ବର୍ଷାର ଈର୍ଷା

ମୋ ଯୋଜନା ସବୁକୁ ପଣ୍ଡ କରିବାକୁ
ସେ କରେ ଭରପୁର ପ୍ରୟାସ
ତା ଭିତରର ସମସ୍ତ ଶକ୍ତିକୁ ବ୍ୟବହାର କରି
ମୋ ବିରୁଦ୍ଧରେ।
ମୁଁ କିନ୍ତୁ ପ୍ରତିଥର ପରି ହାସଲ କରିନିଏ
ମୋ ପୂର୍ବ ଯୋଜିତ ଇଛା ସବୁ
ଯେତେ ପଛେ ବର୍ଷୁ ଥାଉ ଯେତେ ଦିନ ଯାଏଁ
କଳେ ବଳେ ଓ ନାନା କୌଶଳରେ।
ସେଥିପାଇଁ ବୋଧେ ଏ ବର୍ଷା ମୋତେ ଭାରି ଈର୍ଷା କରେ।

ମୋ ଆଖିରେ ବି ଅନେକ ବାର ଘୋଟିଆସେ ମେଘ
ଢଳ ଢଳ ହୋଇ ଉଦାସୀ ପ୍ରହରେ
କେବେ ଭଙ୍ଗା ମନର କାକର ବୁନ୍ଦାରେ
କେବେ ବିଶ୍ୱାସଘାତର ଆନତ ସଞ୍ଜରେ।
ମୁଁ କିନ୍ତୁ ପିଇ ନିଏ ସେ ଲବଣାକ୍ତ ଧାରା
ଉଃ ପଦେ କାହାକୁ ନ କହି
ସମୟର ନଦୀ ତୀରେ ଧୋଇନିଏ କ୍ଷତ ସ୍ଥାନ ସବୁ
ବାଟ ଭାଙ୍ଗି ହସେ ପୁଣି ପ୍ରଭାତୀ କିରଣେ।
ସେଥିପାଇଁ ବୋଧେ ଏ ବର୍ଷା ମୋତେ ଭାରି ଈର୍ଷା କରେ।

ଉଜାଡି ଦେଇ ଯାଏ ମୋ ଅଙ୍କୁରିତ ସ୍ଵପ୍ନ ସବୁ
ତା ଜିଦ୍ ଯେତେ ଢ଼ାଳି ଦେଇ ଅତି ସବେଗରେ
ମୋ ସାଉଁଟା ଆଶାର ଅଗଣା ବୁଡିଯିବା ଯାଏଁ
ସେ ବର୍ଷି ଚାଲେ ତା ନିର୍ଦ୍ଦୟ ପଣରେ।
ମୁଁ ପୁନଶ୍ଚ ଅଣ୍ଟା ଭାଙ୍ଗି ସଜାଡି ବସେ ସବୁ
ବଢ଼ି ପାଣି ଛାଡ଼ିଗଲା ପରେ
ମୋ ନିତି ଦିନିଆ ଅଭ୍ୟସ୍ତ ଏକ କାର୍ଯ୍ୟ ପନ୍ଥା ଭଳି
ସେକି ହୁଏ ନୂଆ ସ୍ଵପ୍ନ ନେଇ ଆଉ ଏକ ସକାଳ ଖରାରେ।
ସେଥିପାଇଁ ବୋଧେ ଏ ବର୍ଷା ମୋତେ ଭାରି ଈର୍ଷା କରେ।

Leave a Comment

Your email address will not be published. Required fields are marked *