କାଶଫୁଲର ଆୟୁଷ କେତେ

ନୀଳ ନଭ ପୃଷ୍ଠେ ମେଘର ସ୍ୟାହୀରେ
ଶରତ ଲେଖିଛି ଶ୍ୱେତ ବାର୍ତ୍ତା,
ସବୁଜ ପାଟରେ ନଦୀ ଧାରେ ଧାରେ
କାଶଫୁଲ ଝୁମେ ଟେକି ମଥା।

ଶୁଭ୍ର ଚାମରକୁ ଝୁଲାଇ ଝୁଲାଇ
ଖେଳାଏ ସୁଖର ମୃଦୁ ଢେଉ,
ପବନ ପଚାରେ ଚୁପ୍ କରି କାନେ
ଏତେ ଖୁସି କହ କାହିଁ ହେଉ।

ଭୂମାତା ଖୁସିରେ ସଜେଇ ହେଲାଣି
ଶୁଭ୍ର ଅଳଙ୍କାରେ ତନୁ ଭରି,
ସବୁଜ ଓଢ଼ଣୀ ମଥାପରେ ଢାଙ୍କି
ଏକାନ୍ତରେ ଲାଜେ ଯାଏ ସରି।

ଶୁଭ୍ରବସ୍ତ୍ର ପିନ୍ଧି ପରୀମାନେ ସତେ
ଓହ୍ଲାଇ ଆସି ଏ ମର୍ତ୍ତ୍ୟପୁରେ,
ପାରିଜାତ ଛାଡ଼ି ଫସି ଗଲେ ବୋଧେ
ଘାସଫୁଲ ପ୍ରେମ ଆବଦ୍ଧରେ।

ରୂପା ଦେହେ ତାର ଜହ୍ନ ମାଖିଦିଏ
ଶୀତ ଚନ୍ଦନର ଶିହରଣ,
ଶେଫାଳୀ ପଠାଏ ମହୁଆ ଅତର
ଭେଦି ରୁକ୍ଷ ହୃଦ ଆସ୍ତରଣ।

ଫେରି ଫେରି ଚାହେଁ କ୍ଳାନ୍ତ ଯାତ୍ରୀଟିଏ
ଶରତ ସୁନ୍ଦରୀ ରୂପେ ମଜ୍ଜି,
ସାଉଁଟି ହସଟେ ହୃଦୟ ଅଧରେ
ନିଜ ମଧ୍ୟେ ନିଜେ ଯାଏ ହଜି।

ପାର୍ବଣର ଶୁଭ ଆଶିଷ ପସରା
ସଞ୍ଚାରି ଜଡ଼ଠୁ ଜୀବ ଯାଏଁ
ପ୍ରକୃତିର ସମ୍ବେଦନଶୀଳ ଅଙ୍ଗ
ଶିହରେ ସେ ଯେବେ ଛୁଇଁ ଦିଏ।

ଦେବୀ ମା ପାଦରେ ନହେଉ ବେଦନା
ବିଛାଇ ଦେଇ ତା ସତରଞ୍ଜି,
ମାତୃମଗ୍ନା ହୋଇ ଗାଏ ଆବାହାନୀ
ସମ୍ପି ତା ସାଇତା ଭକ୍ତି ପୁଞ୍ଜି।

ଆୟୁଷ ତା ସ୍ୱଳ୍ପ ବାସ ହୀନ ବୋଲି
ନଥାଏ ତା ହୃଦେ ଦୁଃଖ ତିଳେ,
ରଙ୍ଗହୀନ ତନୁ ତଥାପି ଆନନ୍ଦେ
ଅହୋରାତ୍ର ହସି ଦୋଳି ଖେଳେ।

ଧାରା ଶ୍ରାବଣର ଟୋପା ଛୁଇଁ ଛୁଇଁ
ଆବିର୍ଭାବ ହୁଏ ଧରା ପରେ,
ଶରତେ ପାର୍ବଣ ମନ ଭରି ଜୀଇଁ
ବିଦାୟ ନିଏ ସେ ମାର୍ଗଶୀରେ।

ଜୀବନଟା ମାନେ ଆୟୁଷର ଏକ
ସଂଖ୍ୟାଟିଏ ନୁହେଁ କହିଯାଏ,
ଜିଇଁବାକୁ ହେଲେ ଋତୁଟେ ଯଥେଷ୍ଠ
କାନେ କାନେ ଶିକ୍ଷା ଦେଇଯାଏ।

Leave a Comment

Your email address will not be published. Required fields are marked *