ହୁଏତ ଶୀତ ଆସିଛି

ଟିଣ ପେଡିର କୋଲପ ଫିଟି
ଗନ୍ଧକର୍ପୂର ଦିଆ ପୁରୁଣା କମ୍ବଳ
ଖରା ପୁଁ ଥିଲା
ହୁଏତ ଶୀତ ଆସିଛି !!

ରାସ୍ତାକଡର ଫୁଟପାଥ୍ ରେ
ଖୋଲା ଆକାଶ ତଳେ ନିତି ଶୋଉଥିବା
ମୁକୁଳା ମଣିଷ କାନେଇ ରହିଛି
ଦାତାଙ୍କ କମ୍ବଳବୁହା ଗାଡିର ହର୍ଣ୍ଣ ଶବ୍ଦକୁ
ହୁଏତ ଶୀତ ଆସିଛି !!

ନିର୍ଧୁମ୍ ଖରାରେ କୋଟପିନ୍ଧା ବାବୁଙ୍କ
ଘରେ ବାହାରେ
ଏୟାରକଣ୍ଡିସନର ଜାଗାରେ ଜଳୁଛି
ରୁମ ହିଟର୍
ହୁଏତ ଶୀତ ଆସିଛି !!

ଖଟିକିଆ ଚାଷୀ
ବିଲକୁ ଲଣ୍ଡା କରି
ମଣ୍ଡି ଓ ମିଲ୍ ର ଚାରିପାଖେ
ପଇଁତରା ମାରୁଛି
ତା ଝାଳକୁ ବିକିବା ପାଇଁ
ହୁଏତ ଶୀତ ଆସିଛି !!

ରଙ୍ଗ ମହଲର ରଙ୍ଗ ନାୟିକା
ଲମ୍ବାରାତି ବୋଲି
ଦେହକୁ ତତାଇ
ରାତିର ତାତି ସହ ସଉଦା କରୁଛି
ହୁଏତ ଶୀତ ଆସିଛି !!

ସଂଜ ନଇଁଲେ ଶୋଇପଡୁଥିବା
ପାହାଡୀ ଗାଁଟି
ଢାମ୍ପ ଓ ତୁଡୁମ୍ ର ଶବ୍ଦରେ
ଧାଙ୍ଗଡା ଧାଙ୍ଗିଡିଙ୍କ ଅଣ୍ଟାହଲା ନାଚରେ
ଢେର୍ ରାତି ଯାଏଁ ଚେଇଁଛି
ହୁଏତ ଶୀତ ଆସିଛି !!

◼️◼️◼️◼️

2 thoughts on “ହୁଏତ ଶୀତ ଆସିଛି”

Leave a Comment

Your email address will not be published. Required fields are marked *