ସଞ୍ଜ ଅଭିସାର

ତୁମ ଗୋଲାପୀ ଚିବୁକରେ
ଫୁଟି ଉଠିଥିଲା ଆନନ୍ଦର ସହସ୍ର କୁସୁମ
ତୁମ କମ୍ପିତ ଅଧରରୁ ଝରି ପଡୁଥିଲା
ସମ୍ମତିର ମଧୁ ଅଭିସାର
ଅଗଣିତ ସପନର ବିମୁଗ୍ଧ ତାରକା
ଚିକମିକ କରୁଥିଲେ ଢଳ ଢଳ ସଜ୍ଜଳ ଆଖିରେ।

ଦୁଇକେରା କେଶ ଆସି ନାସାଗ୍ରକୁ ଛୁଇଁ
କାନରେ ତୁମର କିଛି ଦେଉଥିଲେ ଗୁପ୍ତ ମନ୍ତ୍ରଣା,
ଅଚାନକ ବାସି ଉଠିଥିଲା କବରୀ ତୁମର
ବାକରୁଦ୍ଧ ଅଧରରୁ ଝରୁଥିଲା ପ୍ରିତୀର ଝରଣା।

ଉଇଁ ଆସୁଥିଲା ଝାପ୍ସା ତୋଫା ଜହ୍ନ
ସାକ୍ଷୀ ଥିଲା ତୁମ ପ୍ରେମ ନିବେଦନେ,
ଶିରି ଶିରି କରି ଶୀତୁଆ ମଳୟ
ଛୁଇଁ ଯାଉଥିଲା ତୁମକୁ ଗୋପନେ।

ଘର ବାହୁଡ଼ା ସେ ବିହଙ୍ଗମ ଦଳେ
ଗୀତ ଗାଉଥିଲେ କୃଷ୍ଣଚୂଡ଼ା ଡାଳେ
ଭାବନାର ଶତ ପାଖୁଡ଼ା ଫୁଟିଲା
ଯୁଗଳ ଅନ୍ତର ହୃଦ କମଳେ।

ଗୁମସୁମ ସେଇ ସଞ୍ଜରେ ସେଦିନ
ପ୍ରିୟତମ କହି ସ୍ଵୀକାରିଲ ଯେବେ
ଖେଳି ଉଠିଥିଲା ଆନନ୍ଦର ଏକ ମୃଦୁ ମହୋତ୍ସବ,
ଅଭିଭୂତ ଥିଲି ଆଜି ବି ମୋହିତ
ସେଦିନର ସେଇ ଚାରୁ ଚିତ୍ରପଟେ
ଆଜି ବି ଅଙ୍କିତ ଅଲିଭା ସ୍ୟାହିରେ
ମନେ ପଡ଼ିଗଲେ ଶୀତ ରାତିରେ ବି
ଖେଳି ଉଠେ ହୃଦେ ଉଷ୍ମତାର ଏକ ମୃଦୁ ପ୍ରଭାବ।

Leave a Comment

Your email address will not be published. Required fields are marked *