ଶୀତୁଆ ସକାଳେ କଟିକିଆ ବୋହୂ
କମ୍ବଳକୁ ଟାଣି କହେ
ଆଠଟା ବାଜିଲେ ଉଠେଇବ ମୋତେ
ମୁଁ ଆଉ ଟିକେ ଶୁଏ।
ରାତି ପାହାନ୍ତିରୁ ଜେଜେମା ଉଠି
ସକାଳ ସ୍ନାହାନ ସାରି
ଚଉରା ମୂଳରେ ଧୂପ ଦୀପ ଦେଇ
ବସେ ଭାଗବତ ଧରି ।
ଜେଜେବାପା ଏଣେ ଧୂନୀ ଜାଳୁଥାନ୍ତି
ଏକେଣିଆ ଦାଣ୍ଡ ଘରେ
ସକାଳୁ ସନିଆ ଧାନ କାଟୁଥାଏ
ହାଡଭଙ୍ଗା ଶୀତ ଟାରେ ।
ରାତି ନ ପାହୁଣୁ ଝଡ ଦେଖାଦିଏ
ବଡ ବାପା କପ୍ ପରେ
ଶୀତ ସକାଳରେ ଡରି ମରି ବୋଉ
ଚା କରେ ରୋଷ ଘରେ।
ଦାଣ୍ଡ ବାରଣ୍ଡାରେ ବଳିଆ କୁକୁର
ଜାକି ମାଡି ଶୋଇଥାଏ
କାଲୁଆ ପବନ ଦେହରେ ବାଜିଲେ
କୁଙ୍କୁଟି କାଙ୍କୁଟି ହୁଏ ।
ଘରକୂଅପାଣି ବାମ୍ଫ ଉଠୁଥାଏ
ବୋଉ ଦେଇଥାଏ କାଢି
ସକାଳ ଗାଧୁଆ ପୂର୍ବରୁ ମୋ ବାପା
ନିତି କାଟନ୍ତି ଦାଢି ।
ନାନା ଜାତି ଫୁଲ ପନି ପରିବାରେ
ବାଡି ଘର ଉଠେ ପୁରି
ଶୀତୁଆ ସକାଳ ମନେପଡେ ନାହିଁ
ପୁଷ ମାଘ ଗଲେ ସରି ।
ଶୀତୁଆ ସକାଳ
