ବିଶ୍ୱାସ ! ହଁ ସେଇ ଟିକକ ପାଇଁ ତ ମୁଁ ଚାହିଁକି ଅଛି ତାଙ୍କୁ, ଆଉ ସେ ବି ବୋଧେ ମୋତେ । କେଜାଣି କାହିଁକି ? ତାଙ୍କୁ ଦେଖିଲେ ହିଁ ତ ସେମିତି ଲାଗୁଛି, ଯେମିତି ବହୁତ୍ କିଛି କହିବାକୁ ଚାହୁଁଛନ୍ତି ମୋତେ, ହେଲେ କହିପାରୁନାହାଁନ୍ତି । ତାଙ୍କର ସେ ନୀରବ ଓଠ, ନିରୀହ ଆଖି, ନିଶ୍ଚଳ ପାପୁଲି.. ସ୍ଥିର ଥାଇ ବି ଭିତରେ ଭିତରେ ଖୁବ୍ ଜୋରରେ ଶବ୍ଦ କରୁଛନ୍ତି ଆଉ ଅନେକ ଭାବନାକୁ ବ୍ୟକ୍ତ କରୁଛନ୍ତି ମୋ ଚାରିପାଖେ ଘୂରି ଘୂରି । ଜାଣିନି; ସେ ବୁଝିପାରୁଛନ୍ତି କି ନାହିଁ, ହେଲେ ମୁଁ ଯେ ତାଙ୍କର ଟିକେ ପରିବର୍ତ୍ତନକୁ ଚାତକ ପରି ଚାହିଁ ରହିଛି ସେବେଠାରୁ
କେତେସାରା ବନ୍ଧୁବାନ୍ଧବ, ସାଙ୍ଗସାଥୀ, ପରିବାର ପରିଜନଙ୍କ କୋଳାହଳରେ ସେଦିନ ନିଜ ଘରୁ ଗୋଡ଼ କାଢ଼ି ଆଉ ଏକ ଘରକୁ ନିଜ ଘର ବୋଲି ମାନିନେଲି । ସମସ୍ତେ ବି ଖୁସି ଖୁସିରେ ମୋତେ ପାଛୋଟିନେଲେ । ଦିନ ପରେ ଦିନ ବିତିବା ସହ ମୋ ବିଶ୍ଵାସ ବି ଦୃଢ଼ ହୋଇଗଲା କି, ମୁଁ ବି ଧୀରେଧୀରେ ସମସ୍ତଙ୍କୁ ଆପଣାର କରିନେଲିଣି ବୋଲି । ହଁ ତ ସତରେ ! ନହେଲେ ଏଇ କିଛି ଦିନ ମଧ୍ୟରେ କ’ଣ ମୁଁ ଏମିତି ସ୍ନେହ, ଶ୍ରଦ୍ଧା ଆଉ ଭଲପାଇବାରେ ବାନ୍ଧିହୋଇଗଲି ଯେ, ଏତେ ବର୍ଷ ବିତେଇ ଆସିଥିବା ମୋ ପୂର୍ବ ଘରକୁ ବି ଭୁଲିଗଲି ! ସେଥିପାଇଁ ତ, ବୋଉ କହିଥିବା ପ୍ରତିଟି କଥା ମୋତେ ସତ ଲାଗୁଛି ।
ସେଦିନ ଏଇ ହସଖୁସିରେ ଭରିଥିବା ପରିବାର ସମସ୍ତେ ମିଶି ବାହାରିଲୁ ପାଖ ପାହାଡ଼ ଉପରେ ଥିବା ମନ୍ଦିରକୁ ଦର୍ଶନ ପାଇଁ । ବାଟସାରା ସମସ୍ତଙ୍କ ଥଟ୍ଟାମଜା ଓ ହସରେ କେତେବେଳେ ଯେ ପହଞ୍ଚିଗଲୁ ଜାଣିହେଲାନି । ଖୁବ୍ ଭଲରେ ଦର୍ଶନ ସାରି ଫେରିଲୁ ବି । ହେଲେ କିଏ ଜାଣିଥିଲା, ସେଦିନର ଏ ହସଖୁସିରେ ଯେ କାହାର ନଜର ଲାଗିଯିବ ବୋଲି !
ହଠାତ୍ ପାହାଡ଼ ଉପରେ ଅନ୍ୟମନସ୍କରୁ ୟାଙ୍କର ପାଦ ଖସିଗଲା । ସମସ୍ତେ ଖୁବ୍ ଜୋରରେ ପାଟି କଲେ । ହେଲେ ତା’ ପରେ କ’ଣ ହେଲା ମୁଁ ଜାଣିନି । ଆଖି ଖୋଲିଲା ବେଳକୁ ମୁଁ ଡାକ୍ତରଖାନାରେ । କିଛି ନ ବୁଝି ପ୍ରଥମେ ତାଙ୍କୁ ଖୋଜିଲି । ସମସ୍ତେ ମୋତେ ବୁଝାଇଲେ, ସେ ଠିକ୍ ଅଛନ୍ତି କହି । ହେଲେ ମୁଁ ନିଜେ ନ ଦେଖିଲା ଯାଏଁ କେମିତି ଶାନ୍ତିରେ ବସିବି ଯେ ?
ବହୁତ୍ ଜୋରରେ ଡରିଯାଇଥାଏ ସେତେବେଳକୁ ମୁଁ । ଆଖିପିଛୁଳାକେ କ’ଣ ସବୁ ଘଟିଗଲା ଯେ, ଭାବିଲା ବେଳକୁ ମୁଣ୍ଡ ଘୂରାଇନେଉଛି । ହଠାତ୍ ଡାକ୍ତରବାବୁ ଆସି ବାପାଙ୍କୁ ଏକୁଟିଆରେ କିଛି କହିଗଲେ ।
ତା’ ପରେ ଆମେ ସମସ୍ତେ ବାପାଙ୍କୁ ପଚାରିଲୁ । ମୁଁ ତ ବାପାଙ୍କ ପାଦତଳେ ପଡ଼ି ନେହୁରା ହେଲି ସତ କ’ଣ କହିବାକୁ । ହେଲେ ସେ ନୀରବ । ଧାଇଁଗଲି ୟାଙ୍କ ପାଖକୁ । ଜୋରରେ କୁଣ୍ଢେଇ ପଚାରିଲି କେମିତି ଅଛନ୍ତି ବୋଲି । ହେଲେ ଏ କ’ଣ, ସେ କିଛି କହୁନାହାଁନ୍ତି ଯେ ? ସେମିତି ଚାହିଁଛନ୍ତି । ବହୁତ୍ ଜୋରରେ ଚିଲ୍ଲେଇଲା ପରେ ଡାକ୍ତରବାବୁ ଆସି କହିଲେ, ସେ କୁଆଡ଼େ ଏବେ ଏମିତି ହିଁ ରହିବେ । ସବୁ ଦେଖିବେ ହେଲେ କିଛି କହିପାରିବେନି, ସବୁ ବୁଝିବେ ହେଲେ କିଛି ଉତ୍ତର ଦେବେନି । ଆଉ ଏଇ ରୋଗ ଯେ କେବେ ଠିକ୍ ହେବ ଜଣାନାହିଁ । ବାସ୍.. ଏକ ସମ୍ପୂର୍ଣ୍ଣ ନିରବତା ଯେମିତି ଢାଙ୍କିହୋଇଗଲା ପୁରା ପରିବାରରେ ।
ଘରକୁ ନେଇଆସିଲୁ ତାଙ୍କୁ । ସମସ୍ତେ କହିଲେ ମୁଁ କାଳେ ଭାଗ୍ୟବତୀଟେ । ନହେଲେ ଏତେ ବଡ଼ ପାହାଡ଼ରୁ ପଡ଼ି କିଏ କ’ଣ କେବେ ବଞ୍ଚେ ! ହେଲେ କେମିତି ଯେ ? ଭାଗ୍ୟବତୀ ବୋଲି ତ ନିଜକୁ ମୁଁ ସେତେବେଳେ ମାନିଥାନ୍ତି, ଯଦି ତାଙ୍କ ଜାଗାରେ ସେଦିନ ମୁଁ ସେଠି ଥା’ନ୍ତି । ମୋର କିଛି ହୋଇଯାଇଥିଲେ ଚଳିଥାନ୍ତା । ଏତେବେଳକୁ ସେ ତ ଠିକ୍ ଥା’ନ୍ତେ ନା !
ତଥାପି ମନର କଥାକୁ ମନରେ ଚାପି, ବିଶ୍ଵାସର ସହ ତାଙ୍କ ସେବା କରିଚାଲିଲି । ବହୁତ୍ ସାରା କଥା ତାଙ୍କୁ ବାଣ୍ଟିଲି, ଉତ୍ତର ନ ମିଳିଲେ ବି ପ୍ରଶ୍ନ ପଚାରିଲି ଆଉ ନିଜେ ନିଜେ ଉତ୍ତର କହିଲି ।
ମଝିରେ ମଝିରେ ବୋଉ, ବାପା ଆସି କୁହନ୍ତି ମୋତେ କାଳେ ଏଠୁ ନେଇଯିବେ । ଆଉ ଗୋଟିଏ ନୂଆ ଜୀବନ ହସଖୁସିରେ ଗଢ଼ିବାକୁ । ହେଲେ କେମିତି ? ସେମାନଙ୍କ ଭରସାରେ ତ ଏତେ ବାଟ ଆସିଥିଲି । ନିଜର ସବୁ ସ୍ଵପ୍ନ, ଆଶା, ଇଚ୍ଛାକୁ ଜଣଙ୍କ ନାଁ ରେ ଲେଖିଦେବା ପରେ ପୁଣି କେମିତି ଆଉ ଜଣଙ୍କୁ ଗ୍ରହଣ କରିବି, ସେ ଥାଉ ଥାଉ । ନା… ମୋ ଦ୍ଵାରା ଏସବୁ ଅସମ୍ଭବ । ଫେରାଇଦେଲି ସେମାନଙ୍କୁ। ମନାକରିଦେଲି ଏକଥା ଯେମିତି ଆଉ କେବେ ବି ମୋତେ ନ କୁହନ୍ତି ।
ଆଖିରେ ଭରିଥିବା ଆଖିଏ ସ୍ଵପ୍ନ ପ୍ରତି ରାତିରେ ଟପ୍ ଟପ୍ ହୋଇ ବୋହିଯାଏ ଛାତି ଭିତରଦେଇ । ଧୀରେଧୀରେ ଧୂଳି ଜମିଯାଏ ସେଇସବୁ ଇଚ୍ଛା ଆଉ ଆଶାମାନଙ୍କ ଉପରେ । ହେଲେ ପ୍ରତି ସକାଳେ ପୁଣି ସେମାନଙ୍କୁ ଝାଡ଼ିଝୁଡ଼ି ନୂଆ ବିଶ୍ଵାସରେ ବାନ୍ଧିରଖେ, କାଳେ ଆଜି ସେଇ ଦିନ ଆସିବ କି ! ସେ ପୁଣି ହସିବେ, ଗାଇବେ, ଚାଲିବେ…! ହେଲେ ଦିନଟା ଏମିତି ବିତିଯାଏ ଏସବୁ ଭାବନାରେ, ଆଉ ଆଶା ଆଶା ହୋଇ ରହିଯାଏ ମନ ଭିତରେ । ପୁଣି ଏକ ରାତି ଆସେ ଆଉ ସେଇ ଯନ୍ତ୍ରଣାକୁ ବତୁରେଇ ତାଜା କରିଦେଇ ଚାଲିଯାଏ ।
ଏଇ ତ, ଦେଖୁ ଦେଖୁ ତେର ବର୍ଷ ବିତିଗଲାଣି ତାଙ୍କର ଏମିତି ଅବସ୍ଥାକୁ । ବହୁତ୍ କିଛି ପରିବର୍ତ୍ତନ ଘଟିସାରିଲାଣି ବାହାର ଦୁନିଆରେ । ହେଲେ ମୋ ଦୁନିଆଟା ଯେ ସେମିତି ସ୍ଥିର, ଅପରିବର୍ତ୍ତନୀୟ.. ତାଙ୍କରି ଭିତରେ ।
ତଥାପି ମୋର ବିଶ୍ଵାସ ଅଛି ମୋ ମାଆ ଉପରେ, ଯିଏ ଏତେ ବାଟ ମୋତେ ସାହସ ଦେଇ ନେଇ ଆସିଛି । ମାଲୋ ମୋତେ ଶକ୍ତି ଦେ, ଯେମିତି ଏ ରାତି ବି ଦିନେ ପାହିଯିବ ଆଉ ସକାଳ ଆସିବ । ସେଦିନ ଆସିବ ଯେବେ ସେ ତାଙ୍କ ନିଜ ପାଟିରେ ମୋ ନାଁ ଧରି ମୋତେ ଡାକିବେ, ମଉଳିଆସୁଥିବା ସ୍ଵପ୍ନସବୁକୁ ତାଙ୍କ ପ୍ରୀତିଭରା ଚୁମ୍ବନରେ ସେ ପୁଣି ସତେଜ କରିଦେବେ…. ହସିବେ, ଖେଳିବେ, ଗାଇବେ, ନାଚିବେ, ଚିଡ଼େଇବେ ଆଉ ବହୁତ୍ ସାରା ମଜା କରିବେ ଠିକ୍ ଆଗ ପରି । ହଁ.. ଏ ବିଶ୍ଵାସ ଥିଲା, ଅଛି ଆଉ ରହିଥିବ । ମୁଁ ଏବଂ ମୋର ଶେଷ ନିଃଶ୍ୱାସ ଥିବା ପର୍ଯ୍ୟନ୍ତ ।
Really good 😍
Nice 💝💝💝
Ati sundar ❤️❤️❤️
Maa 🙏 hi bharasha
Khub bhalo 😊
Maata rani ki kripa se sab khus rahe 🙏🙏🙏❤❤
You are such a great writer dear 👏
Keep writing and shining 🫂
Nice👍🏻😍