଵର୍ଣ୍ଣମୟୀ ସଦା ଶାନ୍ତ
କଲ୍ୟାଣୀ ମା ଚନ୍ଦ୍ରଘଣ୍ଟା
ଅଲୌକିକ ଫଳ ଦିଅ ହେ ଈଶ୍ୱରୀ
ମଣିପୁରେ ପାତେ ମଥା।
ସୌର ଅନ୍ତର୍ଦ୍ଦେଶୁ ଆସ ମା କୁଷ୍ମାଣ୍ଡା
ବସ୍ତାରି ମୟୁଖ ରାଶି,
ଅନାହତ ଚକ୍ରେ ରଖି ମତି ସ୍ମରେ
ଦିଅ ଆଶିଷ ବରଷି।
ପଦ୍ମାସନେ ହୁଅ ଅବତୀର୍ଣ୍ଣ ମାଗୋ
କୋଳେ ଧରି କାର୍ତ୍ତିକେୟ
ହେ ସ୍କନ୍ଦମାତା ମୁଁ ଧ୍ୟାୟେ ବିଶୁଦ୍ଧରେ
ସର୍ବ କର୍ମେ ହେଉ ଜୟ।
ଚତୁର୍ଭୁଜା ମାଗୋ ଦେବୀ କାତ୍ୟାୟିନୀ
ଆସ ଭବ୍ୟା ତେଜୋମୟୀ
ଚତୁର୍ପୁରୁଷାର୍ଥ ଫଳ ପ୍ରାପ୍ତି ହୁଏ
ଆଜ୍ଞା ଚକ୍ରେ ଯୋଗୀ ଧ୍ୟାୟୀ।
ଶ୍ୱାସେ ଅଗ୍ନିଜ୍ଵାଳା ବର୍ଷି ଉଭା ହୁଅ
କୃଷ୍ଣାଙ୍ଗୀ ମା କାଳରାତ୍ରୀ,
ସହସ୍ରାରେ ରହି ସ୍ମରୁଛି ସପ୍ତମେ
ସଦା ଶୁଭଫଳ ଦାତ୍ରୀ।
ଅଷ୍ଟମ ରାତ୍ରରେ ମହାଗୌରୀ ରୂପେ
ଦିଅ ମା ଅଭୟ ବର,
ତବ ଧ୍ୟାନେ ମଗ୍ନ ରହୁ ଅବିରତ
ହୃଦ କର୍ଣିକାଭ୍ୟାନ୍ତର।
ଶଙ୍ଖ ଚକ୍ର ଗଦା ପଦ୍ମ ସୁଶୋଭିତା
କମଳାସନେ ସଂସ୍ଥିତା,
ହେ ମା ସିଦ୍ଧିଦାତ୍ରୀ ଦିଅ ସର୍ବ ସିଦ୍ଧି
ତବ ପଦେ ରହୁ ମଥା।
ଭକ୍ତି ନୈବେଦ୍ୟ ମା ଘେନାକର ପଦେ
ଦେଖାଦିଅ ଅନୁଭବେ।
କିଛି ଦିଅ କି ନ ଦିଅ ଯାହା ତୁମ ଇଛା
କୃପା ବାରି ଦିଅ ଲବେ।